ଆଡ଼ଭାନୀଙ୍କ ଶରଣରେ ମୋଦୀ, ଠାକରେଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ : ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ବିଜେପିର ସ୍ଥିତି ଠିକ୍‌ ନାହିଁ। ବିଭିନ୍ନ ସମୟରେ ପାର୍ଟି ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ସଙ୍କେତ ମିଳିଛି। ଏହାସହିତ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ପରାଜୟ ବିଜେପିକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏଭଳି ସଙ୍କଟ ସମୟରେ ଅନେକ ସହଯୋଗୀ ହାତ ଛାଡ଼ୁଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ। ପରିସ୍ଥିତିରୁ ଉଦ୍ଧାର ପାଇବା ଲାଗି ମୋଦୀ ଦୁଇ ଦିନ ତଳେ ଦଳ ଭିତରେ ଅଲୋଡ଼ା ହୋଇପଡ଼ିଥିବା ବରିଷ୍ଠ ନେତା ଏଲ.କେ. ଆଡ଼ଭାନୀଙ୍କୁ ଭେଟିଛନ୍ତି। ଅନ୍ୟପଟେ କ୍ଷୁବ୍ଧ ସହଯୋଗୀ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଜି ଭେଟିଛନ୍ତି ଅମିତ ଶାହ। ଏହି ନେତାମାନଙ୍କୁ ମନାଇବା ଲାଗି ସେମାନେ ଉଦ୍ୟମ କରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ମୋଦୀ ଦୁଇ ଦିନ ତଳେ ୯୦ ବର୍ଷୀୟ ଆଡ଼ଭାନୀଙ୍କୁ ତାଙ୍କ ପୃଥ୍ଵୀରାଜ ରୋଡ ସ୍ଥିତ ବାସଭବନରେ ଭେଟିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାଲାଗି ଆଡ଼ଭାନୀଙ୍କୁ ମୋଦୀ ଅନୁରୋଧ କରିଥିବା ଜଣାପଡ଼ିଛି। ତେବେ ଆଡ଼ଭାନୀଙ୍କ ପକ୍ଷରୁ ଏସଂପର୍କେରେ କିଛି କୁହାଯାଇ ନାହିଁ। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଐତିହାସିକ ବିଜୟ ପରେ ଅତ୍ୟଧିକ ବୟସ ଦର୍ଶାଇ ଆଡ଼ଭାନୀଙ୍କ ସମେତ ମୁରଲୀ ମନୋହର ଯୋଶୀ ଓ ଅନ୍ୟ କେତେକ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନଥିଲା। ଏପରିକି ପାର୍ଟିର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା ସଂସଦୀୟ ବୋର୍ଡରେ ମଧ୍ୟ ସ୍ଥାନ ଦିଆଯାଇ ନଥିଲା। ସରକାରଙ୍କୁ ପରାମର୍ଶ ଦେବାଲାଗି ଏକ ୫ ଜଣିଆ ମାର୍ଗ ଦର୍ଶକ ମଣ୍ଡଳ ଗଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, ରାଜନାଥ ସିଂହ ଓ ଅମିତ ଶାହଙ୍କ ସମେତ ଆଡ଼ଭାନୀ ଓ ଯୋଶୀଙ୍କୁ ସାମିଲ କରାଯାଇଥିଲା। ତେବେ ଗଠନ ହେବାର ୪ ବର୍ଷ ପରେ ମଧ୍ୟ ଏହାର ବୈଠକ ହୋଇନାହିଁ।

ପାର୍ଟି ଭିତରେ ଅଲୋଡ଼ା ହୋଇଯାଇଥିବା ଏହି ନେତାମାନେ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟକୂ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। ଏହି ନେତାମାନଙ୍କ ମଧ୍ୟରେ ଯଶୋବନ୍ତ ସିହ୍ନା ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ଅଛନ୍ତି। ଏମାନଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ତୃତୀୟ ସାମ୍ମୁଖ୍ୟର ନେତାମାନେ କଥାବାର୍ତା ଚଳାଇଥିବାର ଖବର ମିଳିଥିଲା। ଏଥିରେ ଛାନିଆ ହୋଇ ବିଜେପି ନେତୃତ୍ୱ ଆଡ଼ଭାନୀ ଓ ଯୋଶୀଙ୍କ ଶରଣ ପଶିବାକୁ ସ୍ଥିର କରିଛନ୍ତି। କିଛି ଦିନ ତଳେ ଅମିତ ଶାହ ମଧ୍ୟ ଆଡ଼ଭାନୀଙ୍କୁ ଭେଟିଥିଲେ। ସେମାନେ ଯଶୋବନ୍ତ ସିହ୍ନାଙ୍କୁ ମଧ୍ୟ ମନାଇବାକୁ ଉଦ୍ୟମ ଚଳାଇଛନ୍ତି। ଏହାପୂର୍ବରୁ ଅମିତ ଶାହ ସୂଚନା ଦେଇଥିଲେ ଯେ ୭୦ ବର୍ଷ ବୟସ ଉପର ନେତାଙ୍କୁ ଦଳୀୟ ଟିକଟ ଦେବା ଉପରେ ଯେଉଁ କଟକଣା ଥିଲା ତାହାକୁ କୋହଳ କରାଯିବ। ସେମାନଙ୍କୁ ଟିକଟ ମିଳିବ ଏବଂ କର୍ମକର୍ତା ମଧ୍ୟ କରାଯିବ।

ଇତିମଧ୍ୟରେ ଅମିତ ଶାହ ଆଜି ସନ୍ଧ୍ୟାରେ ମୁମ୍ବାଇ ଯାଇ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ ମଧ୍ୟ ଉପସ୍ଥିତ ଥିଲେ। ସାକ୍ଷାତ ଆଲୋଚନା ପରେ ଶାହ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ଥିବା ମତ ପାର୍ଥକ୍ୟ ଖୁବଶୀଘ୍ର ଦୂର ହୋଇଯିବ। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ହୋଇ ଲଢିବେ। କିନ୍ତୁ ଶିବ ସେନା ପକ୍ଷରୁ କିଛି କୁହାଯାଇ ନାହିଁ। ତେବେ ଆଜି ଶିବ ସେନା ମୁଖପତ୍ର ସାମନାରେ ବିଜେପିର ଏଭଳି ଅଭିଯାନକୁ ସମାଲୋଚନା କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଆଗାମୀ ଲୋକସଭା ନିର୍ବାଚନ ଶିବ ସେନା ଏକାକୀ ଲଢ଼ିବ।

ଠାକରେଙ୍କୁ ଭେଟିବା ପୂର୍ବରୁ ଅମିତ ଶାହ ଶିଳ୍ପପତି ରତନ ଟାଟା ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସେମାନଙ୍କ ବାସଭବନରେ ଭେଟିଥିଲେ। ଲତା ମଞ୍ଜେସକରଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୁହୂର୍ତରେ ଏହା ବାତିଲ ହୋଇଯାଇଥିଲା। କାରଣ ଲତା ହଠାତ ଅସୁସ୍ଥ ହୋଇ ପଡ଼ିଛନ୍ତି।

ଆସନ୍ତାକାଲି ଅମିତ ଶାହ ଚଣ୍ଡିଗଡ ଯାଇ ଅନ୍ୟତମ ସହଯୋଗୀ ଅକାଳୀ ଦଳର ମୁଖ୍ୟ ପ୍ରକାଶ ସିଂହ ବାଦଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଜେପି ଉପରେ ଅକାଳୀ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର