ପୁଣି ତିନି ଅଧିକାରୀଙ୍କ ନାମ ସୁପାରିସ କଲେ ସରକାର
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଅଧିକାରୀ ପଦରୁ ଡି ଏନ୍ ଗୁପ୍ତା ହଟିବେ। ଭାରତର ନିର୍ବାଚନ କମିସନ ଏ ନେଇ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଏଥିସହିତ ପରବର୍ତ୍ତୀ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ କାହାକୁ ନିଯୁକ୍ତି ଦିଆଯିବ, ସେ ନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦେଶ ଆଧାରରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦବି ଲାଗି ତିନି ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ନାମ ଚୂଡାନ୍ତ କରିଛନ୍ତି। ଏହି ତିନିଜଣଙ୍କ ନାମ ଆଜି ଭାରତର ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଛି।
ଗତକାଲି ଭାରତର ନିର୍ବାଚନ କମିସନ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିବା ବେଳେ ହଠାତ୍ କାହିଁକି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବଦଳାଇବାକୁ ଚାହିଁଲେ ତାହା ବୁଝାପଡୁନାହିଁ। ଶ୍ରୀ ଗୁପ୍ତାଙ୍କ କାର୍ଯ୍ୟ ନିର୍ବାଚନ କମିସନଙ୍କୁ ସନ୍ତୁଷ୍ଟ କଲାନାହିଁ, ନା ଆଉ କଣ ନିର୍ଦିଷ୍ଟ କାରଣ ରହିଛି, ସେ ସଂପର୍କରେ ମଧ୍ୟ ସରକାରୀ ଭାବେ କେହି ସୂଚନା ଦେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି।
ଅନ୍ୟପକ୍ଷରେ ବରିଷ୍ଠ ପ୍ରଶାସକମାନଙ୍କ ମତରେ ନିର୍ବାଚନ କମିସନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇଥାନ୍ତି। ଏଣୁ ସେ ଚାହିଁଲେ ତାଙ୍କୁ ଅପସାରିତ କରିପାରିବେ। ତେବେ ଆଗୁଆ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ କମିସନ ଏଭଳି ପଦକ୍ଷେପ ନେଇଥାଇପାରନ୍ତି।
ଖବର ଅନୁସାରେ, ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦବି ଲାଗି ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ବରିଷ୍ଠ ଆଇଏଏସ୍ ଅଫିସର ସୁରେନ୍ଦ୍ର କୁମାରଙ୍କ ନାମ ସୁପାରିସ କରିଛନ୍ତି। ତାଙ୍କର ନାମ ସହିତ ୫ ବର୍ଷର ଚରିତ୍ର ପଞ୍ଜିକା ମଧ୍ୟ ନିର୍ବାଚନ କମିସନଙ୍କ ନିକଟକୁ ପଠାଯାଇଛି। ସୁରେନ୍ଦ୍ର କୁମାରଙ୍କ ବ୍ୟତୀତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଓ ଉତ୍ତରାଞ୍ଚଳ ଆର୍ଡିସି ଦାୟିତ୍ୱରେ ଥିବା ଡି ଭି ସ୍ୱାମୀଙ୍କ ନାମ ନିର୍ବାଚନ କମିସନଙ୍କ ବିଚାର ପାଇଁ ଯାଇଛି। ଉଭୟଙ୍କ ଚରିତ୍ର ପଞ୍ଜିକା ମଧ୍ୟ କମିସନଙ୍କ ପାଖକୁ ପଠାଯାଇଛି। ଏମାନଙ୍କ ମଧ୍ୟରୁ ଜଣକୁ ଭାରତର ନିର୍ବାଚନ କମିସନ ବାଛି ଏହି ଗୁରୁତ୍ୱପୂର୍ଣ୍ଣ ପଦବି ପାଇଁ ନିଯୁକ୍ତି ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/STATE-ELECTION-COMMISSION-720x430.jpg)