ବିହାର ଏନ୍‌ଡିଏ ପ୍ରାର୍ଥୀ ତାଲିକା ଘୋଷିତ: ପାଟନା ସାହିବରେ ଶତ୍ରୁଘ୍ନ ସିହ୍ନାଙ୍କ ସ୍ଥାନରେ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ଶନିବାର ଦିନ ନେସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌ ବିହାର ଲାଗି ୪୦ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପାଟନା ସାହିବର ଅସନ୍ତୁଷ୍ଟ ବିଜେପି ଲୋକସଭା ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସ୍ଥାନରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ସିହ୍ନା ପାଟନା ସାହିବ ଆସନରୁ ଦୁଇ ଥର ସାଂସଦ ହୋଇଥିଲେ ବି ଗତ ଦୁଇ ବର୍ଷ ହେବ ସେ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି।

ଏନ୍‌ଡିଏ ତାଲିକାରେ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଗିରିରାଜ ସିଂହଙ୍କୁ ନବଦା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପାଖ ବେଗୁସରାଇ ସଂସଦୀୟ ଆସନକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତ ହୋଇ ପାରେ ବୋଲି ପୂର୍ବରୁ ସେ ଆଶଙ୍କା କରୁଥିବା କହୁଥିଲେ। ଆସନ ବୁଝାମଣା ଯୋଗୁଁ ନବଦା ଲୋକସଭା ଆସନ ଏଲ୍‌ଜେପିକୁ ଦିଆଯାଇଛି।

କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ପୂର୍ବ ଚମ୍ପାରଣର ଏନ୍‌ଡିଏ ପ୍ରାର୍ଥୀ ହୋଇଛନ୍ତି। ଏବେ ମଧ୍ୟ ସେ ସମ୍ପୃକ୍ତ ଆସନରୁ ସାଂସଦ ଅଛନ୍ତି।

ବିହାର ବିଜେପି ମୁଖ୍ୟ ନିତ୍ୟାନନ୍ଦ ରାୟ, ଜେଡି-ୟୁ ରାଜ୍ୟ ଅଧ୍ୟକ୍ଷ ବଶିଷ୍ଠ ନାରାୟଣ ସିଂହ ଏବଂ ଏଲ୍‌ଜେପି ରାଜ୍ୟ ମୁଖ୍ୟ ପଶୁପତି ପାରସ୍‌ ଯୋଗ ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାଲିକା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର