ନବୀନଙ୍କ ମାଷ୍ଟରଷ୍ଟ୍ରୋକରେ ବିରୋଧୀ ବୋଲ୍ଡ ! ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ଘୋଷଣା ଯୋଗୁଁ ଚାପରେ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର(ସୁବ୍ରତ ଦାସ) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ପକ୍ଷରୁ ଶତକଡା ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ ଦିଆଯିବ ବୋଲି ଗତକାଲି ଘୋଷଣା କରି ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ତାଙ୍କର ଏହି ଘୋଷଣା ଅନ୍ୟ ଦଳଗୁଡ଼ିକୁ ଚାପରେ ପକାଇଛି।

ରାଜ୍ୟରେ ମୋଟ ୩ କୋଟି ୧୮ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧ କୋଟି ୫୪ ଲକ୍ଷ ହେଲେ ମହିଳା। ପୂର୍ବରୁ ସଂସଦ ଓ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ଗତ ନଭେମ୍ବର ୨୧ ତାରିଖରେ ଓଡ଼ିଶା ବିଧାନସଭାରେ ଏହି ମର୍ମରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ନବୀନ ମଧ୍ୟ ପ୍ରଧାନମନ୍ତ୍ରୀ,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସବୁ ଆଞ୍ଚଳିକ ଓ ଜାତୀୟ ଦଳଗୁଡିକୁ ଅନୁରୋଧ କରି ପତ୍ର ଲେଖିଥିଲେ।

ଅନ୍ୟ ଦଳ ଉପରେ ଅଧିକ ଚାପ ପକାଇବା ପାଇଁ ନବୀନ ଗତକାଲି କେନ୍ଦ୍ରାପଡ଼ାଠାରେ ମିଶନ ଶକ୍ତି ସମାବେଶରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏହି ଘୋଷଣାକୁ ଏହା ‘ଏକ ନବୀନ୍‌ ଚାଲ୍‌’ ରୂପେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ‘ମହିଳା ପ୍ରତିନିଧିତ୍ୱ ପ୍ରତି ନବୀନ ବାବୁଙ୍କର ଯଦି ଏତେ ଦରଦ,ତେବେ ତାଙ୍କ ମନ୍ତ୍ରୀମଣ୍ଡଳରେ କାହିଁକି ୩୩ ପ୍ରତିଶତ ମହିଳାଙ୍କୁ ମନ୍ତ୍ରୀ କଲେ ନାହିଁ। ଆମେ ମଧ୍ୟ ଯୋଗ୍ୟ ମହିଳାଙ୍କୁ ପ୍ରାର୍ଥୀ କରିବୁ’ ବୋଲି ଶ୍ରୀ ଜ୍ଞାନେନ୍ଦ୍ର ପ୍ରକାଶ କରିଛନ୍ତି।

ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ,ଆମ ଦଳର ସଂଗଠନରେ ମହିଳାମାନଙ୍କୁ ୩୩ ପ୍ରତିଶତ ସ୍ଥାନ ଦିଆଯାଇଛି। ‘ଆସନ୍ତା ନିର୍ବାଚନରେ ମଧ୍ୟ ବହୁ ମହିଳାଙ୍କୁ ସୁଯୋଗ ଦିଆଯିବ।’

ଶାସକ ବିଜୁ ଜନତା ଦଳର ମୁଖପାତ୍ର ଅରୁଣ ସାହୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ ଜଣାଇ ‘ଏହା ଅନ୍ୟ ଦଳ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି’ ବୋଲି କହିଛନ୍ତି। ପୂର୍ବରୁ ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ଇସ୍ତାହାରରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ‘ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି’ ବୋଲି ଶ୍ରୀ ସାହୁ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର