ଲକ୍ଷ୍ନୌ: ଗୋରଖପୁର ଏବଂ ଫୁଲପୁର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ହାରିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ଫଳାଫଳକୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି। ଏହା ‘ଯୋଗୀ ଆସନ’ ହୋଇଥିବାରୁ ଉଭୟ କର୍ମୀ ଓ ଦଳୀୟ ସମର୍ଥକମାନେ ଆତ୍ମସନ୍ତୋଷରେ ରହିଲେ ବୋଲି ସେ କହିଛନ୍ତି।

Advertisment

ନିର୍ବାଚନରେ ପରାଜୟ ସଂକ୍ରାନ୍ତରେ କହିବାକୁ ଯାଇ ଯୋଗୀ କହିଛନ୍ତି ଯେ ମୁଁ ଗୋରଖପୁର ଆସନରୁ ୫ ଥର ଜିଣିଛି। ମୋ ଆଗରୁ ମୋ ଗୁରୁଜୀ ମହନ୍ତ ଅଦ୍ୱୈତନାଥ ୪ ଥର ସାଂସଦ ଥିଲେ। କେହି ଭାବି ନ ଥିଲେ ଆମେ ସେ ଆସନ ହରାଇବୁ ବୋଲି। ତେଣୁ ଆସନ ପାଇଁ ଲୋଡ଼ା ଥିବା ଉଦ୍ୟମ କରାଗଲା ନାହିଁ।

ଉପନିର୍ବାଚନରେ ବିଜେପି ହାରିଥିବା ଗୋରଖପୁର ଏବଂ ଫୁଲପୁର ଆସନ ଦୁଇଟିରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜିଣିଥିଲେ। ବୁଧବାର ଭୋଟ୍‌ ଫଳାଫଳ ଘୋଷଣା କରାଯାଇଥିଲା।

ଇଭିଏମ୍‌ ସମ୍ପର୍କରେ ବିରୋଧୀଙ୍କ ନିରବତା ଉପରେ ମଧ୍ୟ ଯୋଗୀ ପ୍ରଶ୍ନ କରିଥିଲେ। ରବିବାର ଦିନ ଭୋଟ୍‌ ଆରମ୍ଭ ହେବାମାତ୍ରେ ଏସ୍‌ପି ଏବଂ ବିଏସ୍‌ପି ଇଭିଏମ୍‌ ଟାମ୍ପରିଙ୍ଗ୍‌ ହେଉଛି ବୋଲି ବିଜେପିକୁ ଦୋଷାରୋପ କଲେ। ସେମାନେ ଜାଣିବା ଉଚିତ ଯେ ବିଜେପି କ୍ଷମତାର ଅପବ୍ୟବହାର କରେ ନାହିଁ। ନୈତିକତା ଆଧାରରେ କାମ କରେ। ମୁଁ ବିଏସ୍‌ପି ଏବଂ ଏସ୍‌ପିକୁ ଏହି ଫଳାଫଳକୁ ବୁଝାଇ ଦେବାକୁ କହୁଛି। ଏବେ ସେମାନେ ନିରବ କାହିଁକି?

ଦୁଇ ସମ୍ମାନଜନକ ଏବଂ ନିରାପଦ ଆସନରୁ ଅକଳ୍ପିତ ପରାଜୟର କାରଣ ସବିସ୍ତତ ବୁଝାଇବାକୁ ଯାଇ ଯୋଗୀ କହିଲେ କି, ମାତ୍ରାଧିକ ଆତ୍ମବିଶ୍ୱାସ ଦଳକୁ ପରାଜିତ କଲା।

ନିର୍ବାଚନ ରାଲିରେ ମୁଁ ଯୁଆଡ଼େ ଗଲି, ଆମେ ଜିଣିବୁ ବୋଲି ମତେ କୁହାଗଲା। ମୁଁ ତାଙ୍କୁ କହିଲି ଯେ ସବୁ ନିର୍ବାଚନକୁ ଗୁରୁତ୍ୱ ଦେବା କଥା। ଆମେ ଅଧିକ ଆତ୍ମସନ୍ତୋଷ ଲାଭ କରିବା ଅନୁଚିତ। ସେ ଯାହାହେଉ, ଏଇଟା ପ୍ରଥମ କରି ଘଟି ନାହିଁ।

ଆମେ ଏସ୍‌ପି-ବିଏସ୍‌ପି ମେଣ୍ଟକୁ ବୁଝିବାରେ ବିଫଳ ହେଲୁ। ଆବଶ୍ୟକ ପଡୁଥିବା ତୃଣମୂଳସ୍ତରୀୟ ପରିଚାଳନାରେ ପ୍ରବେଶ କଲୁନାହିଁ।
ଯୋଗୀ କହିଲେ କି, ବିଜେପି କର୍ମୀଙ୍କ କ୍ଷେତ୍ରରେ ଅତିମାତ୍ରାରେ ଆତ୍ମବିଶ୍ୱାସ ସମସ୍ୟା ନୁହେଁ। ସମସ୍ୟା ରହିଲା ବିଜେପି ସମର୍ଥକଙ୍କ ଠାରେ। ସେମାନେ ଭୋଟ୍‌ ଦେବାକୁ ଆସିଲେ ନାହିଁ। ଲୋକେ ଭାବିଲେ ଏହା ଯୋଗୀଜୀଙ୍କ ଆସନ। ବିଜେପି ଏଠାରେ କେବେ ହାରିବ ନାହିଁ।

ଜିଣିବେ ବୋଲି ଲୋକେ ମାତ୍ରାଧିକ ଆତ୍ମବିଶ୍ୱାସୀ ହୋଇ ଉଠିଲେ ଅନେକ କଥା ଘଟେ। ଦଳୀୟ କର୍ମୀମାନେ ଦାୟିତ୍ୱଶୂନ୍ୟ ହୋଇ ଉଠନ୍ତି। ଭୋଟର୍‌ମାନେ ଆତ୍ମସନ୍ତୋଷୀ ହୋଇଉଠିଲେ ସେମାନେ ପରାଜୟମୁଖୀ କରାନ୍ତି। ବିଜେପି ୨୦ ରୁ ୨୧ ହଜାର ଭୋଟ୍‌ରେ ହାରିଛି। ଯଦି ଆଉ ୪% ଭୋଟର୍‌ ଆସି ଥାଆନ୍ତେ ତେବେ ଫଳାଫଳ ଭିନ୍ନ ହୋଇ ଥାଆନ୍ତା।

ବହୁ ସଂଖ୍ୟାରେ ଭୋଟ୍‌ ଦେବାକୁ ଆସ ବୋଲି ଅନୁରୋଧ କରିବା ସତ୍ତ୍ୱେ ସହରରେ ଭୋଟ ଦାତାଙ୍କ ସଂଖ୍ୟା ୩୧%-୩୩%ରେ ସୀମିତ ରହିଲା। ଯଦି ଭୋଟ୍‌ଦାନ ପରିମାଣ ୪୦%-୫୦% ହୋଇଥାଆନ୍ତା, ବିଜେପି ଆଗରେ ଥାଆନ୍ତା।