ନୀତୀଶ କୁମାର: ବିଧାନସଭା ନିର୍ବାଚନରେ ନ ଜିତି ବି ୧୫ ବର୍ଷର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ସଂପ୍ରତି ଦେଶରେ ବଦଳିଯାଇଛି ରାଜନୀତିର ଟ୍ରେଣ୍ଡ। ଆଗରୁ ଲୋକେ ରାଜନୀତିରେ ଭାଗ୍ୟ ପରୀକ୍ଷା କରି ବିଫଳ ହେବା ପରେ ସନ୍ୟାସ ନେଉଥିଲେ । ହେଲେ ଏବେ ଓଲଟା। ସନ୍ୟାସ ନେବାରେ ବିଫଳ ହେବା ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଆମର ନେତା। ଆମେ ଏ କଥା ଏଇଥି ପାଇଁ କହୁଛୁ ଯେ ଏବେ ବିହାରରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିହାର ରାଜନୀତିରେ ଏବେ ୨ ଟି ଚେହେରା ସାମ୍ନାକୁ ଆସୁଛି। ଗୋଟିଏ ନୀତୀଶ କୁମାର ଓ ଅନ୍ୟ ଜଣେ ଲାଲୁ ଯାଦବ । ଲାଲୁଙ୍କ ରାଜନୈତିକ କ୍ୟାରିଅର ଶେଷ ହେବା ଭଳି ଲାଗୁଥିବା ବେଳେ ତାଙ୍କ ଦଳର ମଙ୍ଗ ସମ୍ଭାଳୁଛନ୍ତି ତାଙ୍କ ପୁଅ ତେଜସ୍ୱୀ ଯାଦବ । ହେଲେ ନୀତୀଶ ଏବେ ବି ଫୁଲ୍‌ ସକ୍ରିୟ ।

ନୀତୀଶ କୁମାର ପ୍ରଥମ ଥର ୨୦୦୬ ରେ ବିଧାନ ପରିଷଦର ସଦ୍ୟ ହୋଇଥିଲେ ।  ହେଲେ ତାଙ୍କ ରାଜନୈତିକ ଜୀବନ ୧୯୭୭ ମସିହାରେ ଆରମ୍ଭ ହୋଇଥିଲା । ସେ ୧୯୭୭ ରେ ବିହାର ନାଳନ୍ଦା ଜିଲ୍ଲାର ହରନୌତ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା ଓ ସେ ଜନତା ପାର୍ଟିରୁ ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ଜନତା ପାର୍ଟି ୨୧୪ ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୯୭ ଟି ଆସନରେ ପରାଜୟ ସ୍ୱୀକାର କରିଥିଲା । ଏହି ୯୭ ଟି ଆସନ ମଧ୍ୟରେ ଥିଲା ନୀତୀଶ କୁମାରଙ୍କ ହରନୌତ ଆସନ । ହେଲେ ସେହି ନୀତୀଶ କୁମାର ପରେ କେନ୍ଦ୍ରମନ୍ତ୍ରୀ ଓ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରି ଥିଲେ ।

ପ୍ରଥମ ନିର୍ବାଚନରେ ନୀତୀଶଙ୍କୁ ଯିଏ ହରାଇ ଥିଲା ସେ ହେଉଛନ୍ତି ଭୋଲା ପ୍ରସାଦ ସିଂ । ଯାହାଙ୍କର କି ନୀତୀଶଙ୍କ ସହ ଭଲ ସଂପର୍କ ଥିଲା । ସିଏ ବାମଦଳ ସମର୍ଥନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ନୀତୀଶ କୁମାର ପ୍ରଥମ ପରାଜୟକୁ ଭୁଲି ୧୯୮୦ ରେ ପୁଣିଥିରେ ସେହି ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢିଲେ । ଏଥର ଜନତା ଦଳରୁ ନୁହେଁ; ବରଂ ସଂଯୁକ୍ତ ଜନତାଦଳ ଟିକେଟରେ । ଏଥର ବି ପୁଣି ପରାଜୟ । ଏଥର କିନ୍ତୁ ତାଙ୍କୁ ଜଣେ ସ୍ୱାଧୀନ ପ୍ରାର୍ଥୀ ହରାଇ ଦେଇଥିଲେ । ଯାହାଙ୍କ ନାମ ଥିଲା ଅରୁଣ କୁମାର ସିଂ । ଅରୁଣଙ୍କୁ ଭୋଲା ସିଂ ସମର୍ଥନ ଦେଇଥିଲେ ।

ଏହି ଦ୍ବିତୀୟ ପରାଜୟ ପରେ ନୀତୀଶ କୁମାର ପୂରା ହତୋତ୍ସାହିତ ହୋଇପଡିଥିଲେ । ରାଜନୀତିରେ ଆଉ ତାଙ୍କର ଜିତ୍ କେବେ ବି ହୋଇ ପାରିବ ନାହିଁ, ଏମିତି ମନେ କରି ସେ ଠିକାଦାରୀ କରିବାକୁ ମନବଳାଇଲେ । କାରଣ ଥିଲା ଆର୍ଥିକ ଅନଟନ । ୧୯୮୦ ନିର୍ବାଚନ ହାରିବା ବେଳକୁ ନୀତୀଶ ୭ ବର୍ଷ ତଳୁ ବିଶ୍ୱବିଦ୍ୟାଳୟରୁ ପାଠ ପଢା ସାରିଥିଲେ । ଏହା ମଧ୍ୟରେ ତାଙ୍କର ବିବାହ ବି ହୋଇ ସାରିଥିଲା । ହେଲେ ସେ କେବେ ବି ରୋଜଗାର କରି ଘରକୁ ଟଙ୍କା ଦେଇପାରି ନଥିଲେ । ଏହି ସମୟରେ ସେ କହିଥିଲେ କି କିଛି ବି କରିବାକୁ ପଡିବ । ଏମିତି ଜୀବନ କେମିତି ଚାଲିବ ? ହେଲେ ସେ ରାଜନୀତି ଛାଡିପାରି ନଥିଲେ !

ବାରମ୍ବାର ହାରିବା ପରେ ପୁଣି ୧୯୮୫ ରେ ସେ ତୃତୀୟଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ହେଲେ ଏଥର ଲୋକଦଳରୁ ଟିକେଟ୍ ହାତେଇଥିଲେ । ଏହି ନିର୍ବାଚନରେ ନୀତୀଶ କୁମାର ୨୧ ହଜାର ଭୋଟରେ ଜିତିଥିଲେ । ସେ କଂଗ୍ରେସର ବ୍ରିଜ୍‌ନନ୍ଦନ ପ୍ରସାଦ ସିଂଙ୍କୁ ହରାଇଥିଲେ । ନୀତୀଶ କୂମାର ୧୯୮୫ରେ ଶେଷଥର ପାଇଁ ବିଧାନସଭା ନିର୍ବାଚନ ଲଢିଥିଲେ । ଏହା ପରେ ୧୯୮୬ ରେ ସେ ଇସ୍ତଫା ଦେଇ ଲୋକସଭା ନିର୍ବାଚନ ଲଢିଥିଲେ । ହେଲେ ଏଥିରେ ବି ତାଙ୍କୁ ପରାଜୟ ର ମୁହଁ ଦେଖିବାକୁ ପଡିଥିଲା।

୧୯୮୫ରେ ପ୍ରଥମେ ବିଧାୟକ ଭାବେ ବିଧାନସଭା ପହଂଚିଥିବା ନୀତୀଶ ପରେ ୧୯୮୯ ଲୋକସଭା ନିର୍ବାଚନରେ ଏକ ବଡ ବିଜୟ ସହ ଲୋକସଭାରେ ସାଂସଦ ଭାବେ ପହଂଚିଯାଇଥିଲେ । ଏହାପରେ ୧୯୯୧ ରୁ ଲଗାତର ୬ ଥର ଲୋକସଭା ସାଂସଦ ଭାବେ ବିଜୟଲାଭ କରିଥିଲେ । ନୀତୀଶ ୨୦୦୪ ରେ ଶେଷଥର ପାଇଁ ଲୋକସଭା ନିର୍ବାଚନ ଲଢିଥିଲେ । ୨୦୦୪ ରେ ସେ ବାଡ୍ ଓ ନାଳନ୍ଦା ୨ ଟି ଲୋକସଭାରୁ ନିର୍ବାଚନ ଲଢିଥିଲେ । ବାଡ୍ ରୁ ସେ ହାରି ଯାଇଥିବା ବେଳେ ନାଳନ୍ଦାରୁ ବିଜୟଲାଭ କରିଥିଲେ । ଏହା ନୀତୀଶ କୁମାରଙ୍କର ଶେଷ ନିର୍ବାଚନ ଥିଲା । ଏହା ପରେ ସେ କୌଣସି ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି ।

୨୦୦୦ ମସିହା ବିଧାନସଭା ନିର୍ବାଚନରେ ବିହାରରେ କୌଣସି ପାର୍ଟି ବା ମେଣ୍ଟକୁ ବହୁମତ ମିଳି ନଥିଲା । ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନୀତୀଶ କୁମାର କୃଷିମନ୍ତ୍ରୀ ଥିଲେ । ନିର୍ବାଚନ ପରେ ବିଜେପି ସମର୍ଥନରେ ୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ହେଲେ ବହୁମତ ନମିଳିବାରୁ ୭ ଦିନ ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ ପଡିଲା । ଏହାପରେ ଲାଲୁଙ୍କ ପତ୍ନୀ ରାବିଡ ଦେବୀ ବିହାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ ।

ନୀତୀଶ କୁମାର ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନା ସେ ବିଧାନସଭାର ସଦସ୍ୟ ଥିଲେ ନା ବିଧାନ ପରିଷଦର । ୨୦୦୫ ମସିହା ନଭେମ୍ବର ମାସରେ ନୀତୀଶ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଏଥର ବିଜେପି ଓ ଜେଡିୟୁ ପାଖରେ ବହୁମତ ଥିଲା । ମୁଖ୍ୟମନ୍ତ୍ରୀ ଥାଇ ୨୦୦୬ ରେ ବିଧାନପରିଷଦର ସଦସ୍ୟ ହୋଇଥିଲେ ।

୨୦୦୫ ରୁ ନେଇ ଆଜିଯାଏ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । କହିରଖୁ କି ୨୦୧୪ ଫେବୃଆରୀରୁ ୨୦୧୫ ମଧ୍ୟରେ ଏକ ଘଟଣା ଚକ୍ରରେ ଜୀତନ ରାମ ମାଂଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୮ ରେ ନିତୀଶ ତୃତୀୟ ଥର ପାଇଁ ବିଧାନପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୯୫ ମସିହା ଠାରୁ କୌଣସି ବିଧାନସଭା ନିର୍ବାଚନ ଲଢି ନାହାନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି କି ସେ କୌଣସି ଗୋଟିଏ ଆସନ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁ ନାହାନ୍ତି । କାରଣ ସେ ରାଜ୍ୟର ସମସ୍ତ ଆସନର ବିକାଶକୁ ପ୍ରାଧାନ୍ୟ ଦେବାକୁ ଚାହାନ୍ତି ।

ସମ୍ବନ୍ଧିତ ଖବର