ନୂଆ ଟିମ୍‌ ରାଜ୍ୟବାସୀଙ୍କ ଆଶା ପୂରଣ କରିବ: ନିରଞ୍ଜନ

ନୂଆଦିଲ୍ଲୀ : ପିସିସି ମୁଖିଆ ଦାୟିତ୍ୱ ମିଳିବାପରେ ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ନୂଆ ଟିମ୍‌ ଓଡ଼ିଶାବାସୀଙ୍କର ତଥା କଂଗ୍ରେସର ଆଶା ଓ ଆକାଂକ୍ଷା ପୂରଣ କରିବା ସହ ନିଷ୍ଠାର ସହ କାର୍ଯ୍ୟ କରିବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶାର କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନଙ୍କ ମତକୁ କାର୍ଯ୍ୟକାରୀ କରି ନୂଆ ଟିମ୍‌ ଗଠନ କରିଥିବାରୁ ସେ ଧନ୍ୟବାଦ ଜଣାଉଛନ୍ତି ବୋଲି କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସର ଏହି ଗୁରୁ ଦାୟିତ୍ୱକୁ ସେ ତୁଲାଇବେ ବୋଲି ନିରଞ୍ଜନ ଦୃଢ଼ୋକ୍ତିର ସହ କହିଥିଲେ।

କଂଗ୍ରେସର ଦୁର୍ବଳ ସ୍ଥିତି ଉପରେ ପ୍ରତିକ୍ରିୟା ରଖି ନିରଞ୍ଜନ କହିଥିଲେ ଯେ, ରାଜ୍ୟରେ ବିଜେପି ଓ ବିଜେଡ଼ି ଭୁଲିବା ଉଚିତ୍‌ ନୁହେଁ ଯେ, କଂଗ୍ରେସ ପରାଜୟ ପାଇଁ ନୁହେଁ ବରଂ ଜିତିବା ପାଇଁ ଲଢେଇ ଜାରି ରଖିଛି। ରାଜ୍ୟର ଅନେକ ସମସ୍ୟା ରହିଛି, ଯାହାର ସମାଧାନ କରିବାରେ ବିଜେପି ଓ ବିଜେଡ଼ି ବିଫଳ ହୋଇଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ କଂଗ୍ରେସ କାର୍ଯ୍ୟ କରିବ। ଦେଶ ଓ ରାଜ୍ୟର ସଙ୍କଟମୟ ପରିସ୍ଥିତିକୁ ସୁଧାରିବା ପାଇଁ କଂଗ୍ରେସ କାର୍ଯ୍ୟ କରିବ। ସଂଗଠନକୁ ମଜବୁତ କରିବା ଏବଂ ଲୋକଙ୍କ ମନରେ କଂଗ୍ରେସ ପ୍ରତି ଆସ୍ଥା ଉଦ୍‌ଜୀବିତ କରିବା କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ। ତେବେ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ସେ କହିଥିଲେ। ଦଳଛାଡ଼ି ଚାଲିଯାଇଥିବା ନେତାଙ୍କ ସମ୍ପର୍କରେ ମତବ୍ୟକ୍ତ କରି ନିରଞ୍ଜନ କହିଥିଲେ ଯେ, କୌଣସି ନା କୌଣସି କାରଣ ପାଇଁ ଉକ୍ତ ନେତାମାନେ ଦଳ ଛାଡିଛନ୍ତି। ତେବେ ଦେଶ ଓ ରାଜ୍ୟର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଆଗ୍ରହୀ ନେତାଙ୍କୁ ଦଳକୁ ସ୍ୱାଗତ କରାଯିବ ବୋଲି ସେ କହିଥିଲେ। ରାଜ୍ୟ କଂଗ୍ରେସର ହୃଦୟ ବନ୍ଦ ହୋଇଯାଇଥାଇ ପରେ କିନ୍ତୁ ହାତ ଏବେ ବି ଖୋଲା ରହିଛି ବୋଲି ନିରଞ୍ଜନ କହିଥିଲେ।

ପିସିସି ସଭାପତି ଭାବେ ବେକାରି ସମସ୍ୟା, ଚାଷୀ ଓ ଚାଷ ସମସ୍ୟା,ଦଳିତ ଆଦିବାସୀଙ୍କର ବିକାଶ ତଥା ରାଜ୍ୟର ଅର୍ଥନୈତିକ ବିକାଶ ଆଦି ପ୍ରସଙ୍ଗକୁ ପ୍ରାଥମିକତା ଦେବେ ବୋଲି ସେ କହିଥିଲେ। ରାଜ୍ୟର ଓ ଦେଶର ସ୍ୱାର୍ଥ ଦୃଷ୍ଟିରୁ ପୂର୍ବରୁ ସେ ଯେଉଁସବୁ କାର୍ଯ୍ୟ କରୁଥିଲେ ସେସବୁ ଏବେ ବି ଜାରି ରହିବ ବୋଲି ସେ କହିଥିଲେ। ରାଜ୍ୟରେ କଂଗ୍ରେସ ତୃତୀୟ ଦଳର ସ୍ଥିତିରେ ଥିବା ବେଳେ ତାଙ୍କୁ ଏଭଳି ଏକ ଗୁରୁଦାୟିତ୍ୱ ମିଳିଥିବାରୁ କର୍ମ, ସତ୍ୟ,ନିଷ୍ଠାକୁ ପାଥେୟ କରି ଶତ ପ୍ରତିଶତ ଫଳ ଦେବାକୁ ଚେଷ୍ଟା କରିବେ ବୋଲି ସେ କହିଥିଲେ।

ଆଜିଠାରୁ ରାଜ୍ୟ କଂଗ୍ରେସର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା ବୋଲି କାର୍ଯ୍ୟକାରୀ ସଭାପତି ରୂପେ ନିଯୁକ୍ତି ପାଇଥିବା ପ୍ରଦୀପ ମାଝୀ କହିଥିଲେ। ସମସ୍ତଙ୍କ ଆଲୋଚନା ଓ ବିଚାର ବିମର୍ଶରେ ଗଠିତ ଏହି ନୂଆ ଟିମ୍‌ ଆଗକୁ ଉତ୍ତମ ଫଳ ଦେବାରେ ସମର୍ଥ ହେବ ବୋଲି ସେ କହିଥିଲେ। ନିର୍ବାଚନ ପାଇଁ ଆଉ ଅଳ୍ପ ସମୟ ରହିଛି। ତେଣୁ ଆଗାମୀ ଦିନରେ କଂଗ୍ରେସର ନୂଆ ଟିମ୍‌ ଏକାଠି ଓ ମଜବୁତ ହୋଇ ବିଜେପି ଓ ବିଜେଡ଼ି ବିରୋଧରେ ଲଢେଇକୁ ଜୋରଦାର କରିବ ବୋଲି ନୂତନ କାର୍ଯ୍ୟକାରୀ ସଭାପତି ଚିରଂଜୀବୀ ବିଶ୍ୱାଳ କହିଥିଲେ। ଆଜି ଟ୍ଵିଟ୍‌ କରି ବିଦାୟୀ ସଭାପତି ଶ୍ରୀ ହରିଚନ୍ଦନ କଂଗ୍ରେସର ନୂଆ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ଶନିବାର ଦିନ କଂଗ୍ରେସର ନୂଆ ଟିମ୍‌ ଭୁବନେଶ୍ୱରରେ ପ୍ରଥମ ବୈଠକ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର