୨୪ରେ ବିଜେପିରେ ଯୋଗଦେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଲେ ବୈଜୟନ୍ତ

ଭୁବନେଶ୍ବର : ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି । କଟକ ଗୋପାଳପୁର ପ୍ରିମିୟର ଲିଗରେ ଅତିଥି ଭାବେ ଯୋଗଦେଇଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖି ବୈଜୟନ୍ତ କହିଛନ୍ତି, ‘ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ମୋର ବିଜେପିରେ ମିଶିବାର ନାହିଁ । ଏ ନେଇ ଯାହା ସବୁ ଆଲୋଚନା ହେଉଛି ତାହା କେବଳ ଚର୍ଚ୍ଚା।’

‘ମୁଁ ଓଡ଼ିଶାରେ ପରିବର୍ତନ ଆଣିବାକୁ ଚାହୁଁଛି । ଏହି ସ୍ୱର ଉଠାଇବାରୁ ମତେ ଦଣ୍ଡ ଦିଆଗଲା । ନିର୍ବାଚନ ଲଢିବା ପାଇଁ କିଛି ନିଷ୍ପତ୍ତି ନେଇନାହିଁ,  ଯଦି ଲୋକେ ଚାହିଁବେ ତେବେ ନିଶ୍ଚୟ ଲଢିବି ବୋଲି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି ।

ଅନ୍ୟପକ୍ଷରେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଗୋପସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ କିପରି ଅଧିକ ସଂଖ୍ୟକ ବିଜେପି କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେବେ ସେ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତଙ୍କ ବିଜେପିରେ ଯୋଗ ଦେବା ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଏଭଳି କୌଣସି ଯୋଜନା ନାହିଁ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଥିଲେ।

ଉଲ୍ଲେଖ ଥାଉ କି, ଓଡିଶା ଓ ପଶ୍ଚିମବଙ୍ଗର କ୍ରାନ୍ତୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ମୋହନ ଭାଗବତ ଓଡିଶା ଆସିଥିଲେ । ଏହି ସମୟରେ ବୈଜୟନ୍ତଙ୍କ ପତ୍ନୀ ମୋହନ ଭାଗବତଙ୍କ ସହ ଆଲୋଚନା କରିଥିଲେ । ତେବେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ପଣ୍ଡା ଭେଟିବା ପରେ ବୈଜୟନ୍ତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସମ୍ବନ୍ଧିତ ଖବର