ତ୍ରିପୁରାରେ ଭୁଶୁଡ଼ିଲା ବାମ ଦୁର୍ଗ
ମେଘାଳୟରେ ଝୁଲା ବିଧାନସଭା
ନାଗାଲାଣ୍ଡ ଦଖଲ ଲକ୍ଷ୍ୟରେ ବିଜେପି

Advertisment

ନୂଆଦିଲ୍ଲୀ : ତ୍ରିପୁରାରେ ଐତିହାସିକ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯାଉଛି ବିଜେପି। ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ଶାସନ ଚଳାଇଥିବା ବାମପନ୍ଥୀ ସିପିଏମ୍‌କୁ ଏହା ପରାସ୍ତ କରିଛି। ସେହିଭଳି ନାଗାଲାଣ୍ଡରେ ବିଜେପି ମେଣ୍ଟ ସରକାର ସମ୍ଭାବନା ଦେଖାଦେଇଥିବା ବେଳେ ମେଘାଳୟରେ କୌଣସି ନିର୍ଦିଷ୍ଟ ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିନାହିଁ। ରାଜ୍ୟରେ କଂଗ୍ରେସ ସର୍ବାଧିକ ଆସନ ହାସଲ କରିଥିଲେ ମଧ୍ୟ ଅନ୍ୟ ଦଳ ସହିତ ମେଣ୍ଟ କରି ସରକାର ଗଠନ କରିବାକୁ ଉଦ୍ୟମ ଚଳାଇଛି ବିଜେପି। ଏହାସହିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଦଖଲ ପାଇଁ ବିଜେପିର ସ୍ୱପ୍ନ ସାକାର ହେବାକୁ ଯାଉଛି। ମେଘାଳୟ ଓ ମିଜୋରାମକୁ ଛାଡ଼ିଦେଲେ ଅନ୍ୟ ୬ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବେ ବିଜେପି ଦଖଲରେ। ଆଜିର ଏହି ବିଜୟ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାରେ ବିଜେପିକୁ ଉତ୍ସାହିତ କରିବ ବୋଲି କୁହାଯାଉଛି।

ଉପରୋକ୍ତ ତିନିଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବା ପରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ରାଜନୀତିରେ ଏଭଳି ନୂଆ ଚିତ୍ର ଦେଖିବାକୁ ମିଳିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ମେଣ୍ଟ ୪୩ଟି ଆସନ ଦଖଲ କରି ସରକାର ଗଢ଼ିିବାକୁ ଯାଉଥିବା ବେଳେ ସିପିଏମ୍‌କୁ ମାତ୍ର ୧୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କଂଗ୍ରେସ ଏଠାରେ ଗୋଟିଏ ବି ଆସନ ପାଇପାରିନାହିଁ। ସେହିପରି ନାଗାଲାଣ୍ଡରେ ମୋଟ ୬୦ଟି ଆସନରୁ ବିଜେପି ଓ ସହଯୋଗୀ ଦଳ ଏନ୍‌ଡିପିପିକୁ ୨୯ଟି ଆସନ ମିଳିିଛି। ମେଣ୍ଟର ମୁଖ୍ୟ ବିରୋଧୀ ଏନପିଏଫକୁ ମଧ୍ୟ ମିଳିଛି ୨୯ଟି ଆସନ।

୨୦୧୩ ବିଧାନସଭା ନିର୍ବାଚନରେ ୮ଟି ଆସନ ହାତେଇଥିବା କଂଗ୍ରେସକୁ ଏଥର ଖାଲିହାତ ଦେଖିବାକୁ ମିଳିଛି। ଏହି ଦୁଇଟି ରାଜ୍ୟରେ କଂଗ୍ରେସ ଖାତା ଖୋଲି ପାରିନାହିଁ।

ଅପରପକ୍ଷେ, ମେଘାଳୟରେ ୫୯ଟି ଆସନରୁ ଶାସକ କଂଗ୍ରେସ ଦଳକୁ ୨୧ଟି ଆସନ ମିଳିଥିବା ବେଳେ ଏନ୍‌ପିପି ୧୯ଟି ଆସନ ପାଇଛି। ଫଳରେ ସେଠାରେ ମେଣ୍ଟ ସରକାର ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମେଘାଳୟରେ ବିଜେପିକୁ ଆଶାତୀତ ଫଳାଫଳ ମିଳିପାରିନଥିଲେ ହେଁ ଗତ ନିର୍ବାଚନରେ ଖାତା ଖୋଲି ପାରି ନଥିବା ବିଜେପି ଏଥର ୨ଟି ଆସନ ଦଖଲ କରିପାରିଛି। ସେହିପରି ୧୭ଟି ଆସନ ହାସଲ କରିଥିବା ଅନ୍ୟମାନଙ୍କ ଗୁରୁତ୍ୱ ଏବେ ବଢ଼ିଯାଇଛି। ମ୍ୟାଜିକ୍‌ ନମ୍ବର ୩୧ ହାସଲ କରିବାକୁ କଂଗ୍ରେସ କିମ୍ବା ଏନ୍‌ପିପି ସେମାନଙ୍କ ସହ ମେଣ୍ଟ କରିବା ଥୟ। ଏଠାରେ ମଧ୍ୟ ବିଜେପି ଅନ୍ୟ ଦଳଙ୍କ ସହ ମେଣ୍ଟ କରି ନିଜର ଅସ୍ତିତ୍ୱ ଜାହିର କରିବାକୁ ପ୍ରୟାସ ଜାରି ରଖିଛି।

ପୂର୍ବରୁ ମଣିପୁର ଓ ଗୋଆ ନିର୍ବାଚନରେ ବିଜେପି ବହୁମତ ପାଇନଥିବା ସତ୍ତ୍ୱେ କଂଗ୍ରେସକୁ ପଛରେ ପକାଇ ଆଞ୍ଚଳିକ ଦଳଙ୍କ ସହିତ ଚତୁରତାର ସହ ମେଣ୍ଟ କରି ସରକାର ଗଢ଼ିଛି। ତେଣୁ ମେଘାଳୟରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।

ତେବେ ମେଘାଳୟରେ କଂଗ୍ରେସ ସରକାରକୁ ବଞ୍ଚାଇ ରଖିବା ଲାଗି କଂଗ୍ରେସର ଦୁଇ ବରିଷ୍ଠ ନେତା ଅହମ୍ମଦ ପଟେଲ ଏବଂ କମଳନାଥ ସିଲଂରେ ଯାଇ ପହଂଚିଛନ୍ତି। ବିଜେପି ମଧ୍ୟ ଏହାର ବରିଷ୍ଠ ନେତାଙ୍କୁ ପଠାଇଥିବା ଖବର ମିଳିଛି।

ତ୍ରିପୁରା ଦଖଲ ସହିତ ଦେଶର ୨୯ଟି ରାଜ୍ୟ ମଧ୍ୟରୁ ୨୧ଟି ରାଜ୍ୟ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ନିୟନ୍ତ୍ରଣରେ। ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସ ଶାସନ କେବଳ ୪ଟି ରାଜ୍ୟେରେ ସୀମିତ ହୋଇ ରହିଛି। ଏହି ୪ଟି ରାଜ୍ୟ ହେଲେ ପଞ୍ଜାବ, କର୍ଣ୍ଣାଟକ, ମେଘାଳୟ ଓ ମିଜୋରାମ। ଆଜିର ନିର୍ବାଚନ ପରେ ମେଘାଳୟରେ କଂଗ୍ରେସ ପାଇଁ ଅନିଶ୍ଚିିତା ସୃଷ୍ଟି ହୋଇଛି। ଭାରତୀୟ ରାଜନୀତିର ଇତିହାସରେ ଏହା ହେବ ପ୍ରଥମ ଘଟଣା ଯେଉଁଠାରେ କି ବିଜେପି ମେଣ୍ଟ ୨୧ଟି ରାଜ୍ୟରେ ଶାସନ କରିବ। ୨୪ ବର୍ଷ ପୂର୍ବେ କଂଗ୍ରେସ ୧୮ଟି ରାଜ୍ୟରେ ଶାସନକ୍ଷମତାରେ ରହି ରେକର୍ଡ ସୃଷ୍ଟି କରିଥିଲା। ୨୦୧୪ରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିବା ଦିନଠାରୁ ଅନେକ ରାଜ୍ୟରେ ଏହି ମେଣ୍ଟ କ୍ଷମତା ଦଖଲ କରି ଚାଲିଛି। ମହାରାଷ୍ଟ୍ର, ହରିଆଣା, ଉତ୍ତରାଖଣ୍ଡ, ଆସାମ, ଗୋଆ ଏବଂ ମଣିପୁରରେ କଂଗ୍ରେସକୁ ହଟାଇ କ୍ଷମତା ଦଖଲ କରିଛି। ଉତ୍ତର ପ୍ରଦେଶରେ ଏହା ସମାଜବାଦୀ ପାର୍ଟିକୁ କ୍ଷମତାଚ୍ୟୁତ କରିଛି। କିନ୍ତୁ ବିହାର, ପଶ୍ଚିମ ବଙ୍ଗ, ତାମିଲନାଡ଼ୁ ଏବଂ କେରଳରେ ଏହି ମେଣ୍ଟ ପ୍ରବେଶ କରି ପାରିନଥିଲା। ତେବେ ପରବର୍ତୀ ସମୟରେ ବିହାରରେ ନୀତୀଶ ଲାଲୁ ମେଣ୍ଟ ଭାଙ୍ଗି ବିଜେପି ନୀତୀଶଙ୍କ ସହ ହାତ ମିଳାଇ ସରକାର କରିଛି।