ପଦ୍ମପୁର ନିର୍ବାଚନମଣ୍ଡଳୀ : ବାଜିରେ ସବୁ ଦଳର ସମ୍ମାନ

ବରଗଡ଼, (ଅଞ୍ଜନ ପ୍ରଧାନ): ୨୦୧୪ ନିର୍ବାଚନ ପରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ବି‌ଜେପୁର ଏବଂ ପଦ୍ମପୁରରେ ବିଜେଡି ଅସଫଳ ରହିଥିଲା। ବିଜେପୁରରେ କଂଗ୍ରେସ ଏବଂ ପଦ୍ମପୁରରେ ବିଜେପି ବିଜୟ ବାନା ଉଡ଼ାଇଥିଲେ। କିନ୍ତୁ ଉପନିର୍ବାଚନ ପରେ ବିଜେପୁର ବିଜେଡି କବଳକୁ ଚାଲି ଯାଇଛି। ପଦ୍ମପୁର ବିଜେପି କବଳରେ ଥିବାରୁ ଆଗାମୀ ନିର୍ବାଚନ ପାଇଁ ଏହି ଆସନ ପାଇଁ ସବୁ ଦଳର ସମ୍ମାନ ବାଜିରେ ଲାଗିଛି। ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୬୮,୯୪୨ ଭୋଟ୍‌ ପାଇଁ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବିଜୟରଂଜନ ସିଂ ବରିହା ୬୪,୪୨୯ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ନାରାୟଣ ତ୍ରିପାଠୀ ୩୧,୧୭୯ ଭୋଟ୍‌ ପାଇ ଦ୍ବିତୀୟ ଓ ତୃତୀୟରେ ରହିଥିଲେ। ଏଥର ପୁରୁଖା ନେତାଙ୍କ ମଧ୍ୟ‌େର ପୁନର୍ବାର ଟକ୍କର ହେବା ଆଭାସ ମିଳୁଛି। ବିଜେପିର ଆଶାୟୀ ତାଲିକାରେ ପ୍ରଦୀପ ପୁରୋହିତ ସର୍ବାଗ୍ରେ ରହିଛନ୍ତି। ତେଣୁ ତାଙ୍କୁ ବଦଳାଇ ବିଜେପି ଅନ୍ୟଥା ରିସ୍କ ନେବାକୁ ଚାହିଁବ ନାହିଁ ବୋଲି ରାଜନୀତି ଗଣିତ କହୁଛି।

ବିଜେପିର ତୁଙ୍ଗ ନେତାଙ୍କ ମଧ୍ୟରେ ପ୍ରଦୀପଙ୍କ ନାମ ଗଣାଯାଉଥିବାରୁ ତାଙ୍କୁ ହିଁ ପ୍ରଥମେ ଟିକେଟ୍‌ ଦେବା ପାଇଁ ଦଳ ଚିନ୍ତା କରିବ ବୋଲି କୁହାଯାଉଛି। ତାଙ୍କ ବ୍ୟତୀତ ରାଜୁ ‌ଘିବେଲାଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ଥିବା ଶୁଣିବାକୁ ମିଳୁଛି। ବିଜେଡି ପାଇଁ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନ ଜିଲ୍ଲା ସଭାପତି ଥିବା ବିଜୟରଂଜନ ସିଂ ବରିହାଙ୍କ ନାମ ସର୍ବାଗ୍ରେ ରହିଛି। ବିଜେଡିର ଆଉକେହି ଦମ୍‌ଦାର୍ ପ୍ରାର୍ଥୀ ନଥିବାରୁ ଶ୍ରୀ ବରିହା ପୁଣିଥରେ ଟିକେଟ୍‌ ହାତେଇବା ନେଇ ସମ୍ଭାବନା ରହିଛି। ଦଳରେ ଆଉ ଦୁଇ/ତିନି ଜଣ ଆଶାୟୀଙ୍କ ନାମ ସାମନାକୁ ଆସୁଛି। ଏହି ଆସନରେ କଂଗ୍ରେସ ଜିଲ୍ଲା ସଭାପତି ତଥା ତିନି ଥର ବିଧାୟକ ଥିବା ସତ୍ୟଭୂଷଣ ସାହୁଙ୍କୁ ଟିକଟ ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ଗତ ନିର୍ବାଚନରେ ଶ୍ରୀ ସାହୁଙ୍କୁ ଦଳୀୟ ଟିକେଟ୍‌ ମିଳିନଥିଲା। ତେବେ, ଚଳିତ ନିର୍ବାଚନରେ ଦଳ ପାଇଁ ଆଉ କେହି ବିକଳ୍ପ ନଥିବାରୁ ତାଙ୍କର ପ୍ରାର୍ଥିତ୍ବ ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି। ଫଳରେ, ପୁରୁଣା ଚେହେରାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

୧୯୫୧ ମସିହାରେ ଗଠିତ ଏହି ଆସନ ଇତିମଧ୍ୟରେ ୧୫ଟି ନିର୍ବାଚନର ସମ୍ମୁଖୀନ ହୋଇଛି। ଏଥିରୁ ୧୯୫୧ ଏବଂ ୧୯୫୭ରେ ଯୁଗ୍ମ ଭାବେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହାବାଦ କଂଗ୍ରେସ ଏଠାରେ ସର୍ବାଧିକ ୬ଥର ବିଜୟ ପାଇଛି। ବିଜେଡି ଓ ଜନତା ଦଳ ୨ଥର ଲେଖାଏଁ, ବିଜେପି, ଜନତା ପାର୍ଟି ଓ ଓଡ଼ିଶା ଜନକଂଗ୍ରେସ ଥରେ ଲେଖାଏଁ ଆସନ ଦଖଲ କରିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେପି   ପ୍ରଦୀପ ପୁରୋହିତ          ୬୮,୯୪୨
ବିଜେଡି   ବିଜୟରଂଜନ ସିଂ ବରିହା    ୬୪,୪୨୯
କଂଗ୍ରେସ  ପ୍ରକାଶ ନାରାୟଣ ତ୍ରିପାଠୀ  ୩୧,୧୭୯

ସମ୍ବନ୍ଧିତ ଖବର