ପିସିସି ଶୈଳୀରେ ଜିଲ୍ଲା କଂଗ୍ରେସ ସଭାପତି, କାର୍ଯ୍ୟକାରୀ ସଭାପତି

ପିସିସି ଟିମ୍‌ ଘୋଷଣା ୨ ସପ୍ତାହରେ, ମାସେ ଦେଢ଼ମାସରେ ନିର୍ବାଚନ ଟିକଟ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ନୂଆଦିଲ୍ଲୀରେ ଓଡ଼ିଶାରେ କଂଗ୍ରେସ ଦଳର ସାଂଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍‌ ମଧ୍ୟରେ ମାରାଥନ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭବିଷ୍ୟତ ରଣନୀତି ନେଇ ରାହୁଲ ପିସିସି କର୍ମକର୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଜିଲ୍ଲା କଂଗ୍ରେସ କମିଟିମାନଙ୍କରେ ସଭାପତି, କାର୍ଯ୍ୟକାରୀ ସଭାପତି ନିଯୁକ୍ତି ନେଇ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀଙ୍କ ସହିତ ଶ୍ରୀ ପଟ୍ଟନାୟକଙ୍କ ଟିମ୍‌ଙ୍କ ଏହା ହେଉଛି ପ୍ରଥମ ସମୀକ୍ଷା ବୈଠକ। ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ପିସିସିର ୩ଜଣ କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ବିଧାୟକ ନବକିଶୋର ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ସଂପାଦକ ତଥା ସହ ପ୍ରଭାରୀ ରୂଦ୍ର ରାଜୁ, ଶେଖ୍‌ ମସ୍ତାନ ଅଲ୍ଲୀ, ଅନୀଲ ଚୌଧୁରୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ପ୍ରମୁଖ ଏବଂ ରାହୁଲଙ୍କ ମଧ୍ୟରେ ପାଖାପାଖି ଦୁଇଘଣ୍ଟା ଧରି ଆଲୋଚନା ହୋଇଥିଲା। ଗତ ଏପ୍ରିଲ ୧୯ ତାରିଖଠାରୁ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ନିଯୁକ୍ତ ହେବା ଦିନଠାରୁ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ସାଂଗଠାନିକ ସ୍ଥିତି ଆଦି ସଂପର୍କରେ ରାହୁଲଙ୍କୁ ଉଭୟ ଶ୍ରୀ ପଟ୍ଟନାୟକ ଓ ପ୍ରଭାରୀ ଶ୍ରୀ ସିଂହ ମିଳିତ ଭାବେ ରିପୋର୍ଟ ଦେଇଥିଲେ।

ନିରଞ୍ଜନଙ୍କ ଦଳ କିପରି ସ୍ୱଳ୍ପ ଦିନରେ ଆକ୍ରମଣାତ୍ମକ ଶୈଳୀରେ ଦଳକୁ ମଜବୁତ୍‌ କରିବା ଦିଗରେ କି କି ପଦକ୍ଷେପ ନେଇଛନ୍ତି ସେ କଥା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦଳ ଛାଡ଼ି ଯାଇଥିବା ନେତା ଓ କର୍ମୀମାନଙ୍କୁ ଦଳକୁ ଫେରାଇ ଆଣିବା, ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ ତୃଣମୂଳ ସ୍ତରରୁ ସଜାଡ଼ି ଲୋକମାନଙ୍କ ଆସ୍ଥାଭାଜନ ହେବା, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ଆନ୍ଦୋଳନ କରିବା ଆଦି ପ୍ରସଙ୍ଗ ସମୀକ୍ଷା ବୈଠକରେ ସ୍ଥାନ ପାଇଥିଲା। ପିସିସିରେ ଯେପରି ଜଣେ ସଭାପତି ସାଙ୍ଗକୁ ୩ଜଣ କାର୍ଯ୍ୟକାରୀ ସଭାପତି ରହିଛନ୍ତି, ସେହି ଶୈଳୀରେ ଜିଲ୍ଲା କଂଗ୍ରେସ କମିିଟିର ସଭାପତି, କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପ୍ରସ୍ତାବକୁ ରାହୁଲ ଅନୁମୋଦନ ଦେଇଥିଲେ। ସେହିପରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପିସିସିର ସମସ୍ତ କମିଟିର କର୍ମକର୍ତାଙ୍କ ତାଲିକା ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ଏହି ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ଭବିଷ୍ୟତରେ ଓଡ଼ିଶା କଂଗ୍ରେସ କିପରି ମଜବୁତ୍‌ ହୋଇପାରିବ ସେ ନେଇ ଆଜି ରାହୁଲ ଗାନ୍ଧୀଙ୍କ ସହ ବିଶଦ ଭାବେ ଆଲୋଚନା ହୋଇଥିଲା। ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ପରିବର୍ତନ ନେଇ କାର୍ଯ୍ୟକାରୀ ସଭାପତି ଓ ଏଆଇସିସି ସଂପାଦକମାନେ ଜିଲ୍ଲାଓ୍ଵାରୀ ଗସ୍ତ କରି ଯେଉଁ ସୂଚନା ହାସଲ କରି ମତାମତ ଦେଇଛନ୍ତି, ସେହି ଆଧାରରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ ରାହୁଲ ଓଡ଼ିଶା ଗସ୍ତ କରିପାରନ୍ତି।

କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିଭିନ୍ନ ଅଭିଯୋଗ ପ୍ରସଙ୍ଗକୁ ଏଆଇସିସି ପ୍ରଭାରୀ ଗୁରୁତ୍ୱ ସହକାରେ ନେଇଛନ୍ତି। ଏକ ତିନିଜଣିଆ କମିଟି ଦ୍ୱାରା ଏହି ଅଭିଯୋଗର ତଦନ୍ତ କରାଇ ରାହୁଲଙ୍କୁ ରିପୋର୍ଟ ପଠାଇବାକୁ ପିସିସିକୁ ହାଇକମାଣ୍ଡ ନିର୍ଦେଶ ଦେଇଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ଏଆଇସିସି ପ୍ରଭାରୀ ଶ୍ରୀ ସିଂହ କହିଲେ ଯେ ରାଜ୍ୟରେ କଂଗ୍ରେସର ସ୍ଥିତି ପୂର୍ବାପେକ୍ଷା ଯଥେଷ୍ଟ ସୁଧୁରିଥିବା ନେଇ ରାହୁଲଙ୍କୁ ସୂଚନା ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟିରେ ଯୁବବର୍ଗଙ୍କୁ ଅଗ୍ରାଧିକାର ଦିଆଯାଇଛି। ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍‌ କରାଯାଉଛି। ସାଧାରଣ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ଟିକେଟ୍‌ ଘୋଷଣା ମାସେ ଦେଢ଼ ମାସ ଭିତରେ ହେବ ବୋଲି ତାଙ୍କର ପୂର୍ବ ଘୋଷଣାକୁ ଦୋହରାଇଥିଲେ। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ହକ୍‌ ପାଇଁ କଂଗ୍ରେସ ଲଢ଼ିବ ବୋଲି ଶ୍ରୀ ସିଂହ କହିଥିଲେ।

ସମ୍ବନ୍ଧିତ ଖବର