ପ୍ରାର୍ଥୀଙ୍କ ଅବହେଳା ନେଇ ତାଙ୍କ ପ୍ରାର୍ଥିତ୍ୱର ପୁନର୍ବିଚାର କରାଯିବ

ପିଇସି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର : ଗତ ୨୦ ତାରିଖରେ ଅନୁଷ୍ଠିତ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି(ପିଇସି) ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ବିଜୟ ସମ୍ଭାବନା ଥିବା ଅନ୍ୟୂନ ୫୦ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯିବ। କିନ୍ତୁ ଆଗାମୀ ତିନିମାସ ମଧ୍ୟରେ ସେହି ପ୍ରାର୍ଥୀମାନଙ୍କର ନିଜ ନିଜ ନିର୍ବାଚନମଣ୍ଡଳୀରେ ଜନସଂପର୍କ, କଂଗ୍ରେସ କାର୍ଯ୍ୟକ୍ରମ ଓ ସଂଗଠନକୁ ସୁଦୃଢ କରିବାରେ ଯଦି ଅବହେଳା ହେଉଥିବାର ପରିଲକ୍ଷିତ ହୁଏ, ତେବେ ସେମାନଙ୍କ ପ୍ରାର୍ଥିତ୍ୱର ପୁନର୍ବିଚାର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ପିଇସି ଆବାହକ ତଥା ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ ଜଣାଇଛନ୍ତି।

ଏକ ପ୍ରେସ୍‌ ବିବୃତିରେ ଶ୍ରୀ ସେଠୀ କହିଛନ୍ତିି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ସଠିକ୍‌ ଭାବେ ପରିଚାଳନା ନିମନ୍ତେ ନେତୃବୃନ୍ଦ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ସର୍ବସମ୍ମତି କ୍ରମେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ବିଜୟ ସମ୍ଭାବନା ଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରାର୍ଥୀ କରାଯିବ। ଯେଉଁ ପ୍ରାର୍ଥୀମାନେ ବହୁବାର ପରାଜୟ ବରଣ କରିଥିବେ, ସେମାନଙ୍କୁ ପୁନର୍ବାର ଟିକେଟ୍‌ ମିଳିବ ନାହିଁ। ଗୋଟିଏ ପରିବାରରୁ ବିଜୟ ସମ୍ଭାବନା ଥିବା ଏକାଧିକ ପ୍ରାର୍ଥୀ ଯେଉଁମାନେ ଦଳ ସହିତ ଘନିଷ୍ଠ ସମ୍ପର୍କରେ ଅଛନ୍ତି, ସେମାନଙ୍କୁ ଟିକେଟ୍‌ ଦେବା ଉପରେ ବିଚାର କରାଯିବ। ଅପରାଧରେ ଦୋଷୀ ସାବ୍ୟସ୍ତ ନେତାମାନଙ୍କ ନାମକୁ ପ୍ରାର୍ଥୀ ନିମନ୍ତେ ବିଚାରକୁ ନିଆଯିବ ନାହିଁ। ବିଗତ ନିର୍ବାଚନଗୁଡ଼ିକରେ ଅମାନତ ହରାଇଥିବା ପ୍ରାର୍ଥୀମାନଙ୍କ ନାମକୁ ପୁନର୍ବାର ପ୍ରାର୍ଥୀ ପାଇଁ ବିଚାରକୁ ନିଆଯିବ ନାହିଁ। ସମସ୍ତ ବିଧାୟକଙ୍କୁ ପୁନଃ ଟିକେଟ୍‌ ପ୍ରଦାନ କରାଯିବ ବୋଲି ପ୍ରଦେଶ ନିର୍ବାଚନ କମିଟିରେ ନିଷ୍ପତ୍ତିି ଗ୍ରହଣ କରାଯାଇଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସେଠୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର