ପଶ୍ଚିମ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର : ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ କେନ୍ଦ୍ର ଫେଲ୍‌

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି। ପ୍ରଥମେ ବରଗଡ଼ ଜିଲ୍ଲା ଅତାବିରା ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ହାଇଟେକ୍‌ ବସରେ ରୋଡ ସୋ’ କରିଛନ୍ତି। ଅତାବିରା ଓ ପଦ୍ମପୁରରେ ନବୀନ ନିଜ ସରକାରର ସଫଳତା ବଖାଣିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ପଦ୍ମପୁରରେ ନିଜ ଅଭିଭାଷଣରେ ନବୀନ ପ୍ରଥମେ ପ୍ରଚଣ୍ଡ ଖରା ସତ୍ତ୍ୱେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଜୟ ଜଗନ୍ନାଥ ଓ ଜୁହାର କହି ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନା ଦ୍ୱାରା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ ବାକି ଚାଷୀମାନଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ଦିଆଯିବ।

ଏହପରେ ନବୀନ ଏନ୍‌ଏସ୍‌ପି ଦୁଇଗୁଣ କରାଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା। ଦୀର୍ଘ ଦିନ ଅପେକ୍ଷା କଲୁ; ଚିଠି ଲେଖିଲୁ କିଛି ସୁଫଳ ମିଳିଲା ନାହିଁ। ଦୁଇ ବର୍ଷ ଅପେକ୍ଷା କରିବା ପରେ ସମସ୍ୟା ଜଣାଇବାକୁ ଚାଷୀ ଓ ମନ୍ତ୍ରୀ ଦିଲ୍ଲୀ ଗଲେ, କିନ୍ତୁ କେନ୍ଦ୍ର ସରକାର ତାଙ୍କ ପାଇଁ ୨ ମିନିଟ୍‌ ସମୟ ଦେଲେ ନାହିଁ। କେନ୍ଦ୍ରରେ ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ଥାଇ ସୁଦ୍ଧା ନିରବ ରହିଲେ। କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ରକୁ କହିଥିଲୁ। ସେଥିରେ ମଧ୍ୟ ସେ ଚୁପ୍‌ ରହିଲେ ବୋଲି ନବୀନ ଅଭିଯୋଗ କରିଥିଲେ।

ଏବେ ଭୋଟ୍‌ ପାଇଁ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଚାଲି ଆସୁଛନ୍ତି। ମୁଁ ଆପଣମାନଙ୍କ ସହ ରହିଛି। ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରୁଥିବି। ଏଥିସହ ସେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କୁ ଜିତାଇବା ଲାଗି ନିବେଦନ କରିଥିଲେ।

ନବୀନ ପାଟଣାଗଡ଼ ପରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ଲୋଇସିଂହାରେ ରୋଡ ସୋ କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର