ଲୋକଙ୍କ ଟିକସରେ ବିଜେଡିର ନିର୍ବାଚନ ପ୍ରଚାର ପାଇଁ ଷଡ଼ଯନ୍ତ୍ର: ବିଜେପି

ତାରକା ହୋଟେଲ୍‌ରେ ପଞ୍ଚାୟତିରାଜ ବିଭାଗର ସମୀକ୍ଷା ନେଇ ଆପତ୍ତି

ଭୁବନେଶ୍ୱର/କଟକ : ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ପଞ୍ଚତାରକା ହୋଟେଲ୍‌ରେ ଆୟୋଜିତ ଦୁଇ ଦିନିଆ କର୍ମଶାଳାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଓଡ଼ିଆ ଲୋକଙ୍କ ଟିକସରେ ବିଜେଡିର ନିର୍ବାଚନ ପ୍ରଚାର ପାଇଁ ଏହା ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଲେ, ବିଭାଗୀୟ କର୍ମଶାଳାରେ ସବୁ ଜିଲ୍ଲାର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓମାନେ ଦୁଇ ଦିନ ଧରି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ମାତ୍ର ଏହି ସମୀକ୍ଷା କାର୍ଯ୍ୟକ୍ରମରୁ ଜାଣିଶୁଣି ଗଣମାଧ୍ୟମକୁ ଦୂରରେ ରଖାଯାଇଛି। କିଛି ମୁଷ୍ଟିମେୟ ଅମଲା ଏହି ସମୀକ୍ଷା ବୈଠକ ଆଳରେ ଓଡ଼ିଶାର ଗ୍ରାମାଞ୍ଚଳରେ ବିଜେଡିର ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ହେଉଛନ୍ତି ବିଧାନସଭା ଓ ରାଜ୍ୟ ସାମ୍ନାରେ ଉତ୍ତରଦାୟୀ। ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଦୂରରେ ରଖି ଅଫିସର୍‌ମାନେ ଗୁପ୍ତ ବୈଠକ କରିବାର ବୈଧତା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ ଆହୁରି ପ୍ରଶ୍ନ କରିଛନ୍ତି, ସମଗ୍ର ରାଜ୍ୟ ଯେତେବେଳେ ଖରାରେ ଡହଳବିକଳ ହେଉଛି ଓ ଚାଷୀମାନେ ଗଜା ମରୁଡ଼ି ନେଇ ଭୟଭୀତ, ସେତେବେଳେ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓମାନଙ୍କୁ ନେଇ ଭୁବନେଶ୍ୱରର ପଞ୍ଚତାରକା ହୋଟେଲ୍‌ରେ ସଭା କାହିଁକି କରାଗଲା ? ଯଦି ରାଜ୍ୟବାସୀଙ୍କ ବିଷୟରେ ଚିନ୍ତା କରାଯାଉଛି, ତେବେ ଗଣମାଧ୍ୟମକୁ କାହିଁକି ଦୂରରେ ରଖାଗଲା ? ବୈଠକର ନିଷ୍ପତ୍ତି ନେଇ ଅଫିସର୍‌ମାନେ ଗଣମାଧ୍ୟମ ସହ ସିଧାସଳଖ କଥା ହେବାକୁ କାହିଁକି ପଛଘୁଞ୍ଚା ଦେଲେ ? ରାଜ୍ୟ ସଚିବାଳୟରେ ସମୀକ୍ଷା କରିବା ପାଇଁ ସବୁ ପ୍ରକାର ସୁବିଧା ଥିବା ବେଳେ ଏହି ବୈଠକକୁ ଦୃଷ୍ଟି ଆଢ଼ୁଆଳରେ ରଖିବା ପାଇଁ ହୋଟେଲ୍‌ରେ ଆୟୋଜନ କରାଯାଇଛି। ଓଡ଼ିଆ ଲୋକଙ୍କ ବିକାଶ ପାଇଁ ତାରକା ହୋଟେଲ୍‌ରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇନି, ବରଂ ବିଜେଡିର ରାଜନୈତିକ ଫାଇଦା ପାଇଁ କରାଯାଇଛି। ସରକାରୀ କର୍ମଚାରୀମାନଙ୍କୁ ରାଜନୈତିକ କାମରେ ଲଗାଇବା ଭାରତୀୟ ସମ୍ବିଧାନ ବିଧିବ୍ୟବସ୍ଥାର ପରିପନ୍ଥୀ। ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜେପି ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ରାଜ୍ୟବାସୀଙ୍କ ସମ୍ମୁଖରେ ଦେବା ପାଇଁ ବିଜେପି ଆହ୍ଵାନ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର