ଭୁବନେଶ୍ୱର : ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନଙ୍କ ବୈଠକ ପରେ ଅପରାହ୍ନରେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଓ ସାମ୍ପ୍ରତ୍ତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ପ୍ରସ୍ତୁତି କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ମହିଳା ସୁରକ୍ଷା ଯାତ୍ରା ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଆଲୋଚନା ହୋଇଥିଲା। ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସୁରକ୍ଷା ଯାତ୍ରାରେ ମହିଳାମାନଙ୍କୁ ସଚେତନ କରାଯାଉଛି। ଏହି ଯାତ୍ରାର ଜନଗ୍ରହଣୀୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆସନ୍ତା ୨୬ ତାରିଖରେ ୪ ବର୍ଷ ପୂରଣ କରୁଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ କଟକ ଆସି ବିକାଶର ଚିଠା ରଖିବେ। ଏଥିରୁ କେନ୍ଦ୍ର ସରକାର ଓଡ଼ିଶାର ବିକାଶ କଥା ଚିନ୍ତା କରୁଥିବା ସ୍ପଷ୍ଟ ହୋଇଛି। ସମାବେଶକୁ କିପରି ସଫଳ କରାଯିବ, ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟର ସବୁ ସ୍ଥାନରୁ ଏଠାକୁ ଲୋକ ଆସି ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ଶୁଣିବାର ବନ୍ଦୋବସ୍ତ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ବୈଠକରେ ଭୂମିହୀନ ଆଦିବାସୀଙ୍କୁ ଜମି ଦିଆ ନ ଯିବା, ଜଳସେଚନ ଅଭାବ, ନକଲି କୀଟନାଶକ ଔଷଧ ବିତରଣ, ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ନ ମିଳିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ଆସନ୍ତାକାଲି କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହେବ।