ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ୍ ମିଳିନଥିବାବେଳେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ। ଏହାପରେ ଯେତେବେଳେ ରାଜ୍ୟସଭା ନିର୍ବାଚନ ଆସିଛି ସେତେବେଳେ ପାଟ୍ଟଶାଣୀ ରାଜ୍ୟସଭା ଯିବାକୁ ଆଶାୟୀ ଥିବା ନେଇ କହିଛନ୍ତି। ହେଲେ ପାଟ୍ଟାଶାଣୀଙ୍କୁ କୌଣସି ଥର ବି ଟିକେଟ୍ ମିଳିନି। ଚଳିତଥର ଏକସଙ୍ଗେ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ହେଁ ପାଟ୍ଟଶାଣୀଙ୍କୁ ଟିକେଟ୍ ମିଳିଲାନି। ଏହାପରେ ସେ କହିଛନ୍ତି ଯେ ମୁଁ ଆଉ ରାଜ୍ୟସଭାକୁ ଯିବାକୁ ଆଶା କରୁନି।

Advertisment

ସୋମବାର ଦିନ ଗଣମାଧ୍ୟମରେ ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ ମୁଁ ତ କେବେ ରାଜ୍ୟସଭା ଯିବି ବୋଲି କହିନି। ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ରାଜ୍ୟସଭା ପାଇଁ ମୁଁ କ’ଣ ଲାଳାୟତ ହୋଇଛି କି? ମୋତେ ପଠାଅ ପଠାଅ ବୋଲି କହିଛି କେବେ? ସେ ମୋର ସୁପ୍ରିମୋ, ସେ କହିଥିଲେ। ଦଳର ଭଲ ପାଇଁ ଗୋଟେ ଯାଉ ଲଢେଇ କରୁ ବୋଲି ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ। ସେ କ’ଣ ଭାବିଲେ ସେ ଭିତରେ ବା ତାଙ୍କ ଭାବନା ଭିତରକୁ ମୁଁ କେମିତି ଯିବି? କାରଣ ଆମର ଏଠି ଯେଉଁମାନେ ଭଲ କାମ କରନ୍ତି କିଛି ନିନ୍ଦୁକ ଆଉ ଈର୍ଷୁକ ସମାଲୋଚନା ଆରମ୍ଭ କରି ଦିଅନ୍ତି। ମୁଁ ଦେଖିଚି। କେତେ ଦଳରେ ଥିଲି ପରା, ହାତରେ ଥିଲି, ହାତୀରେ ଥିଲି ,ଚକ୍ରରେ ଥିଲି,ଶଙ୍ଖରେ, ଆଉ କେତେ ଦଳରେ ଥାନ୍ତି, ସବୁ ଦଳକୁ ଚିହ୍ନି ଦେଇଛି। ମୁଁ ଆଉ ଆଶାୟୀ ନାହିଁ। କାହିଁକି ଆଶାୟୀ ହେବି, ଆଶା ହେଉଛି ନିରାଶାର କାରଣ।

ରାଜ୍ୟସଭା ଟିକେଟ୍ ନମିଳିବା କାରଣ ନେଇ ପଚାରିବାରୁ ପାଟ୍ଟଶାଣୀ କହିଥିଲେ କାରଣଟା କହିବି କାହିଁକି? କାରଣଟା ଅକାରଣ କାହିଁକି ହେବ। ଦଳର ମୁଁ ବରିଷ୍ଠ ଉପସଭାପତି। ତେଣୁ ଏଇ ସମୟରେ ମୋ ସ୍ୱାର୍ଥ ପାଇଁ କାହା ବିରୋଧରେ କହିବାର ନାହିଁ, ମୁଁ ସେମିତି ଚାଲିଥିବି, ଯେ ପର୍ଯ୍ୟନ୍ତ ଦଳରେ ଥିବି। ଦଳ ଗଢ଼ିଛି ବୋଲି ମୋର ପ୍ରଚଣ୍ଡ ଦୁର୍ବଳତା ଅଛି। ଜଗନ୍ନାଥ ସବୁ ଦେଖୁଛି। ମୁଁ ଆଦୌ ନିରାଶ ନୁହେଁ। ମସ୍ତିଷ୍କରେ ପଜିଟିଭ ଚିନ୍ତାଧାରା ରହିବା ଆବଶ୍ୟକ। ମୁଁ ପଜିଟିଭ ଚିନ୍ତା ନେଇ ଯୋଗ କରୁଛି।