ଭୋଟ ସାଉଁଟିବାକୁ ସରକାରୀ ପାଣ୍ଠି ବାଣ୍ଟିଲେ: ନିରଂଜନ

ଭୁବନେଶ୍ୱର : ଭୋଟ୍‌ ପାଇବା ପାଇଁ ରାଜ୍ୟର କ୍ଷମତାସୀନ ବି‌େଜଡି ସରକାର ସରକାରୀ ପାଣ୍ଠିର ଅପବ୍ୟବହାର କରିବାକୁ ମଧ୍ୟ ପଛାଉନି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏକ େପ୍ରସ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, କୃଷକ ଓ କୃଷି ଶ୍ରମିକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜ୍ୟ ସରକାର ତରବରିଆ ଭାବେ ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା ଘୋଷଣା କଲେ। ସରକାରଙ୍କ ନିକଟରେ ଘୋର ଅର୍ଥାଭାବ ରହିଥିବାବେଳେ ଏହି ଯୋଜନା ପାଇଁ ଜରୁରୀକାଳୀନ ପାଣ୍ଠିରେ ଥିବା ଅର୍ଥକୁ ମଧ୍ୟ ଦୁରୁପଯୋଗ କଲେ। ଏପରିକି ଜରୁରୀକାଳୀନ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୭୬୪‌େକାଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୫୧୦କୋଟି ଉଠାଇଲେ। ଫଳରେ ଚାଷୀଙ୍କୁ ବନ୍ୟା, ବାତ୍ୟା, ମରୁଡି ଭଳି ପରିସ୍ଥିତିରେ ଜରୁରୀକାଳୀନ ସହାୟତା ଦେବାରେ ବିଫଳ ହେଉଥିବା ନବୀନ ସରକାରଙ୍କ ଅସଲ ଚେହେରା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

ରାଜ୍ୟ ପ୍ରାୟ ୯୫ ହଜାର କୋଟି ଟଙ୍କା ଋଣ ଭାରରେ ବୁଡ଼ି ଦେବାଳିଆ ପରିସ୍ଥିତି ଦେଇ ଗତି କରୁଥିବାବେଳେ ଭୋଟରଙ୍କୁ ଟଙ୍କା ଲୋଭ ଦେଖାଇ ନିର୍ବାଚନ ବୈତରଣୀ ପାର ହେବାପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଅଣ୍ଟିରେ ନାହିଁ ଧନ, ପୁଅ ବାହା କରିବାକୁ ମନ ନ୍ୟାୟରେ ସରକାର ଏହି ଯୋଜନାରେ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଟଙ୍କା ବାଣ୍ଟିବା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପାଣ୍ଠିରୁ ଦୁଇଥର ଟଙ୍କା ଉଠାଇଛନ୍ତି। କେବଳ ସେତିକି ନୁହେଁ, କୃଷକ କଲ୍ୟାଣ ପାଣ୍ଠିରୁ ମଧ୍ୟ ୨୫୦ କୋଟି ଟଙ୍କା ନିଆଯାଇ ‘କାଳିଆ’ ଯୋଜନାରେ ବଣ୍ଟାଯାଇଛି । ୩୨ଟି ବିଭିନ୍ନ ସରକାରୀ ବିଭାଗ ପାଇଁ ବଜେଟରେ ଯେତିକି ବ୍ୟୟ ବରାଦ କରାଯାଇଥିଲା ତାହାକୁ ହ୍ରାସ କରାଯାଇ ସଥିରୁ ୬୨୨ କୋଟି ଟଙ୍କା ‘କାଳିଆ’ ଯୋଜନା ପାଇଁ ନିଆଯାଇଛି । ପୂର୍ବରୁ ନିର୍ବାଚନ ସମୟରେ ବିଜୁ ଜନତା ଦଳ ଭୋଟରଙ୍କୁ ଟଙ୍କା ବାଣ୍ଟି ଭୋଟ ମାଗୁଥିବା ଅଭିଯୋଗ ହେଉଥିଲା । ଏଥର କିନ୍ତୁ ସରକାରୀ ଭାବେ ସରକାରୀ ପାଣ୍ଠିକୁ ଭୋଟରଙ୍କ ମଧ୍ୟରେ ବାଣ୍ଟି ନିର୍ବାଚନ ଜିତିବାର ଅପଚେଷ୍ଟା କରାଯାଉଛି, ଯାହା କେବେ ରାଜନୈତିକ ଇତିହାସରେ ଦେଖିବାକୁ ମିଳିନଥିଲା । ରାଜ୍ୟ ସରକାରଙ୍କ ଦେଖାଦେଖି କେନ୍ଦ୍ରର ବିଜେପି ସରକାର ମଧ୍ୟ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ଲଦି ଦେଇ ସରକାରୀ ରାଜକୋଷ ଭରଣା କରାଯାଉଥିବାବେଳେ ସେହି ଅର୍ଥକୁ ବାଣ୍ଟି ଭୋଟ ପାଇବାର ଯେଭଳି ଅପଚେଷ୍ଟା କରାଯାଉଛି, ଓଡ଼ିଶାର ଜନସାଧାରଣ ସେଥିରୁ ବିଜେଡି ଓ ବିଜେପିର ପ୍ରକୃତ ଉଦ୍ଦେଶ୍ୟ ବୁଝିବା ଦରକାର ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର