ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅଭିନେତା ମିହିର ଦାସ, ବିଜେପିରେ ଯୋଗଦେଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ଼ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଶନିବାର  ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେମାନେ ଖାରବେଳ ନଗରସ୍ଥିତ ବିଜେପି କାର୍ଯ୍ୟଳୟରେ ଅନୁଷ୍ଠିତ ଭବ୍ୟ ମିଶ୍ରଣ ପର୍ବରେ ଯୋଗଦେଇ ପାର୍ଟିରେ ସାମିଲ୍ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିହିର ଓ ଅନୁଙ୍କୁ ବିଜେପିର ଟୋପି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ। ସମାରୋହରେ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ, ସମୀର ଦେ ଆଦି ପ୍ରମୁଖ ଉପସ୍ଥିତ ଥିଲେ।

କିଛି ବର୍ଷ ତଳେ ବିଜେଡ଼ିରେ ଯୋଗ ଦେଇଥିବା ମିହିର ଦାସ ଓଡ଼ିଆ ଚଳଚ୍ଚିତ୍ରରେ ୩୮ ବର୍ଷ ଧରି ଅଭିନୟ ଜାରି ରଖିଛନ୍ତି। ସେ ଏକାଧିକବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ମିହିରଙ୍କ ଯୋଗଦାନ ନେଇ ବିଜେପି ନେତାଙ୍କ ମନରେ ଖୁସିର ବାତାବରଣ ଦେଖାଯାଇଥିଲା। ସେହିଭଳି ପ୍ରାୟ ୪୦ଟି ଓଡ଼ିଆ, ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଯୋଗଦାନକୁ ନେଇ ବିଜେପି କାର୍ଯ୍ୟାଳୟ ଉତ୍ସବମୁଖର ଥିଲା।

ସୂଚନାଯୋଗ୍ୟ ଓଡ଼ିଆ କଳାକାର ରାଜନୀତିରେ ଯୋଗ ଦେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ କଳାକାର ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ମନ୍ନଥ ମିଶ୍ର, କ୍ରିଷ୍ଣା ମିଶ୍ର ଏବଂ ପିଙ୍କି ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ଉଭୟ କଳାକାରଙ୍କ ବିଜେପିରେ ସାମିଲ ହେବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଓଡ଼ିଶାରେ ଆଗାମୀ ଦିନରେ ବିଜେପି ଆହୁରି ଶକ୍ତିଶାଳୀ ହେବ।

ସମ୍ବନ୍ଧିତ ଖବର