ପ୍ରତାପଙ୍କୁ ସୂଚନା ଓ ଲୋକସଂପର୍କ, ଅନନ୍ତଙ୍କୁ ଶିଳ୍ପ
ନିରଞ୍ଜନଙ୍କୁ ଜଳସଂପଦ, ପ୍ରଫୁଲ୍ଲଙ୍କୁ ପୂର୍ତ, ସୁଶାନ୍ତଙ୍କୁ ଶକ୍ତି ବିଭାଗର ଅତିିରିକ୍ତ ଦାୟିତ୍ୱ
ବିଜେପୁର ରାୟ ପରେ ପୁରସ୍କାର!

Advertisment

ଭୁବନେଶ୍ୱର : କିଛି ଚର୍ଚ୍ଚା ଆଲୋଚନା ନ ଥିଲା। କେହି ଆଗତୁରା ଭବିଷ୍ୟବାଣୀ ବି କରିନଥିଲେ। ବିଜେପୁର ଉପନିର୍ବାଚନରେ ଏକତରଫା ଭାବେ ବାଜିମାତ୍‌ ପରେ ଆଜି ସମସ୍ତଙ୍କୁ ଚକିତ କଲାଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼଼ ନିଷ୍ପତ୍ତି ଶୁଣାଇଛନ୍ତି। ସକାଳୁ ସକାଳୁ ମନ୍ତ୍ରୀମାନଙ୍କର ବିଭାଗରେ ଅଦଳବଦଳ କରିଛନ୍ତି। ଦଶନ୍ଧି ଧରି ହାତରେ ରଖିଥିବା ଜଳସଂପଦ ଓ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ଦେଇଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅତିରିକ୍ତ ଭାବେ ଜଳସଂପଦ ବିଭାଗ ଦାୟିତ୍ୱ ଦିଆଯାଇଛି। ତାଙ୍କ ହାତରୁ ଶିଳ୍ପ ବିଭାଗ କାଢି ନେଇ ମୁଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅନନ୍ତ ଦାସଙ୍କୁ ଅତିରିକ୍ତ ଭାବେ ଦେଇଛନ୍ତି। ସେହିଭଳି ଇସ୍ପାତ ଓ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅତିରିକ୍ତ ଭାବେ ପୂର୍ତ୍ତ ବିଭାଗ ମିଳିଛି। ଶ୍ରୀ ମଲ୍ଲିକଙ୍କ ହାତରୁ ଶକ୍ତି ବିଭାଗ କାଢି ନିଆଯାଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଅତିରିକ୍ତ ଭାବେ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବେ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏହି ବିଭାଗଟି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପାଖରେ ଥିଲା।

ନବୀନଙ୍କ ଅଚାନକ ବିଭାଗ ଅଦଳବଦଳ ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି। ରାଜ୍ୟସଭା ନିର୍ବାଚନ ଓ ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ନବୀନଙ୍କର ଏଭଳି ଗୋଟିଚାଳନାକୁ ରାଜନୈତିକ ମହଲ ଗୁରୁତ୍ୱ ଦେଉଛନ୍ତି। ଏଥିସହିତ ମନ୍ତ୍ରୀମାନଙ୍କ ବିଭାଗ ଅଦଳବଦଳ ଦ୍ୱାରା ନବୀନ କି ସଙ୍କେତ ଦେବାକୁ ଚାହୁଁଛନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ମନ୍ତବ୍ୟ ପ୍ରକାଶ ପାଇଲାଣି। ସମାନ୍ତରାଳ ଭାବେ ବିଜେପୁର ଉପନିର୍ବାଚନ ପରେ ଯେଉଁମାନେ ଅଳ୍ପ ଦିନ ପାଇଁ ହେଲେ ବି ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଆଶା ବାନ୍ଧିଥିଲେ, ସେମାନଙ୍କୁ ଆଜିର ନିଷ୍ପତ୍ତି ପରେ ନିରାଶ ହେବାକୁ ପଡିଛି। ଅର୍ଥାତ୍‌ ଆଉ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ନାହିଁ କିମ୍ବା କାହାକୁ ସାମିଲ୍‌ କରାଯିବାର ସମ୍ଭାବନା ମଧ୍ୟ କ୍ଷୀଣ। ଏବେ ବି ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦୁଇଟି ପଦବି ଖାଲି ରହିଛି। ଗତ ମେ’ ୭ ତାରିଖରେ ହୋଇଥିବା ଅଦଳବଦଳ ସମୟରେ ଗୋଟିଏ ମନ୍ତ୍ରୀ ପଦବିକୁ ନବୀନ ଜାଣିଶୁଣି ପୂରଣ କରିନଥିଲେ। ନିକଟରେ ପୁଣି ଡାକ୍ତର ଦାମୋଦର ରାଉତଙ୍କୁ ନବୀନ ତାଙ୍କ କ୍ୟାବିନେଟ୍‌ରୁ ବହିଷ୍କାର କରିଥିଲେ।

କିଛି ନେତାଙ୍କର କହିବା କଥା ହେଉଛି, ବିଜେପୁର ଉପନିର୍ବାଚନ ଉଭୟ ବିଜେଡି ଓ ରାଜ୍ୟ ସରକାରଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାକୁ ଦୃଷ୍ଟି ରଖି ନବୀନ ଗାଈସିଲାଟ୍‌ ବ୍ଲକ ଦାୟିତ୍ୱ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦେଇଥିଲେ। ସେହିଭଳି ବିଜେପୁର ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବରପାଲି ବ୍ଲକ ଓ ଏନ୍‌ଏସି ଦାୟିତ୍ୱ ମନ୍ତ୍ରୀ ସ୍ନେହାଙ୍ଗିନି ଛୁରିଆଙ୍କ ହାତରେ ଦିଆଯାଇଥିଲା। ପରବର୍ତୀ ସମୟରେ ଏମାନଙ୍କୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ଦଳର ଯୁବ ନେତାମାନଙ୍କୁ ଦାୟିତ୍ୱ ଦେଇଥିଲେ। ଯେହେତୁ ନିର୍ବାଚନ ପ୍ରକ୍ରିୟାରେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ନିରଞ୍ଜନ ପୂଜାରୀଙ୍କ ଭୂମିକା ଚର୍ଚ୍ଚାରେ ଥିଲା ଓ ବରଗଡ଼ ପର୍ଯ୍ୟବେକ୍ଷକ ହେଉଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏଣୁ ନବୀନ ଏହି ତିନି ନେତାଙ୍କୁ ପୁରସ୍କୃତ କରିବାକୁ ଚାହିଁଛନ୍ତି। କିଛି ନ ହେଲେ ନାହିଁ, ଏହାଦ୍ୱାରା ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବାରେ ସହାୟକ ହେବ ବୋଲି କିଛି ବିଜେଡି ନେତା ବିଶ୍ୱାସ କରୁଛନ୍ତି।

ଆଉ କିଛି ନେତାଙ୍କର କହିବା କଥା ହେଉଛି, ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ, ବିବାଦ ସୃଷ୍ଟି ହେବାର ସମ୍ଭାବନା ଥିଲା। ଏମିତିରେ ବି ଚଳିତବର୍ଷ ଶେଷ ଭାଗରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଅଧିକ ରହିଛି। ଏଣୁ କିଛି ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ କରି ସୁପ୍ରିମୋ ଏ ପ୍ରକ୍ରିୟା ଓ ଆଶା ଆଶଙ୍କାରେ ପୂର୍ଣ୍ଣଛେଦ ଟାଣିଛନ୍ତି।

ଦଳରେ ଏକଥା ବି ଚର୍ଚ୍ଚା ଚାଲିଛି ଯେ ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏଭଳି ନିଷ୍ପତ୍ତି ନେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏପ୍ରିଲରେ ଖାଲି ପଡୁଥିବା ତିନିଟି ଆସନକୁ ପଶ୍ଚିମ ଓଡ଼ିଶାର ନେତା ପ୍ରତିନିଧିତ୍ୱ କରୁଥିଲେ। ଏବେ ଏଥିରେ ଭାରସାମ୍ୟ ରଖିବା ଲାଗି ପଶ୍ଚିମ ଓଡ଼ିଶାର ଦୁଇ ନେତାଙ୍କୁ ଜଳସଂପଦ ଓ ଶକ୍ତି ବିଭାଗ ଭଳି ବଡ଼ ବିଭାଗ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଜଳସଂପଦ ଓ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଥିଲେ ହେଁ ବିଧାନସଭାରେ ଏ ସଂକ୍ରାନ୍ତ ପ୍ରଶ୍ନୋତ୍ତର ଓ ଖର୍ଚ୍ଚ ଦାବି ଆଲୋଚନାରେ ସେ ସରକାରର ବରିଷ୍ଠ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ହିଁ ନବୀନଙ୍କ ତରଫରୁ ଉତ୍ତର ରଖୁଥିଲେ।