ବିହାରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି : ୯୪ ଆସନରେ ଭୋଟ୍ ନିର୍ଣ୍ଣୟ କରିପାରେ କିଏ ହେବ‌େ ବିହାରର ମୁଖ୍ୟମନ୍ତ୍ରୀ? ନୀତୀଶ ନା ତେଜସ୍ବୀ ??

ନୂଆଦିଲ୍ଲୀ: ନୀତୀଶ କୁମାର ପୁଣି ବିହାରର ମୁଖ୍ୟମନ୍ତ୍ରୀ ହେବେ ନା, ତେଜସ୍ବୀ ଯାଦବ ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ତାହା ମୁଖ୍ୟତଃ ନିର୍ଭର କରୁଛି ଦ୍ବିତୀୟ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ଉପରେ। ଏହି ପର୍ଯ୍ୟାୟ ନିର୍ଣ୍ଣୟ କରିପାରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ନୀତୀଶ ନା ତେଜସ୍ବୀ??

ନଭେମ୍ବର ୩ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନରେ ୧୭ଟି ଜିଲ୍ଲାରୁ ୯୪ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଅକ୍ଟୋବର ୨୮ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୬ଟି ଜିଲ୍ଲାରେ ସମୁଦାୟ ୭୧ଟି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯାଇଥିଲା।

ତେଣୁ, ଆସନ୍ତାକାଲିର ମତଦାନରେ ୨୪୩ ସଦସ୍ୟବିଶିଷ୍ଟ ବିହାର ବିଧାନସଭାର ଦୁଇ ତୃତୀୟାଂଶ ସଦସ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଯିବ। ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ମଧ୍ୟ ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନରୁ ସ୍ଥିର ହେବାର ସମ୍ଭାବନା ଅଧିକ। ଏଥିସହ, ନଭେମ୍ବର ୭ ତାରିଖରେ ହେବାକୁ ଥିବା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କେବଳ ପରବର୍ତ୍ତୀ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଥିବା ଆସନର ଦୂରତ୍ବ ବୃଦ୍ଧି କରିବ।

ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନରେ ୫୪% ମତଦାନ ହୋଇଥିବା ଘଟଣା ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ବିସ୍ମିତ କରିଛି। ବିହାରରେ ସାଧାରଣତଃ ମତଦାନ ପ୍ରତିଶତ ଅଧିକ ନ ହେଉଥିବା ବେଳେ କରୋନାଭାଇରସ୍‌ ସମୟରେ ଏଭଳି ହେବା ବିସ୍ମୟର କଥା ନିଶ୍ଚୟ।

Image Courtesy of India Today

ତେଣୁ, ନୀତିଶ କୁମାରଙ୍କ ନେତୃତ୍ବାଧୀନ ‘ଏନ୍‌ଡିଏ’ ବିପକ୍ଷରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚଳାଇଥିବା ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନର ଗୁରୁତ୍ବ ରହିଛି। ନିକଟରେ ହୋଇଥିବା ରାଲିମାନଙ୍କରେ ତେଜସ୍ବୀ ଅଧିକ ଜନତାଙ୍କୁ ଆକୃଷ୍ଟ କରିଥିଲେ। ଅବଶ୍ୟ ସାମାଜିକ ଗଣମାଧ୍ୟମରେ ଉତ୍ତମ ଭିଜୁଆଲ୍‌ ଲାଗି ‘ଆର୍‌ଜେଡି’ କୌଶଳ କରି ତେଜସ୍ବୀ ଯାଦବଙ୍କ ପାଇଁ ଛୋଟ ଛୋଟ କ୍ଷେତ୍ର ବାଛିଥିଲା।

ବିହାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ୯୪ଟି ଆସନରୁ ‘ଆର୍‌ଜେଡି’ ୫୬ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛି। ଅନ୍ୟପକ୍ଷରେ ୨୭ଟି ଆସନରେ ବିଜେପି, ୨୪ଟି ଆସନରେ ‘ଜେଡିୟୁ’ ଏବଂ ବାକି ୫ଟି ଆସନରେ ‘ଏନ୍‌ଡିଏ’ର ‘ଭିଆଇପି’ ପ୍ରାର୍ଥୀଙ୍କମାନଙ୍କର ସମ୍ମୁଖୀନ ହେଉଛି ଆରଜେଡି।

ସେହିଭଳି, ଦ୍ବିତୀୟ ପର୍ଯ୍ୟାୟରେ ‘ବିଜେପି’ ସମୁଦାୟ ୪୬ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ବାକି ୪୩ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ‌‘ଜେଡିୟୁ’ର ପ୍ରାର୍ଥୀ।

୧୦୧୫ ନିର୍ବାଚନରେ ଏହି ୯୪ଟି ଆସନରୁ ୪୨ଟିରେ ପ୍ରତିଦ୍ବନ୍ଦ୍ବିତା କରି ‘ଆର୍‌ଜେଡି’ ୩୩ଟି ଆସନରେ ବିଜୟୀ ହୋଇଥିଲା। ନୀତୀଶ କୁମାରଙ୍କ ‌‘ଜେଡିୟୁ’ ୪୧ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରି ୩୦ଟି ଆସନରେ ଜିଣିଥିଲା। କିନ୍ତୁ, ପାଞ୍ଚ ବର୍ଷ ତଳେ ନୀତିଶଙ୍କ ‘ଜେଡିୟୁ’ ମହାଗଠବନ୍ଧନ ଆଡ଼କୁ ଅଧିକ ଢଳିଯାଇଥିବାରୁ ପୂର୍ବ ନିର୍ବାଚନର ଏ ବର୍ଷ ନିର୍ବାଚନ ସହ କୌଣସି ପ୍ରାସଙ୍ଗିକତା ନ ଥିବା ପରି ଜଣାପଡୁଛି।

ସମ୍ବନ୍ଧିତ ଖବର