ଭୁବନେଶ୍ୱର : ଓଲିଉଡ୍ ସୁପରିଚିତ ଅଭିନେତ୍ରୀ ଅପରାଜିତା ମହାନ୍ତି ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଗେରୁଆ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ଓ ସ୍ୱପ୍ନକୁ ସାକାର କରିବା ପାଇଁ ସେ ସମସ୍ତ ସହଯୋଗ କରିବେ ବୋଲି ଅପରାଜିତା କହିଥିଲେ। ଚଳଚ୍ଚିତ୍ର ଜଗତରୁ ମହାଶ୍ୱେତାଙ୍କ ପରେ ଅପରାଜିତାଙ୍କ ପରି ଜଣେ ହେଭିେଓ୍ଵଟ୍ ପଦ୍ମ ପତାକା ଧରିଲା ପରେ ବିଜେପି ଶିବିର ବେଶ୍ ଉତ୍ସାହିତ ଅଛି। ଏହା ସହ ସିନେ ତାରକାଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ବଳ କଷାକଷି ପୁଣି ଚର୍ଚ୍ଚାର ବିଷୟ ହୋଇଛି।
ବିଜେପିରେ ମିଶିଲା ପରେ ଅପରାଜିତା ସଙ୍ଗେ ସଙ୍ଗେ ବିଜେପୁର ଗସ୍ତରେ ଯାଇଛନ୍ତି। ଆଜି ଠାରୁ ସେ ମାରାଥନ୍ ପ୍ରଚାର ଆରମ୍ଭ କରିଦେଇଛନ୍ତି। ୨୨ ତାରିଖ ଯାଏଁ ସେ ସେଠାରେ ରହିବେ ବୋଲି ଜଣାପଡ଼ିଛି।
ଏହି ମିଶ୍ରଣ ପର୍ବରେ ତାଳଚେର ମ୍ୟୁନିସିପାଲ୍ଟିରୁ ବହୁ କଂଗ୍ରେସ ଓ ବିଜେଡି ନେତା ବିଜେପିରେ ସାମିଲ୍ ହୋଇଥିଲେ। ସମସ୍ତ ନୂଆ ସଦସ୍ୟଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଉପସଭାନେତ୍ରୀ ସୁକେଶି ଓରାମ ଓ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅପରାଜିତା କଂଗ୍ରେସରେ ଯୋଗ ଦେଇ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେଠାରେ ହାରିଲା ପରେ ଆଉ କଂଗ୍ରେସରେ ସକ୍ରିୟ ନ ଥିଲେ। ଗତ ସପ୍ତାହରେ ସେ କଂଗ୍ରେସରୁ ବିଧିବଦ୍ଧ ଇସ୍ତଫା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/aparajita.jpg-f.jpg)