ଭୁବନେଶ୍ୱର : ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୧୮ ବର୍ଷ ଧରି ବିଜେଡି ଶାସନରେ ରହିଛି। ନିଜକୁ ଜଣେ ସାଦାସିଧା ଓ ଦୁର୍ନୀତିମୁକ୍ତ ବ୍ୟକ୍ତି ଭାବେ ନବୀନ ଓଡ଼ିଶାବାସୀଙ୍କ ନିକଟରେ ଯେଉଁ ଭାବମୂର୍ତି ସୃଷ୍ଟି କରିଥିଲେ, ତାହା ଏବେ ଆଉ ନାହିଁ। ତାଙ୍କର ଅସଲ ଚେହେରା ପଦାରେ ପଡ଼ିଛି। ବିଶିଷ୍ଟ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକରେ ଏସବୁ କଥା ବିସ୍ତତ ଭାବେ ଲେଖାଯାଇଛି। ଏହି ଭ୍ରଷ୍ଟ ସରକାରଙ୍କ ପତନ ଅବଶ୍ୟମ୍ଭାବୀ। ସ୍ୱାଧୀନତାକୁ କେବଳ ସମ୍ବିଧାନ ମଧ୍ୟରେ ସୀମିତ ରଖାନଯାଉ। ପ୍ରତ୍ୟେକ ଓଡ଼ିଆ ନିଜର ହକ୍ ହାସଲ ପାଇଁ ଆଗେଇ ଆସିବାକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତିି ଯେ ନିର୍ବାଚନ ପୂର୍ବରୁ ଲୋକଙ୍କୁ ପ୍ରତିଶ୍ରୁତିର ପାହାଡ଼ ତଳେ ପୋତି ନିର୍ବାଚନ ପରେ ସେମାନଙ୍କ ମୌଳିକ ସମସ୍ୟା କଥା ଭୁଲିଯାଉଥିବା ନବୀନ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି। ରାଜ୍ୟର ଲକ୍ଷାଧିକ ଶିକ୍ଷିତ ଯୁବକ ଯୁବତୀ ବେକାର। ଶିକ୍ଷା, ସ୍ୱାସ୍ଥ୍ୟସେବା, ଶିଶୁ ବିକାଶ, ବିଦ୍ୟୁତ୍ ଯୋଗାଣରେ ଘୋର ଅବ୍ୟବସ୍ଥା ଲାଗି ରହିଛି। ଚାଷୀମାନେ ଆତ୍ମହତ୍ୟା କରୁଛନ୍ତିି। ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନ୍ୟ ରାଜ୍ୟ, ଦେଶବିଦେଶ ଯାଇ ପୁଞ୍ଜିପତିଙ୍କୁ ଆକୃଷ୍ଟ କରୁଛନ୍ତି। କିନ୍ତୁ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ପ୍ରୋତ୍ସାହନ ଅଭାବରୁ ମରିହଜି ଗଲେଣି। ସୁରଟ୍ ଲୁଗାକଳ ହେଉ ବା ଦେଶବିଦେଶର ବିଭିନ୍ନ ସ୍ଥାନରେ ରାଜ୍ୟର ଲୋକେ କାମଧନ୍ଦା କରିବାକୁ ଯାଇ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଓଡ଼ିଶାରେ ସ୍ଥାପିତ ବୃହତ୍ ଶିଳ୍ପ, ଖଣି ଆଦିରେ କେତେଜଣ ଓଡ଼ିଆ ନିଯୁକ୍ତି ପାଇଛନ୍ତି ତା’ର ସରକାର ଦେବାକୁ ପିସିସି ସଭାପତି ଦାବି କରିଛନ୍ତି।