ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବାଳୟର ତୃତୀୟ ମହଲା କାର୍ଯ୍ୟାଳୟ ଏବେ ଖବରର ଶିରୋନାମା ପାଲଟିଛି। ଗତକାଲି ତିନି ଆଡ଼ୁ ଆକ୍ରମଣ ପରେ ଆଜି ନିଜେ ନବୀନ ମୁହଁ ଖୋଲିଛନ୍ତି। କହିଛନ୍ତି, ସେମାନଙ୍କର ଯେତେବେଳେ କୌଣସି ପ୍ରସଙ୍ଗ ନ ଥାଏ, ସେତେବେଳେ ମୋ କାର୍ଯ୍ୟାଳୟ ଉପରେ ଏପରି ଆକ୍ରମଣ କରିଥା’ନ୍ତି। ଏଥିରେ କୌଣସି ନୂତନତ୍ୱ ନାହିଁ। ବୈଜୟନ୍ତଙ୍କ ବାବଦରେ ଗଣମାଧ୍ୟମର ପ୍ରଶ୍ନରେ ନବୀନ କହିଥିଲେ, ଯାହା ଠିକ୍‌ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ମୁଁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ। ଲୋକେ ଏହା ଜାଣିଛନ୍ତି।

Advertisment

ନବୀନ ଏପରି ମନ୍ତବ୍ୟ ଦେଲା ପରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ। ସେ ଟ୍ଵିଟ୍‌ କରି କହିଛନ୍ତି, ମୁଁ ମର୍ମାହତ। ଯେତେବେଳେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ ବିଜୁ ବାବୁ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ, ସେତେବେଳେ କ’ଣ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିଲା? ଯଦି କିଛି ପ୍ରସଙ୍ଗ ନାହିଁ, ତେବେ ମାହାଙ୍ଗାରେ ୫ ପ୍ଲାଟୁନ୍‌ ପୁଲିସ୍‌ କାହିଁକି ମୁତୟନ କରାଯାଇଥିଲା? ମୁଁ ମାହାଙ୍ଗାରେ ଅଶାନ୍ତି ସୃଷ୍ଟି କରିଥିଲି କି? ମୁଁ ମୋ କାମ ଶାନ୍ତିପୂର୍ଣ୍ଣ ଭାବେ କରୁ ନ ଥିଲି କି ? ତଥାପି ମୁଁ ମୋ ନେତାଙ୍କୁ ଆଉ ଥରେ ସମୀକ୍ଷା କରିବା ପାଇଁ ଅନୁରୋଧ କରୁଛି।