ଏମ୍‌ଏସ୍‌ପି ବୃଦ୍ଧି ଦାବିରେ ବିଜେଡିର ଆନ୍ଦୋଳନ ୮ରୁ

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସଂସଦରେ କେନ୍ଦ୍ର କୃଷି ମନ୍ତ୍ରୀ ବିବୃତି ଦେଇଛନ୍ତି। ଏହାକୁ ପ୍ରତିବାଦ କରିଛି ବିଜେଡି। ଏମ୍‌ଏସ୍‌ପି ବୃଦ୍ଧି ଦାବିରେ ଦଳ ଆନ୍ଦୋଳନ ଡାକରା ଦେଇଛି। ୧୨ଟି ସର୍ବାଧିକ ଧାନ ସଂଗ୍ରହକାରୀ ଜିଲ୍ଲାରେ ଆସନ୍ତା ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର। ଏଠାରେ ପର୍ଯ୍ୟାୟକ୍ରମେ ବିକ୍ଷୋଭ କରାଯାଇ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।

ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଗତ ୨୯ ତାରିଖରେ ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଏମ୍‌ଏସ୍‌ପି ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ନିଷ୍ପତ୍ତିର ଆଉ ପୁନଃବିଚାର କରିବେ ନାହିଁ ବୋଲି କହିଛନ୍ତି। ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସମୟ ନ ଦେବା ଏବଂ ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲା ବେଳେ କେନ୍ଦ୍ର ମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ବିବୃତି ଓଡ଼ିଶାର ଚାଷୀଙ୍କ ପ୍ରତି ବିଜେପିର ଧୋକ୍କା ସଦୃଶ। କେନ୍ଦ୍ର ସରକାର ଓଡ଼ିଶା କୃଷକ ବିରୋଧୀ ଆଭିମୁଖ୍ୟ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ବିଜେଡି ଆହୁରି ଅଭିଯୋଗ କରିଛି, ରାଜ୍ୟରେ ମରୁଡ଼ି, ଚକଡ଼ା ପୋକ ଆକ୍ରମଣ ଓ ଅଦିନିଆ ବର୍ଷା ଫଳରେ ଚାଷୀ କୂଳର ମେରୁଦଣ୍ଡ ଭାଙ୍ଗିଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ଦୁଇଟି ଚିଠି ମାଧ୍ୟମରେ ରାଜ୍ୟରେ ସଂଗଠିତ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ସେହିପରି ଚକଡ଼ା ପୋକ ଆକ୍ରମଣରେ କ୍ଷୟକ୍ଷତିକୁ ଆକଳନ କରି ୧୭୨୯ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ ପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ର କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵାତ ନଭେମ୍ବର ମାସରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି କେନ୍ଦ୍ରୀୟ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ଦିନ ତଳେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ରାଜ୍ୟର ଚାଷୀକୂଳ ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ବେଳେ ଓଡ଼ିଶା ସମ୍ପର୍କରେ ନିରବ ରହିଛନ୍ତି। ତେଣୁ ଚକଡ଼ା ପୋକ ଆକ୍ରମଣ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କେବଳ ପ୍ରହସନ ବୋଲି ସ୍ପଷ୍ଟ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶଶିଭୂଷଣ ବେହେରା, ଚନ୍ଦ୍ରସାରଥୀ ବେହେରା, ସରକାରୀ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ଅଭାବୀ ଧାନ ବିକ୍ରି ରୋକିବା ପାଇଁ ପଦକ୍ଷେପ ନିଅ: ବିଜେପି

ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍‌ କରି ବିଜେଡି ଆନ୍ଦୋଳନ ଡାକରା ଦେଲା ପରେ ବିଜେପି ବି ପାଲଟା ଅଭିଯୋଗ କରିଛି। ଚାଷ ଓ ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ନିଜ ଦାୟିତ୍ୱ ଠିକ୍‌ ଭାବେ ନ ତୁଲାଇ କେନ୍ଦ୍ରକୁ ଦୋଷ ଦେଇ ହୀନ ରାଜନୀତି କରୁଛନ୍ତି। ରାଜ୍ୟରେ ଚାରିଆଡ଼େ ଅଭାବୀ ଧାନ ବିକ୍ରି ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ସରକାର ପଦକ୍ଷେପ ନେବାକୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର