ପ୍ରଧାନମନ୍ତ୍ରୀଙ୍କ ଭାଷଣ ତଥ୍ୟ ଓ ସତ୍ୟ ଉପରେ ଆଧାରିତ: ବିଜେପି

ମହାନଦୀକୁ ନେଇ ବିଜେଡି ଭୟ ଓ ଆତଙ୍କ ସୃଷ୍ଟି କରୁଛି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲିଯାତ୍ରା ପଡ଼ିଆ ଭାଷଣକୁ ମିଥ୍ୟା ତଥ୍ୟ ଉପରେ ଆଧାରିତ ବୋଲି ବିଜେଡି ଅଭିଯୋଗ କରିଛି। ବିଜେପି ଏହାର ଜବାବ୍‌ ଦେଇ କହିଛି, ପ୍ରଧାନମନ୍ତ୍ରୀଙ୍କ ଭାଷଣର ଗୋଟିଏ ଶବ୍ଦରେ ବି ମିଥ୍ୟା ନାହିଁ। ଏହା ସବୁ ସତ୍ୟ ଓ ତଥ୍ୟ ଉପରେ ଆଧାରିତ।

ବିଜେପି ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ମହାନଦୀର ୫୦ ଭାଗରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ଏହା କ’ଣ ମିଥ୍ୟା ? ଦୀର୍ଘ ଦିନ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାର ମହାନଦୀ ଜଳ ପରିଚାଳନା କରିବାରେ ବିଫଳ ହୋଇଛି। ଏହା କ’ଣ ମିଥ୍ୟା? ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟର ଚାଷୀଙ୍କ କାମରେ ମହାନଦୀର ପାଣି ଆସୁନି। ଏହା କ’ଣ ମିଥ୍ୟା ? ଦୀର୍ଘ ଦିନ ଧରି ଲୋୟର ଇନ୍ଦ୍ର ସମେତ ଅନେକ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି। ଏହା କ’ଣ ମିଥ୍ୟା? ବିଜେଡି ଏସବୁ ପ୍ରଶ୍ନର ଜବାବ ଦେବା ଆବଶ୍ୟକ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ, ଦେଶର ୯୯ଟି ଜଳସେଚନ ପ୍ରକଳ୍ପ ମଧ୍ୟରୁ ଓଡ଼ିଶାରେ ଥିବା ୮ଟି ପ୍ରକଳ୍ପ କାମକୁ କେନ୍ଦ୍ର ସରକାର ନିଜ ମୁଣ୍ଡକୁ ଆର୍ଥିକ ଦାୟିତ୍ୱ ନେଇ ପୂରଣ କରିବାକୁ ଚାହୁଁଛି। ମହାନଦୀ ବିବାଦ ଆରମ୍ଭ ହେବାର ୨୦୧୬ ପର୍ଯ୍ୟନ୍ତ ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତରଫରୁ ଯାହା ବକ୍ତବ୍ୟ ରଖାଯାଇଥିଲା, ଖୋଦ୍‌ ମୁଖ୍ୟମନ୍ତ୍ରୀ ସେହି ବକ୍ତବ୍ୟଗୁଡ଼ିକୁ ସତ୍ୟ କି ମିଥ୍ୟା ସ୍ପଷ୍ଟ କରିବା ଉଚିତ। ୧୧୭ ବିଧାୟକ ଓ ୨୯ ସାଂସଦ ପ୍ରଧାନମନ୍ତ୍ରୀଙ୍କ ପାଖକୁ ମହାନଦୀ ସମସ୍ୟା ନେଇ ଯିବାକୁ କାହିଁକି ଉଚିତ ମଣୁ ନାହାନ୍ତି। କେନ୍ଦ୍ରରେ ବିଜେଡିର ଅର୍ଜ୍ଜୁନ ସେଠୀ ଜଳସମ୍ପଦ ମନ୍ତ୍ରୀ ଥିଲା ବେଳେ ଓଡ଼ିଶାର ନଦୀ ଜଳ ସମସ୍ୟାର ସମାଧାନ ଓ ଓଡ଼ିଶାକୁ ନୂଆ ଜଳସେଚନ ପ୍ରକଳ୍ପ ପାଇଁ କାହିଁକି କିଛି ଉଦ୍ୟମ କରି ନ ଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ବିଜେଡି ଜନ ଆନ୍ଦୋଳନ ବେଳେ ଲୋକଙ୍କୁ ପିଇବା ପାଣି ମିଳିବ ନାହିଁ ବୋଲି ଭୟ ଓ ଆତଙ୍କ ସୃଷ୍ଟି କରୁଛି। ତେବେ ମହାନଦୀ ବିବାଦ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଆହୁରି ଅଧିକ ଶିଳ୍ପ ସଂସ୍ଥାଙ୍କୁ ପାଣି ଦେବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର