କଂଗ୍ରେସ ରାସ୍ତାରେ କଂଗ୍ରେସ କଣ୍ଟା

ବହୁ ବାଦ-ବିବାଦ, ଆଲୋଚନା-ପର୍ଯ୍ୟାଲୋଚନା ପରେ ୨୦୧୮ ମେ’ ମାସରେ ନିରଞ୍ଜନ ପଟ୍ଟନାୟକଙ୍କୁ ଧରାଇ ଦିଆଗଲା ରାଜ୍ୟ କଂଗ୍ରେସର ଡୋର। ସାଧାରଣ ନିର୍ବାଚନ କମ୍ ସମୟ ଥିବାରୁ ପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ହାଇକମାଣ୍ଡ୍ ଧରି ନେଇଛନ୍ତି। ଦାୟିତ୍ବ ନେଲା ପରେ କଂଗ୍ରେସକୁ ସକ୍ରିୟ କରିବା ପାଇଁ ଦମ୍ ଲଗାଇଦେଇଛନ୍ତି ଏହି ବରିଷ୍ଠ ନେତା। ତିନି ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କ ସାଙ୍ଗକୁ ବିଶାଳ ଟିମ୍ ଏବେ କଂଗ୍ରେସ ଘର ସଜାଡିବା ଲକ୍ଷ୍ୟରେ ଅଛନ୍ତି। ହେଲେ ଆଭ୍ୟନ୍ତରୀଣ କନ୍ଦଳରୁ ଦଳ ମୁକ୍ତ ହୋଇପାରିନାହିଁ। ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ନେତୃତ୍ବରେ ଏକ ଗୋଷ୍ଠୀ ନିରଞ୍ଜନଙ୍କ ପ୍ରଭାବ କମାଇବାକୁ ଯାଇ କଂଗ୍ରେସକୁ କ୍ଷତବିକ୍ଷତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, କୃଷ୍ଣଚନ୍ଦ୍ର ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଯଦିଓ ଏହାର ବଡ଼ଧରଣର ପ୍ରଭାବ ପଡ଼ିନି, ତେବେ କଂଗ୍ରେସର ସ୍ବାସ୍ଥ୍ୟ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଉଧେଇ ପାରୁନି ବିଜେପି

ଓଡ଼ିଶା ବିଜେପିକୁ ଯେତେ ଯାହା ସୁଯୋଗ ଦେଲେ ବି ସେମାନଙ୍କର ସଂଗଠନ ହୁଷ୍ଟପୁଷ୍ଟ ହୋଇପାରୁନାହିଁ। ଆଜି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ହେଉଛନ୍ତି ଦଳର ବଳ। ଅନ୍ତଃକନ୍ଦଳରେ ଲିପ୍ତ ରାଜ୍ୟ ବିେଜପିକୁ ଉଭୟ ସଂଜୀବନୀ ସାଜି ଜୀବନ ଦେଉଛନ୍ତି। ବାରମ୍ବାର ଗସ୍ତ କରି ଜଣାଉଛନ୍ତି ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ନଜରରେ ଓଡ଼ିଶା ରହିଛି। ବର୍ଷର ‌ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଥର ଓଡ଼ିଶା ଆସି ତିନିଟି ଦଳୀୟ ସମାବେଶକୁ ସମ୍ବୋଧିତ କରିଛନ୍ତି। ବଷର୍ର ବିଭିନ୍ନ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି କର୍ମୀଙ୍କୁ ସାହସ ଦେଇଛନ୍ତି। ତଥାପି ରାଜ୍ୟ ବିଜେପିର ଶକ୍ତି ବୃଦ୍ଧି ଘଟୁନଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଶେଷ ଗସ୍ତ ସୂଚାଇ ଦେଇଛି ଯେ ଓଡ଼ିଶା ପ୍ରତି ଆଭିମୁଖ୍ୟ ବଦଳାଇଛନ୍ତି େମାଦୀ। ତେବେ ୨୦୧୯ରେ ଏହି ପରିବର୍ତିତ ଆଭିମୁଖ୍ୟର ସ୍ପଷ୍ଟ ରୂପରେଖ ଅବଶ୍ୟ ନିର୍ଣ୍ଣୟ ହେବ।

ବିଜେପୁରରୁ ବିଜାତଳା

୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ବିଜେପି ନିଜର ଦବ୍‌ଦବା ଦେଖାଇଥିଲା। କିନ୍ତୁ ସେହି ସଫଳତାର ଯାତ୍ରା ଦଳ ଜାରି ରଖିପାରି ନ ଥିଲା। ୨୦୧୮ରେ ହୋଇଥିବା ବିଭିନ୍ନ ଉପନିର୍ବାଚନରେ ବିଜେଡି ତା’ର ତାକତ୍ ଦେଖାଇଥିଲା। ବିଜେପୁର ବିଧାନସଭା ଉପନିର୍ବାଚନ ଠାରୁ ଆରମ୍ଭ କରି ବର୍ଷ ଶେଷରେ ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନ ପର୍ଯ୍ୟନ୍ତ ସବୁଥିରେ ବିଜେପିକୁ ପଛକୁ ଠେଲି ଦେଇଥିଲା ବିଜେଡି। ଏହି ଫଳାଫଳ ରାଜ୍ୟ ରାଜନୀତିର ସମୀକରଣ ବଦଳାଇଛି ଓ ରାଜନୀତିକୁ ହଲ୍‌ଚଲ୍ କରିବା ପାଇଁ ଖୋରାକ ବି େଯାଗାଇଛି।

 

ପାଦେ ଆଗେଇଲା ବିଧାନ ପରିଷଦ

ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ଏ ବର୍ଷ ପାଦେ ଆଗେଇଛି। ତିନି ବର୍ଷ ଧରି ଏହି ପ୍ରକ୍ରିୟା ବନ୍ଦ ଥିଲା। ନିର୍ବାଚନ େଗାଟି ଭାବେ ବ୍ୟବହାର କରିବ େବାଲି ବିଚାର କରି ନବୀନ ଏହି କାର୍ଡ ନୂଆଦିଲ୍ଲୀ ପର୍ଯ୍ୟନ୍ତ େନଇଛନ୍ତି। ୨୦୧୮ରେ ବିଧାନସଭା କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲା ଓ ସେହି ଆଧାରରେ ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ ଗଠନ କରିବାକୁ ସରକାର ତତ୍କାଳ ପ୍ରକ୍ରିୟା ଆରମ୍ଭ କରିଥିଲେ। ବିଧାନସଭାରେ ଏ ନେଇ ସଂକଳ୍ପ ପାରିତ ହୋଇଛି।

ଯୋଜନାର ବର୍ଷା

୨୦୧୯ରେ ସାଧାରଣ ନିର୍ବାଚନ ଥିଲେ ବି ୨୦୧୮ରେ ହିଁ ନିର୍ବାଚନ ବିଗୁଲ୍ ବାଜିଛି। ଲୋକଙ୍କ ମନ ଜିଣିବା ପାଇଁ ଏଇ ବର୍ଷ ହିଁ ଥିଲା ପ୍ରକୃଷ୍ଟ ସମୟ। ରାଜ୍ୟ ସରକାର ବି ସମୟର ସଦୁପଯୋଗ କରିବାରେ ଆଦୌ ‌େହଳା କରି ନ ଥିଲେ। ଓଡ଼ିଆଙ୍କ ଭାବାବେଗକୁ ଛୁଇଁଲା ପରି କିଛି ଶବ୍ଦକୁ ବ୍ୟବହାର କରି ଯୋଜନାର ପାହାଡ଼ ଖଞ୍ଜିଦେଲେ। ‘ବସୁଧା’, ‘ଅବଢ଼ା’, ‘କାଳିଆ’, ‘ପିଠା’, ‘ଜାଗା’ ପରି କିଛି ଯୋଜନା ଲୋକଙ୍କ ମନକୁ ଛୁଇଁଲା। ଯଦିଓ ଏହି ନାମ ସହ ଯୋଜନାର କିଛି ସମ୍ପର୍କ ନ ଥିଲା, ତେବେ ଚର୍ଚ୍ଚା ପାଇଁ ଏସବୁ ଯଥେଷ୍ଟ ଖୋରାକ ଯୋଗାଇଥିଲା।

ସମ୍ବନ୍ଧିତ ଖବର