ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଦେଖାଦେଇଛି ନେତାଙ୍କ ବିଦ୍ରୋହ । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଉଭୟ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ସେପଟେ ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି ପିସିସି । ଆଜି ପିସିସି ସଭାପତି କହିଛନ୍ତି, ବିଜେଡି ଭୟଭୀତ ହୋଇ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଉଛିି ।

Advertisment

publive-image

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କ ବିଦ୍ରୋହକୁ ନେଇ ଅଡୁଆରେ ପଡିଯାଇଛି ରାଜ୍ୟ କଂଗ୍ରେସ । ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ପିସିସି ସଭାପତି । ସେପଟେ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଉଭୟ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଯୋଗେଶ । ହେଲେ ଶୃଙ୍ଖଳାଗତ କମିଟିର ନିଷ୍ପତ୍ତି ଉପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କାରଣ ଦର୍ଶାଅ ନୋଟିସ ନକରି ତାଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଦେଶର ଜଣେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବାରେ ଭୁଲ କୋଉଠି ରହିଲା ବୋଲି ସେ ପ୍ରଶ୍ନ କରୁଛନ୍ତି । କାରଣ ପୂର୍ବରୁ ୟୁପିଏ ସରକାର ସମୟରେ ଅନେକ ମନ୍ତ୍ରୀ ଓଡିଶା ଆସି ନବୀନଙ୍କୁ ପ୍ରଂଶସା କରିଛନ୍ତି ।

publive-image

ଦଳବଦଳ ଆଭିମୁଖ୍ୟ ସହ ବାହାରେ ବୟାନ ରଖୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପିସିସି ସଭାପତି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଆଉ ସେହି କ୍ରମରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଟିକେଟ୍ କଟିବା ସମ୍ଭାବନା ବଢିଯାଇଛି । କାରଣ ନିରଞ୍ଜନ କହିଛନ୍ତି କୃଷ୍ଣ ସଗରିଆ ତାଙ୍କ ଆଚରଣରେ ପରିବର୍ତନ ଆଣିଲେ ତାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ଦିଆଯିବା ନେଇ ଚିନ୍ତା କରାଯିବ ।

ଗୋଟିଏ ପଟେ ନିଜ ଦଳର ବିଶୃଙ୍ଖଳ ନେତାଙ୍କ ବିରୋଧରେ କଡା ଆଭିମୁଖ୍ୟ ରଖିଛନ୍ତି ନିରଞ୍ଜନ । ଅନ୍ୟପକ୍ଷରେ ବିଜେଡିକୁ ବି ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ବିଜେଡି ଭୟଭୀତ ହୋଇ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଉଥିବା ଅଭିଯୋଗ ଆଣିଛନ୍ତି । ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ସୁର ରାଉତରାୟଙ୍କ ମତ ହେଲା, ନିର୍ବାଚନ ଆସିଲେ ନେତା ଦଳ ଛାଡିବା କଂଗ୍ରେସର ପୁରୁଣା ରୋଗ । ସେପଟେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ଆହୁରି ଅନେକ କଂଗ୍ରେସ ଓ ବିଜେପି ନେତା ବିଜେଡି ଆଡକୁ ମୁହାଁଇବେ ।