ଜୟପୁର: ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ବିଧାନସଭା ଅଧିବେଶନ ଡାକୁ ନାହାନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ଦିନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଉପରେ ଦୋଷାରୋପ କରି କହିଛନ୍ତି ।
ଗେହଲଟ୍ କହିଛନ୍ତି, ସୋମବାର ଠାରୁ ଆମେ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ଚାହୁଁଛୁ। ସେତେବେଳ ସବୁ କଥା ସ୍ପଷ୍ଟ ହୋଇଯିବ। ମୁଁ ରାଜ୍ୟପାଳଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇ ଏ ସଂକ୍ରାନ୍ତରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ଅନୁରୋଧ କରିଥିଲି। ଏବେ ଆମେ ତାଙ୍କୁ ଭେଟିବାକୁ ଯିବୁ।
କରୋନାଭାଇରସ୍ ଏବଂ ରାଜନୈତିକ ପରିସ୍ଥିତି ସମେତ କେତେଗୁଡ଼ିଏ ସମସ୍ୟା ବିଷୟରେ ଆଲୋଚନା କରିବାକୁ ବିଧାନସଭା ଅଧିବେଶନ ଡକାଇବାକୁ ଚାହାଁନ୍ତି ବୋଲି ଗେହଲଟ୍ କହିଛନ୍ତି।
/sambad/media/post_attachments/wp-content/uploads/2020/07/raja-300x169.jpg)
ଗତରାତିରେ ଆଦେଶ ଜାରି ହେବ ବୋଲି ସେ ଆଶା କରିଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ଆଦେଶ ଆସିଲା ନାହିଁ । କାହା ଚାପ ଯୋଗୁଁ ରାଜ୍ୟପାଳ ଅଧିବେଶନ ଡକାଉ ନାହାନ୍ତି ଆମେ ବୁଝି ପାରୁନାହୁଁ। ଯଦି ଆସନ୍ତାକାଲି ଲୋକେ ରାଜଭବନ ଘେରାଉ କରିବାକୁ ଆସନ୍ତି, ସେଥିପାଇଁ ଆମେ ଦାୟୀ ହେବୁନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଦେଶ ଜାରି ନ ହେଲେ ନିଷ୍ପତ୍ତି ଗ୍ରହଣ କରିବାକୁ ଅନୁରୋଧ କରିବା ପାଇଁ ବିଧାୟକମାନେ ରାଜଭବନରେ ରାଜ୍ୟପାଳ ମିଶ୍ରଙ୍କୁ ସାକ୍ଷାତ୍ କରିବେ।