କଟକ : ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଘଂନ ହୋଇଥିବା ଦର୍ଶାଇ ହାଇକୋର୍ଟରେ ରୁଜୁ ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ନୂଆପଡ଼ା ସହିତ ଅତାବିରା ଓ ହିନ୍ଦୋଳ ଏନଏସିର ନିର୍ବାଚନ ପ୍ରକ୍ରିୟା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇ ସାରିଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ଦର୍ଶାଇଥିଲେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏହି ମାମଲା ବିଚାର ଯୋଗ୍ୟ ନୁହେଁ ବୋଲି କମିସନଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥି ସହିତ ଏହି ମାମଲାରେ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ମିସ୍କେସ୍ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ନିର୍ବାଚନ ପ୍ରକ୍ରିୟାକୁ ନୁହେଁ ବରଂ ନୂଆପଡ଼ା ଏନ୍ଏସିର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗକୁ ନେଇ ଏହି ମାମଲା ରୁଜୁ ହୋଇଛି। ନିୟମ ଉଲ୍ଲଘଂନ ହୋଇ ଥିବାରୁ ଏହି ମାମଲାରେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ା। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫ ତାରିଖରେ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାର୍ଚ୍ଚ ୬ ତାରିଖରେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ର ନିର୍ବାଚନ ଉପରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଆବେଦନକାରୀ ମହେଶ କୁମାର ନିଆଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ଓ ରଶ୍ମିରେଖା ପଣ୍ଡା ତାଙ୍କୁ ସହାୟତା କରୁଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଜୟ କୁମାର ଦାଶଙ୍କୁ ଆଇନଜୀବୀ ସ୍ମୃତିରଂଜନ ଦାଶ ଓ ରାଜ ଭୁଷଣ ଦାଶ ସହାୟତା କରୁଛନ୍ତି।
ନୂଆପଡ଼ା ଏନ୍ଏସି ନିର୍ବାଚନ ମାମଲା : ନିର୍ବାଚନ କମିସନଙ୍କ ଜବାବ ଦାଖଲ, ଅନ୍ତରୀଣ ରହିତାଦେଶ ବଳବତ୍ତର
/sambad/media/post_attachments/wp-content/uploads/2018/03/SEC-State-Election-Commission.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)