ରାହୁଲ ଗାନ୍ଧୀଙ୍କ ଅତି ନିକଟତର କୁହାଯାଉଥିବା ଏନଏସୟୁଆଇ ରାଷ୍ଟ୍ରୀୟ ପ୍ରଭାରୀ ରୁଚି ଗୁପ୍ତାଙ୍କ କଂଗ୍ରେସରୁ ଇସ୍ତଫା

ନୂଆଦିଲ୍ଲୀ: କଂଗ୍ରେସର ଛାତ୍ରଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ(ଏନଏସୟୁଆଇ) ରାଷ୍ଟ୍ରୀୟ ପ୍ରଭାରୀ ତଥା କଂଗ୍ରେସର ସଂଯୁକ୍ତ ସଚିବ ରୁଚି ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ କଂଗ୍ରେସ ନୂଆ ଅଧ୍ୟକ୍ଷ ଚୟନ କରିବା ସହ ଆହୁରି ଅନେକ ଗରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୈଠକ କରୁଛି । ଗୁପ୍ତାଙ୍କୁ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି କୁହାଯାଏ । ହ୍ୱାଟସଆପରେ ପଠାଯାଇଥିବା ଏହି ଇସ୍ତଫାରେ ରୁଚି ସାଂଗଠନିକ ପରିବର୍ତ୍ତନର ବିଳମ୍ବ ଭଳି ଆରୋପ ଲଗାଇଛନ୍ତି । ରୁଚି ଗୁପ୍ତାଙ୍କର ଏଭଳି ଇସ୍ତଫା ଦଳକୁ ଅଡୁଆରେ ପକାଇବ । କାରଣ ଗୋଟିଏ ପଟେ ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବାକୁ ସୋନିଆ ଗାନ୍ଧୀ ପ୍ରୟାସ ଆରମ୍ଭ କରିଥିବା ବେଳେ ରୁଚି ଅସନ୍ତୁଷ୍ଟ ହେବା ।

ରୁଚି ଏନଏସୟୁଆଇର ପ୍ରମୁଖ ସଚିବ ଥିଲେ । ସୂଚନା ମୁତାବକ ସେ ଏକ ହ୍ୱାଟସଆପ ମେସେଜରେ କହିଛନ୍ତି କି ସଂଗଠନରେ ପରିବର୍ତ୍ତନ ଆଣିବାକୁ ଦଳର ମହାସଚିବ କେ.ସି ବେଣୁଗୋପାଳ କ୍ରମାଗତ ଭାବେ ଡେରି କରୁଛନ୍ତି, ଯାହା ଫଳରେ ପାର୍ଟିର କ୍ଷତି ହେଉଛି । ଏହାସହ ରୁଚି ଟ୍ୱିଟ୍ ଯୋଗେ କହିଛନ୍ତି କି ‘‘ମୋତେ ଦୁଃଖର ସହ ଏହା କହିବାକୁ ପଡୁଛି କି ମୁଁ ପାର୍ଟିରୁ ଇସ୍ତଫା ଦେଉଛି, ମୋତେ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନିକଟରେ କୃତଜ୍ଞ।’’

ଗୁପ୍ତା ପଦ ଛାଡିବା ପୂର୍ବରୁ ‘ଦ ହିନ୍ଦୁ’ରେ ଏକ ପ୍ରବନ୍ଧ ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେ କି କଂଗ୍ରେସ ପାର୍ଟି ସଂଗଠନ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବାକୁ ତଳ ସ୍ତର ସହିତ ଯୋଡି ହେବାକୁ ପଡିବ ଓ ଉପରୁ ତଳ ପର୍ଯ୍ୟନ୍ତ ସ୍ଥିର ନେତୃତ୍ୱ ନିର୍ବାଚିତ କରିବାର ଆବଶ୍ୟକ ରହିଛି । ରୁଚି ଗୁପ୍ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ମହାସଚିବଙ୍କ ଦ୍ୱାରା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ ।  ଏନେଇ ରୁଚିଙ୍କୁ ଡାକି ତାଙ୍କ ସହ କଂଗ୍ରେସର ବରିଷ୍ଠ ନେତା ମାନେ ଆଲୋଚନା କରିବେ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର