ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ ଡାକି ସଫଳତା ବଖାଣୁଛନ୍ତି। ଅନ୍ୟ ପଟେ ଆଉ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଭାଗର ବିଫଳତା ଫର୍ଦ୍ଦ ଗଣମାଧ୍ୟମ ସାମ୍ନାରେ ରଖୁଛି ବିଜେପି। ଆଜି ପଞ୍ଚାୟତିରାଜ ବିଭାଗର ବିଫଳତାକୁ ସୂଚାଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଲେ, ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ସତ୍ତ୍ୱେ ବ୍ୟାପକ ପିସି କାରବାର ଯୋଗୁଁ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ, ପାନୀୟ ଜଳ ଯୋଗାଣ ଯୋଜନାର ସୁଫଳ ଲୋକମାନେ ପାଉ ନାହାନ୍ତି। ଶ୍ରୀ ମହାନ୍ତି ବିଭାଗକୁ ପ୍ରଶ୍ନ କରିଛନ୍ତି, ଗରିବମାନଙ୍କୁ ପକ୍କା ଘର ଯୋଗାଣ ମାମଲାରେ ସରକାର କାହିଁକି ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି? ଦୁଇ ବର୍ଷରେ ୧୦ ଲକ୍ଷ ବିଜୁ ପକ୍କା ଘର ଲୋକାର୍ପିତ କରିବା ଓ ଆଗାମୀ ତିନି ବର୍ଷରେ ଆଉ ୧୬ ଲକ୍ଷ ପକ୍କା ଘର ନିର୍ମାଣ କରାଯିବା ଲକ୍ଷ୍ୟ ବୋଲି କହି ସରଳ ଓଡ଼ିଆ ଲୋକଙ୍କୁ କାହିଁକି ବୋକା ବନାଇବାକୁ ଚେଷ୍ଟା କରାଯାଉଛି ? ଚାରି ବର୍ଷରେ ବିଜୁ ପକ୍କା ଘର ବାବଦରେ ୧୭୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ବେଳେ କେନ୍ଦ୍ରୀୟ ଯୋଜନାରେ ୮୫୬୫ କୋଟି ଅର୍ଥ ବ୍ୟୟବରାଦ ହୋଇଥିବା ସତ ନା ନାହିଁ, ସରକାର ତାହା ସ୍ପଷ୍ଟ କରିବାକୁ ଶ୍ରୀ ମହାନ୍ତି ଆହ୍ଵାନ ଦେଇଛନ୍ତି।

Advertisment

ସେହପରି ଶିଳ୍ପ ବିଭାଗ ସମ୍ପର୍କରେ ଶ୍ରୀ ମହାନ୍ତି କହିଛନ୍ତି, ବିଜୁ ବାବୁଙ୍କ ଉଦ୍ୟମରେ ପୂର୍ବରୁ ସ୍ଥାପିତ ବହୁ କଳକାରଖାନା ବନ୍ଦ ହୋଇଯାଇଛି। ୧୯୯୯ ମହାବାତ୍ୟା ପରେ କଳିଙ୍ଗ ଷ୍ଟୁଡିଓ ବନ୍ଦ ହୋଇଯିବା ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ଶିଳ୍ପ ପ୍ରତି ସମ୍ପୂର୍ଣ୍ଣ ବୈମାତୃକ ମନୋଭାବକୁ ପ୍ରଦର୍ଶିତ କରୁଛି। ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି, ୨୦୧୫ ମସିହାରେ ପ୍ରସ୍ତାବିତ ଡେରାସ୍‌ରେ ସାମୁଦ୍ରିକ ଖାଦ୍ୟ ପାର୍କ, ଗଞ୍ଜାମରେ ସମନ୍ଵିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ୍‌ ପାର୍କ, ରାୟଗଡ଼ା ଓ ଅନୁଗୁଳରେ ଆଲୁମିନିୟମ୍‌ ପାର୍କର ବାସ୍ତବ ସ୍ଥିତି କ’ଣ ? ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ଖଣିଜଭିତ୍ତିକ ଭାରି ଶିଳ୍ପ ସ୍ଥାପନ ପାଇଁ ସ୍ୱାକ୍ଷରିତ ୯୨ଟି ବୁଝାମଣାପତ୍ର ମଧ୍ୟରୁ କେବଳ ୩ଟି ପୂର୍ଣ୍ଣ ଉତ୍ପାଦନ କରୁଥିବା ବେଳେ ଅନ୍ୟଗୁଡ଼ିକର ସ୍ଥିତି କ’ଣ ?

ସେହିପରି ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ କୃଷି ବିଭାଗର ବିଫଳତାର ତାଲିକା ଦେଇଥିଲେ। କୃଷି ଉତ୍ପାଦନ ବୃଦ୍ଧି, ଉତ୍ପାଦନର ସଂରକ୍ଷଣର ବ୍ୟବସ୍ଥାରେ ସରକାର ବିଫଳ ହୋଇଥିଲା ବେଳେ କୃଷି ଆତ୍ମହତ୍ୟାକୁ ସରକାର ଅସ୍ୱୀକାର କରି କୃଷକ ସମାଜକୁ ତାଛଲ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ଉଚ୍ଚଶିକ୍ଷାର ଦୁର୍ବଳ ଭିତ୍ତିଭୂମି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।