ପାଟକୁରା ନିର୍ବାଚନ : ସରିଲା ପ୍ରଚାର, ଦିନକ ପରେ ନେତାଙ୍କୁ ଭୋଟ୍‌ ଦେବେ ମତଦାତା

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଠାରେ ଦିନକ ପରେ ଅର୍ଥାତ ଜୁଲାଇ ୨୦ରେ ମତଦାନ ହେବ। ମୋଟ୍‌ ୩୦୯ଟି ବୁଥରେ ସକାଳ ୭ଟାରୁ ୨ ଲକ୍ଷ, ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍‌ ଦେବେ। ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା ହୋଇଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୧,୨୭,୪୩୧ । ୧୦ ଜଣ କିନ୍ନର ଭୋଟ୍‌ ଦେବେ। ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ।

ଅନ୍ତିମ ଦିନରେ ଶାସକ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ଜୋରଦାର ପ୍ରଚାର କରିଛି। ସେହିପରି ବିଜୟ ମହାପାତ୍ରଙ୍କ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଚାର କରିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି। ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି।

ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି। ମତଦାନ ପାଇଁ ବୁଥମାନଙ୍କରେ ମୋଟ ୧୭୦୦ କର୍ମଚାରୀ ନିଯୁକ୍ତ ହେବେ। ଏଥିରେ ୫ ଜଣ ଜୋନାଲ ସେକ୍ଟର ମାଜିଷ୍ଟ୍ରେଟ ମଧ୍ୟ ସାମିଲ ଅଛନ୍ତି। ୪୬୬ଟି ଗାଡ଼ି ବ୍ୟବହାର ହେବ। ପାଟକୁରା ଆସନରେ ୧୩୮ଟି ବୁଥ ହେଉଛି ସମ୍ବେଦନଶୀଳ। ଏଥି ପାଇଁ ପୁଲିସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସିଏପିଏଫର ୪ଟି କମ୍ପାନୀ ମୁତୟନ ହେବେ।

୩୧ଟି ବୁଥରେ ୱେବ୍‌ କାଷ୍ଟିଙ୍ଗ ହେବ। ସେହିପରି ୪୦ଟି ମତଦାନ କେନ୍ଦ୍ରରେ ସିସିଟିଭି ଲାଗିବାକୁ ଥିବା ବେଳେ ୫୨ଟି ବୁଥରେ ମାଇକ୍ରୋ ଅବଜରଭର ଓ ୧୫ଟି ବୁଥରେ ଭିଡିଓଗ୍ରାଫି ହେବ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୮୫୨ ଦିବ୍ୟାଙ୍ଗଙ୍କ ପାଇଁ ୩୦୯ଟି ମତଦାନ କେନ୍ଦ୍ରରେ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ମୋଟ ୫୧ଟି ଗାଡ଼ି ଦିବ୍ୟାଙ୍ଗଙ୍କୁ ନେବା ଆଣିବା କରିବ। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପୁଲିସ ବ୍ୟତୀତ ୬୧୮ ଜଣ ସ୍ୱେଚ୍ଛାସେବୀ ମୁତୟନ ହୋଇ ମତଦାତାଙ୍କୁ ସହଯୋଗ କରିବେ।

ସମ୍ବନ୍ଧିତ ଖବର