ଜାଣନ୍ତୁ, ଏଥିର ନିର୍ବାଚନ ମଇଦାନରେ ଓଡ଼ିଶାର କେତେ କୋଟିପତି ଓ କେତେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ ଅଛନ୍ତି…

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇ ଥିବା ପ୍ରାର୍ଥୀମାନଙ୍କର ତଥ୍ୟ ସାମନାକୁ ଆସିଛି। ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍‌ାଚ ରାଜ୍ୟରୁ ୪ଟି ପର୍ଯ୍ୟାୟରେ  ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ ପୃଷ୍ଠଭୂମି, ଆର୍ଥିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା ଆଦି ତଥ୍ୟ ଉପରେ ବିଶ୍ଳେଷଣ କରାଯାଇଛି। ରିପୋର୍ଟ ଅନୁସାରେ ସବୁଠୁ ଧନୀ ପ୍ରାର୍ଥୀ ତାଲିକାରେ ଅଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି, କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଡିଆର ରିପୋର୍ଟ ଅନୁସାରେ ଧନୀ ବିଧାୟକ ପ୍ରାର୍ଥୀ ତାଲିକାରେ ଆଗରେ ରହିଛନ୍ତି କଂଗ୍ରେସର ଦୁଇ ବିଧାୟକ ପ୍ରାର୍ଥୀ। ପିସିସି ସଭାପତି ତଥା କଂଗ୍ରେସର ଭଣ୍ଡାରୀ ପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବଡମ୍ବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି। ତେବେ, ତୃତୀୟ ସ୍ଥାନରେ ରହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିଭଳି ରାଜ୍ୟରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ରହିଛନ୍ତି ସର୍ବାଧିକ ଧନୀ ପ୍ରାର୍ଥୀ। ବିଜେଡିରେ ୬୬ ପ୍ରତିଶତ ପ୍ରାର୍ଥୀ ରହିଛନ୍ତି କୋଟିପତି। ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ। କଂଗ୍ରେସର ୫୩ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି। ସେହିପରି ତୃତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି (ବିଜେପି)। ବିଜେପିର ୫୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି।

Election Watch

ଅନ୍ୟପକ୍ଷରେ, ୨୦୧୪ ତୁଳନାରେ ୨୦୧୯ରେ ଅପରାଧୀକ ପୃଷ୍ଠଭୂମି ଥିବା ନେତା ସଂଖ୍ୟା ବୃଦ୍ଧି ପାଇଛି। ୨୦୧୪ରେ ଅପରାଧୀକ ପୃଷ୍ଠଭୂମି ଥିବା ନେତାଙ୍କ ସଂଖ୍ୟା ୨୩ ପ୍ରତିଶତ ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ବୃଦ୍ଧି ପାଇ ୩୦ ପ୍ରତିଶତ ହୋଇଛି। ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୪୬ ପ୍ରତିଶତ ଏବଂ ବିଜେପିରେ ସର୍ବାଧିକ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା ରହିଛି।

ସେହିପରି, ଚଳିତ ଥର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ନେତାଙ୍କ ମଧ୍ୟରୁ ୪୭୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ରହିଛି ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାସ୍‌। ୫୯୮ ଜଣ ପ୍ରାର୍ଥୀ ଉଚ୍ଚଶିକ୍ଷିତ ତଥା ତଦୁର୍ଦ୍ଧ ୮ ଜଣ ପ୍ରାର୍ଥୀ କେବଳ ସ୍ୱାକ୍ଷର ଅଛନ୍ତି। ତେବେ ବିଧାନସଭାରେ ବିଜୁ ଜନତା ଦଳ ସର୍ବାଧିକ ୧୯ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୧୩ ଏବଂ ବିଜେପି ଦେଇଛି ୧୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି।

 

ଧନୀ ବିଧାୟକ ପ୍ରାର୍ଥୀ ତାଲିକା

 

ନେତା                             ଦଳ           ଆସନ

 

ବବି ମହାନ୍ତି                     କଂଗ୍ରେସ      ବଡମ୍ବା

ନିରଂଜନ ପଟ୍ଟନାୟକ         କଂଗ୍ରେସ      ଭଣ୍ଡାରୀପୋଖରୀ, ଘସିପୁରା

ନବୀନ ପଟ୍ଟନାୟକ            ବିଜେଡି        ବିଜେପୁର, ହିଂଜିଳୀ

 

କେଉଁ ଦଳରେ କେତେ କୋଟିପତି?

 

ଦଳ                  କୋଟିପତି

ବିଜେଡି            ୬୬%

କଂଗ୍ରେସ          ୫୩%

ବିଜେପି          ୫୨%

 

କେଉଁ ଦଳରେ କେତେ ଦାଗୀ ନେତା?

 

ଦଳ                  ପ୍ରତିଶତ

ବିଜେପି              ୫୯%

କଂଗ୍ରେସ           ୪୬%

ବିଜେଡି            ୪୦%

ସମ୍ବନ୍ଧିତ ଖବର