ବ୍ୟବସ୍ଥାକୁ ଦୁର୍ବଳ କରି ନିଜକୁ ସବଳ କରୁଛି ବିଜେଡି: ନିରଞ୍ଜନ ପଟ୍ଟନାୟକ

ଭୁବ‌େନଶ୍ବର : ରାଜ୍ୟର ବିଜେଡି ସରକାର ନିଜର ସ୍ଥିତିରକ୍ଷା ପାଇଁ ସବୁ ନୀତି, ନିୟମ, ଆଦର୍ଶକୁ ଜଳାଞ୍ଜଳି ଦେବାରେ ଲାଗିଛି। ଜନକଲ୍ୟାଣ ପାଇଁ ରହିଥିବା ବ୍ୟବସ୍ଥା ପ୍ରତି ଚରମ ଅବହେଳା କରି ବିଜେଡି ସଙ୍ଗଠନକୁ ସୁଦୃଢ କରିବା ସକାଶେ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଉଦାହରଣ ଦେଇ କହିଛନ୍ତି ଯେ, ବିଜେଡି ପକ୍ଷରୁ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ତିନି ବର୍ଷ ପୂରଣ ହେବା ପୂର୍ବରୁ ତାଙ୍କୁ ସେଠାରୁ ଅବ୍ୟାହତି ଦେଇ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ କରାଯାଇଛି। ସେହିପରି ରାଜ୍ୟ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଦାୟିତ୍ବ ଦିଆଯାଇଥିଲା। ତାଙ୍କୁ ସେଠାରୁ ଅପସାରଣ କରି ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ କରାଯାଇଛି। ରାଜ୍ୟ କୋଠାବାଡ଼ି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିବା ସୁବାସ ସିଂହଙ୍କ କାର୍ଯ୍ୟକାଳ ୭ମାସ ହେଲା ଶେଷ ହୋଇଥିଲେ ହେଁ ସେଠାରେ ଆଉ କାହାକୁ ନିଯୁକ୍ତି ଦିଆଯାଉନି।

କେବଳ ଏତିକି ନୁହେଁ ଲୋକପାଳ ଗଠନ ଦିଗରେ ବିଜେଡି ସରକାର ଆଦୌ ଆନ୍ତରିକତା ଦେଖାଉନି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ସତ୍ତ୍ବେ ଏହି ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି। ବିଜେଡି ସରକାରର କାର୍ଯ୍ୟଶୈଳୀ ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ଉପହାସ ଭଳି ହେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହାସହ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିକାଶର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ସମୟରେ ଶିଶୁ ବିକାଶ ଯୋଜନା ପ୍ରହସନରେ ପରିଣତ ହୋଇଛି। ଛାତ୍ରଛାତ୍ରୀଙ୍କୁ ପୋଷାକ, ସାଇକେଲ୍‌, ଲାପଟପ୍ ବାଣ୍ଟି ପ୍ରଶଂସା ଗୋଟାଇବାକୁ ଚେଷ୍ଟା କରୁଥିବା ବିଜେଡି ସରକାର ତୃଣମୂଳସ୍ତର ପ୍ରତି ଆଖି ବୁଜି ଦେଇଛି। ରାଜ୍ୟରେ ପ୍ରାୟ ୭୧ହଜାର ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ଅଧାରୁ ଅଧିକର ନିଜସ୍ବ ଗୃହ ନାହିଁ। କେଉଁଠି ଭଡ଼ା ଘରେ ଚାଲିଛି ତ କେଉଁଠି କାହା ଘର ବାରଣ୍ଡାରେ, ମନ୍ଦିର, ଖୋଲାସ୍ଥାନରେ ଚାଲିଛି। ପିଲା ହେଉନଥିବା କହି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଉଛି। ଏଥିରୁ ପ୍ରାଥମିକ ଶିକ୍ଷା ପ୍ରତି ସରକାର କେତେ ଯତ୍ନବାନ ଜଣାପଡ଼ୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର