ଦକ୍ଷିଣାଞ୍ଚଳରୁ କଂଗ୍ରେସର ମାନସ ମନ୍ଥନ ଆରମ୍ଭ; ରାଜଧାନୀରେ ରହିଲେ ଟିକେଟ୍‌ ମିଳିବନି: ନିରଞ୍ଜନ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବୁଥ୍‌ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ କଂଗ୍ରେସ। ଏଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି(ପିସିସି) ତରଫରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ନେଇ ଆଜିଠାରୁ ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ଖୋଲାଖୋଲି ଶୁଣାଇ ଦେଇଛନ୍ତି, ଯେ ରାଜଧାନୀ ଭୁବନେଶ୍ୱରରେ ରହିଲେ ଏଥର ଟିକେଟ୍‌ ମିଳିବନି। ବରଂ ଯେଉଁମାନେ ନିର୍ବାଚନ ଲଢିବା ପାଇଁ ଚାହୁଁଛନ୍ତି, ସେମାନେ ନିଜ ନିଜ ଜିଲ୍ଲାରେ ରହି ଲୋକମାନଙ୍କ ମଧ୍ୟରେ କଂଗ୍ରେସ ଦଳ ପ୍ରତି ବିଶ୍ୱାସର ବାତାବରଣ ସୃଷ୍ଟି କରାନ୍ତୁ। ଦଳୀୟ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ବର୍ଗର ଲୋକମାନଙ୍କର ନିକଟତର ହୁଅନ୍ତୁ। ବିଜୟ ସମ୍ଭାବନା ଆଧାରରେ ସେମାନଙ୍କୁ ଦଳୀୟ ଟିକେଟ୍‌ ମିଳିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ଆଜି କଂଗ୍ରେସ ଭବନ ସଭାକକ୍ଷରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦକ୍ଷିଣାଞ୍ଚଳ କଂଗ୍ରେସର ୧୦ଟି ସାଂଗଠନିକ ଜିଲ୍ଲା କର୍ମକର୍ତାମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ମୁତାବକ ପ୍ରତି ଜିଲ୍ଲା ପରିଷଦ ଜୋନ୍‌କୁ ବ୍ଲକ ଭାବେ ଧରାଯିବ। ପ୍ରତି ଜିଲ୍ଲା ପରିଷଦ ଜୋନ୍‌ରେ ଦଳ ତରଫରୁ ସଭାପତି ନିଯୁକ୍ତ କରାଯିବ। ଏହି ମାସ ଶେଷ ସୁଦ୍ଧା ଜୋନ୍‌ ପରିଷଦ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ସେହିପରି ପ୍ରତି ବୁଥ୍‌କୁ ମଜବୁତ୍‌ କରିବା ପାଇଁ ବୁଥ୍‌ ସ୍ତରୀୟ କମିଟିମାନ ଗଠନ କରାଯିବ। ଜୁଲାଇ ୧୦ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସରିବ।

ବୈଠକ ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ଜିଲ୍ଲା କମିଟି(ଡିସିସି) ସଭାପତିମାନଙ୍କୁ ପ୍ରୋଗେସ୍‌ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଆସନ୍ତା ୧୫ ଦିନ ଭିତରେ ସେମାନେ ରିପୋର୍ଟ ଦେବେ। ଆସନ୍ତାକାଲି ରାଜ୍ୟର ଅବଶିଷ୍ଟ ଜିଲ୍ଲା କଂଗ୍ରେସ କମିଟି ସଭାପତି, କାର୍ଯ୍ୟକାରୀ ସଭାପତିମାନଙ୍କୁ ନେଇ ସାଂଗଠନିକ ଆଲୋଚନା କରାଯିବ ବୋଲି ସେ କହିଥିଲେ।
ପିସିସି ପକ୍ଷରୁ କୁହାଯାଇଛି ଯେ ଏହି ଦୁଇଦିନିଆ ବୈଠକର ପ୍ରଥମ ଦିବସରେ ଆଜି ଦକ୍ଷିଣାଚଂଳ ୧୦ଟି ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା। ଏଥିରେ ଅନେକ ନିଷ୍ପତ୍ତି ହୋଇଛି। ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ କାର୍ଯ୍ୟକାରୀ ସଭାପତିମାନଙ୍କୁ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଂଟନ କରାଯାଇଛି। ପିସିସିର ସାଂଗଠନିକ ଜିଲ୍ଲାମାନଙ୍କରେ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଗଠନ କରିବାକୁ ମଧ୍ୟ କୁହାଯାଇଛି।

ବୈଠକ ଆରମ୍ଭରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଧିତ କରିଥିଲେ। ବୈଠକରେ ସଭାପତିଙ୍କ ସହିତ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସଂପାଦକ ଅନିଲ୍‌ ଚୌଧୁରୀ, ଏଆଇସିସି ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ଦକ୍ଷିଣାଞ୍ଚଳ ଜୋନ୍‌ର ୧୦ଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି, କାର୍ଯ୍ୟକାରୀ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର