ଭୁବନେଶ୍ବର : ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହାର ଉତ୍ତରରେ ଅପରାଜିତା କହିଥିଲେ, ଓଡ଼ିଶାକୁ ସୁଦୃଢ଼ ଓ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ହେଲେ ଆମକୁ କଠିନ ପରିଶ୍ରମ ଓ ନିସ୍ବାର୍ଥପର ମନୋଭାବରେ କାର୍ଯ୍ୟ କରିବାକୁ ପଡ଼ିବ। ମୁଁ ରାଜନୀତିର ପ୍ରଥମ େସାପାନରେ ଅଛି, ସମସ୍ତଙ୍କ ଠାରୁ ଶିଖିବି। ପ୍ରଶାସନିକ ସେବାରେ ଯେତିକି କାର୍ଯ୍ୟ କରୁଥିଲି, ବିଜେପିରେ ତାହା ଠାରୁ ଅଧିକ କାର୍ଯ୍ୟ କରିବି।
ଅପରାଜିତା କହିଥିଲେ, ‘ଗୋଟିଏ ଟିମ୍, ଗୋଟିଏ ଡ୍ରିମ୍’ ଭାବେ ଆମକୁ ଆଗକୁ ଯିବାକୁ ହେବ। ଯଦି ବାସ୍ତବରେ ରାଜ୍ୟର ପ୍ରଗତି ହେଉଛି, ତେବେ ଓଡ଼ିଶା ଆଜି କାହିଁକି ଦରିଦ୍ର ? ସ୍ବଚ୍ଛ ଭାରତ ଯୋଜନାରେ ସମଗ୍ର ଦେଶରେ ଓଡ଼ିଶାର ସ୍ଥାନ ନଗଣ୍ୟ। ବିନା ଲାଞ୍ଚରେ ରାଜ୍ୟରେ ବର୍ତ୍ତମାନ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ତା’ହେଲେ ରାଜ୍ୟରେ କିପରି ସ୍ବଚ୍ଛ ଭାରତ ଯୋଜନାର ସଫଳ କାର୍ଯ୍ୟକାରୀ ହୋଇପାରିବ?
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ରାଜ୍ୟର ଅଣଯୋଜନା ବଜେଟ୍ରେ ବାର୍ଷିକ ୧୦ ହଜାର କୋଟି ଟଙ୍କାର କାମ ବିନା ଟେଣ୍ଡର୍ରେ ଦଳୀୟ କର୍ମୀମାନଙ୍କୁ ବାଣ୍ଟି ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ମାର୍ଟ ଫୋନ୍ ଦେବେ ବୋଲି କହିଛନ୍ତି। ଶୌଚାଳୟ ମହିଳାମାନଙ୍କ ସମ୍ମାନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥିଲା ବେଳେ ଏଥିରେ ଓଡ଼ିଶା ୨୯ ନମ୍ବର ସ୍ଥାନରେ ରହିଛି।
ଶ୍ରୀ ପ୍ରଧାନ କହିଛନ୍ତି, ଅପରାଜିତା ଷଡ଼ଙ୍ଗୀ ସେେପ୍ଟମ୍ବର ୧୫ ତାରିଖରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ଆବେଦନ ୨୪ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପହଞ୍ଚିଲା ବେଳେ ୨ ମାସ ପର୍ଯ୍ୟନ୍ତ କେଉଁ ଡରରେ ଅଟକାଇ ରଖିଥିଲେ ? ୨୦୧୯ରେ ମୋଦୀ ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ, ଏଥିରେ କାହାର ବି ତିଳେମାତ୍ର ସନ୍ଦେହ ନାହିଁ। ଓଡ଼ିଶାରେ ମଧ୍ୟ ମୋଦୀଙ୍କ ଅନୁଗାମୀଙ୍କ ସରକାର ହିଁ ରାଜ୍ୟକୁ ପ୍ରଗତି ରାସ୍ତାରେ ନେଇପାରିବ।
ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବାଗତ ସମ୍ବର୍ଦ୍ଧନାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ଜୟରାମ ପାଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଓ ପିଙ୍କି ପ୍ରଧାନଙ୍କ ସେମତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/APARAJITA-NKU-B.J.P.PARTY-PAKHYA-RU-SAMBARDHANA-..FOTO-APARTI.jpg)