Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର (ସରୋଜ ଦାଶ): ରାଜ୍ୟରେ କଂଗ୍ରେସ ନେତୃତ୍ୱ ସ୍ଥାଣୁ ଥିବା ବେଳେ ରାଜ୍ୟ ରାଜନୀତିକୁ ଗତ ୧୮ ବର୍ଷ ଧରି ନିୟନ୍ତ୍ରଣ କରୁଥିବା ବିଜେଡି ଓ କେନ୍ଦ୍ରରେ ଏନଡିଏ ସରକାର ଗଠନ ପରେ ଉତ୍ସାହିତ ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ବିଶେଷ କରି ବିଜେଡି ନିଜ ଲୋକପ୍ରିୟତା ବଜାୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ୫ମ ଥର ପାଇଁ ସରକାର ଗଠନ କରିବାକୁ ଯୋଜନା କରୁଥିବା ବେଳେ ପଞ୍ଚାୟତ ନିର୍ବାଚନରେ ପ୍ରାୟ ୩ ଶହ ଜିଲ୍ଲା ପରିଷଦ ସିଟ୍ ପାଇଥିବା ବିଜେପି ବିଜେଡିକୁ କଡ଼ା ଟକ୍କର ଦେଇ କ୍ଷମତା ହାସଲ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ତେବେ ଉଭୟ ଦଳ ନିଜ ପତିଆରାକୁ ପ୍ରଦର୍ଶନ କରିବା ପାଇଁ କଂଗ୍ରେସର ବିଜେପୁର ନିର୍ବାଚନ ମଣ୍ଡଳୀର ସୁବଳ ସାହୁଙ୍କ ପରଲୋକ ଏକ ସୁଯାଗ ସୃଷ୍ଟି କରିଛି। ଯଦିଓ ସ୍ୱର୍ଗତ ସାହୁଙ୍କ ପରଲୋକ ପରେଏଠାରେ ଉପନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଧାର୍ଯ୍ୟ କରି ନାହାନ୍ତି, ତଥାପି, ଉଭୟ ବିଜେଡି ଓ ବିଜେପି ବିଜେପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରୁ ସେମାନଙ୍କ ପତିଆରା ପରଖିବା ପାଇଁ ସବୁ ପ୍ରକାର ନୀତି ଆପଣେଇବା ପାଇଁ ପସ୍ତୁତ ଥିବା ଜଣାପଡ଼ିିଛି। ବିଶେଷ କରି ଗତ ୭ ତାରିଖ ରାତିରେ ବିଜେପୁରର ବିଜେପି ମଣ୍ଡଳ ସଭାପତିଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଏହି ଗୁଳିମାଡ଼ ପତିଆରା ପାଇଁ ହୋଇଥିବା ଚର୍ଚ୍ଚା ହେଉଛି।
ଗତ ୭ ତାରିଖ ରାତିରେ ବିଜେପୁର ବ୍ଲକ୍ ପଡ଼ା ଗାଁର ମନୋରଞ୍ଜନ ମେହେରଙ୍କ ଘର ଉପରକୁ ଗୁଳି ମାଡ଼ ହୋଇଥିଲା। ମନୋରଞ୍ଜନ ହେଉଛନ୍ତି ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି । ବିଳମ୍ବିତ ରାତିରେ ହୋଇଥିିବା ଏହି ଗୁଳିମାଡ଼ରେ କେହି ଜଣେ ହେଲେ ବ ଆହତ ହୋଇ ନ ଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଗୁଳିମାଡ଼ ହୋଇଛି ଓ କିଏ ଗୁଳି ମାଡ଼ କରିଛି, ତାର ତଦନ୍ତ ପାଇଁ ଅପେକ୍ଷା କରା ନ ଯାଇ, ଏହି ଘଟଣାକୁ ରାଜନୀତିର ରଙ୍ଗରେ ରଙ୍ଗେଇ ଦିଆଯାଇଛି।
ଗୁଳିମାଡ଼ ଘଟଣାକୁ ବିଜେପି ଏକ ସୁଯୋଗ ଭାବେ ନେଇଛି। ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉ ନ ଥିବାରୁ ବିଜେଡି ପକ୍ଷରୁ ବାରମ୍ବାର ସମାଲୋଚନା କରାଯାଇଛି। ବିଜେପି ନିର୍ବାଚନ ଲାଗି ପ୍ରସ୍ତୁତ ହୋଇ ନ ଥିବାରୁ କେନ୍ଦ୍ର ସରକାରଙ୍କ ଚାପରେ ନିର୍ବାଚନ କମିସନ୍ ବିଜେପୁର ନିର୍ବାଚନମଣ୍ଡଳି ପାଇଁ ତାରିଖ ଘୋଷଣା କରୁ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରୁଥିବାରୁ ବିଜେପି ବ୍ୟାକ୍ ଫୁଟରେ ରହୁଥିଲା। ଏହି ସମୟରେ ମନୋରଞ୍ଜନଙ୍କ ଘର ଉପରକୁ ଗୁଳିମାଡ଼ ହେବା ଘଟଣାକୁ ବିଜେପି ବିଜେଡିକୁ ଟାର୍ଗେଟ କରିବା ପାଇଁ ସୁଯୋଗ ପାଇଛି। ଏହି ଗୁଳିକାଣ୍ଡ ଘଟଣାରେ ବିଜେଡି ନେତା ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ହାତ ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏପରିକି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟି ଘଟଣାରେ ନିରପକ୍ଷ ତଦନ୍ତ ଦାବି କରିବା ସହିତ ମନୋରଞ୍ଜନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି।
ବିଜେପି ବିଜେପୁର ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି। ଗୁଳିକାଣ୍ଡ ସହିତ ବିଜେଡି ନେତାଙ୍କୁ ସମ୍ପୃକ୍ତ କରି ବିଜେପୁର ନିର୍ବାଚନମଣ୍ଡଳିରେ ବିଜେଡିକୁ ବଦନାମ କରି ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଉଛି।
ରାଜନୈତିକ ବିଶ୍ଲେଷକଙ୍କ ମତରେ ବିଜେଡି ଓ ବିଜେପି ମଧ୍ୟରେ ବିଜେପୁର ଉପ-ନିର୍ବାଚନକୁ ନେଇ ଲାଗିଥିବା ଛକାପଞ୍ଝା କେବଳ ୨୦୧୯ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ହେଉଛି। ଯଦିଓ ବିଜେପୁର ଆସନରୁ ସୁବଳ ସାହୁ କଂଗ୍ରେସ ଦଳରୁ ଲଢ଼ିଥିଲେ, ମାତ୍ର ତାଙ୍କ ପତ୍ନୀ ରୀତା ସାହୁ ବର୍ତ୍ତମାନ ବିଜେଡିରେ ଓ ଆଗାମୀ ଉପନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରି ସାରିଛନ୍ତି। ସେହିପରି ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ବିଜେପି ଶିବିରରେ ଅଛନ୍ତି ଓ ଦଳ ତାଙ୍କୁ ଆଗାମୀ ଉପ ନିର୍ବାଚନରେ ପ୍ରାର୍ଥୀ କରୁଥିବା ନେଇ ସ୍ପଷ୍ଟ ସଙ୍କେତ ମିଳି ସାରିଛି।
ଏଭଳି ସ୍ଥିତିରେ କଂଗ୍ରେସ ହାତରେ ଥିବା ବିଜେପୁର ବିଧାନସଭା ଆସନକୁ ହାତେଇବା ପାଇଁ ଉଭୟ ବିଜେଡି- ବିଜେପି ଲାଗି ପଡ଼ିଛନ୍ତି। କଂଗ୍ରେସ ଦଳର ଦୁର୍ବଳତାକୁ ନେଇ ଉଭୟ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳିକୁ ଏକ ଖୋଲା ଖେଳ ପଡ଼ିଆ ଭାବି ନେଇଛନ୍ତି। ଏଥିରେ ଯିଏ ଭଳ ଖେଳିବ ଆଗାମୀ ସାଧାରଣ ନିର୍ବର୍ାଚନ ବେଳକୁ ସେହି ଦଳ ନିଜକୁ ଭଲ ଭାବେ ଲୋକଙ୍କ ପାଖରେ ଉପସ୍ଥାପିତ କରି ପାରିବ ବୋଲି ଭାବି ଭୟ ଦଳ ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧିି କରିଛନ୍ତି। ତେଣୁ ବିଜେପୁର ବ୍ଲକ୍ ପଡ଼ା ଗାଁର ମନୋରଞ୍ଜନ ମେହେରଙ୍କ ଘର ଉପରକୁ ହୋଇଥିବା ଗୁଳିକାଣ୍ଡ ଏକ ଅପରାଧିକ କାର୍ଯ୍ୟ ଅପେକ୍ଷା ଏହାକୁ ପତିଆରାର ପ୍ରତୀକଭାବେ ନେଇ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ଅଙ୍କ କଷା ଆରମ୍ଭ କରି ଦେଇଥିବା ଚର୍ଚ୍ଚା ହେଉଛି।