ନବୀନଙ୍କ ରାଜ୍ୟସଭା ଗୁଗ୍‌ଲି

ରାଜନୈତିକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ଟିକେଟ୍‌

ଠିକ୍‌ ସମୟରେ ପ୍ରାର୍ଥୀ ଘୋଷଣା ହେବ

ଭୁବନେଶ୍ୱର : ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ତିନି ଜଣଙ୍କୁ ରାଜ୍ୟସଭାକୁ ପଠାଯିବ। ଠିକ୍‌ ସମୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ। ନୂଆଦିଲ୍ଲୀ ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମ ସାମ୍ନାରେ ଏମିତି ଗୁଗ୍‌ଲି ଛାଡିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରାଯାଉଛି। ନବୀନଙ୍କ ଏହି ସୂଚନା ବିଜେଡିରେ ଆଲୋଚନାର ବିଷୟ ହୋଇଛି। ନିର୍ଦିଷ୍ଟ କେଉଁ ତିନିଜଣଙ୍କୁ ନଜରରେ ରଖି ନବୀନ ଏଭଳି ଇସାରା ଦେଲେ, ତାହା କେହି ଠଉରାଇ ପାରୁନାହାନ୍ତି। ବରଂ ଦଳର ଅନେକ ପୁରୁଖା ନେତାଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି, ସାଧାରଣ ନିର୍ବାଚନ ଆଉ ୧୪ମାସ ରହିଛି। ମୁଖ୍ୟମନ୍ତ୍ରୀ ଆଉ ଉପନିର୍ବାଚନ ଚାହିଁବେ ନାହିଁ। ଏଣୁ କୌଣସି ବିଧାୟକଙ୍କୁ ସେ ରାଜ୍ୟସଭାକୁ ପଠାଇବାର ସମ୍ଭାବନା ଆପାତତଃ ନାହିଁ। ଦ୍ୱିତୀୟତଃ, ଦଳର ଶୀର୍ଷସ୍ତରରେ ଅନେକ ନେତା ଅଛନ୍ତି, ଯେଉଁମାନେ ଏହି ଗୁରୁତ୍ୱପୂର୍ଣ୍ଣ ପଦବି ଲାଗି ଆଖି ରଖିବା ସ୍ୱାଭାବିକ। ତେବେ ଆସନ୍ତାବର୍ଷ ନିର୍ବାଚନ ଅଛି। ଏଣୁ ଦଳ ପାଇଁ ଉପକାରୀ ହେଉଥିବା ନେତାଙ୍କୁ ନବୀନ ରାଜ୍ୟସଭାକୁ ପଠାଇବାକୁ ନିଶ୍ଚିତ ଆଗ୍ରହ ରଖିବେ। ତୃତୀୟତଃ, ଅନେକ ଯୁବ ଓ ମଧ୍ୟମ ବୟସ୍କ ନେତା ମଧ୍ୟ ଏହି ପଦବି ପାଇଁ ଆଶାୟୀ ଅଛନ୍ତି। ହେଲେ ଯେଉଁ ବିଧାୟକମାନେ ଲୋକପ୍ରିୟତା ହରାଇସାରିଲେଣି ବା ଦଳ ପାଇଁ ବୋଝ ହେବେ, ସେମାନଙ୍କୁ ଆସନ୍ତା ଦିନରେ ବିଧାନସଭା ଟିକେଟ୍‌ ଦେବାର ସମ୍ଭାବନା ପ୍ରାୟତଃ ନାହିଁ। ଏଣୁ ସେସବୁ ଆସନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳ ପାଇଁ ପ୍ରଭାବ ରଖୁଥିବା ତଥା କାମ କରୁଥିବା ନେତାଙ୍କୁ ନବୀନ ଦଳୀୟ ଟିକେଟ୍‌ ଦେବାର ସମ୍ଭାବନା ଅଧିକ।

ତେବେ ଏ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରାୟ ଶହେରୁ ଅଧିକ ନେତାଙ୍କର ଦରଖାସ୍ତ ପହଞ୍ଚିଛି। ଏଥିରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ଠାରୁ ଆରମ୍ଭ କରି ଡାକ୍ତର ଶରତ ଚନ୍ଦ୍ର ମିଶ୍ରଙ୍କ ପର୍ଯ୍ୟନ୍ତ ନେତାଙ୍କ ନାଁ ରହିଛି। ଏମାନଙ୍କ ଭିନ୍ନ ବିଜେପିରୁ ବିଜେଡିକୁ ଆସିଥିବା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସୁରେନ୍ଦ୍ର ନାଥ ନାୟକ, ଶାରଦା ନାୟକ, ରବି ନାରାୟଣ ନନ୍ଦ, ବିଜେଡି ନେତା ରବି ନାରାୟଣ ପାଣି, ପ୍ରମୁଖଙ୍କ ନାଁ ଉପରେ କଳ୍ପନାଜଳ୍ପନା ଲାଗି ରହିଛି। କେହି କେହି ସାଂସଦ ଦିଲୀପ ତିର୍କୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କୁ ଆଉଥରେ ନବୀନ ରାଜ୍ୟସଭାକୁ ପଠାଇପାରନ୍ତି ବୋଲି ଚର୍ଚ୍ଚା କରୁଛନ୍ତି। ଅନ୍ୟ ଦଳରେ ଥିବା କିଛି ଟାଣୁଆ ନେତାଙ୍କୁ ରାଜ୍ୟସଭା ମୁଆଁ ଦେଇ ନବୀନ ନିଜ ଦଳକୁ ଟାଣିବା ସମ୍ଭାବନା ନେଇ ମଧ୍ୟ ଗୋଟିଏ ମହଲ ମତ ରଖୁଛନ୍ତି।

ରାଜ୍ୟସଭା ଆସନ ଉପରେ ଅନେକ ଅଣ ରାଜନୈତିକ ବ୍ୟକ୍ତି, ଶିଳ୍ପପତି, ସାମ୍ବାଦିକ, ସ୍ଥପତି, ପୂର୍ବତନ ପ୍ରଶାସକ, କଳାକାର ପ୍ରମୁଖ ଆଖି ରଖିଥିଲେ। ହେଲେ ରାଜନୈତିକ ବ୍ୟକ୍ତିଙ୍କୁ ଟିକେଟ୍‌ ଦିଆଯିବା କଥା ସୂଚାଇ ନବୀନ ଏସବୁ ଉପରେ ସମ୍ଭବତଃ ପୂର୍ଣ୍ଣଛେଦ ଟାଣିଛନ୍ତି। ଆସନ୍ତା ୫ ତାରିଖରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ନବୀନ ସମ୍ଭବତଃ ଦୋଳ ଓ ହୋଲି ପରେ ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସମ୍ଭାବନା ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ଏପ୍ରିଲ ୨ ତାରିଖରେ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲୀପ ତିର୍କୀ, ଏ.ଭି ସ୍ୱାମୀ (ସ୍ୱାଧୀନ)ଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏସବୁ ଆସନ ଲାଗି ଆସନ୍ତା ୨୩ରେ ନିର୍ବାଚନ ହେବ। ତିନି ଜଣ ଯାକ ନେତା ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି। ଶ୍ରୀ ସ୍ୱାମୀ ନୂଆପଡ଼ା ଜିଲ୍ଲାର। ସୁନ୍ଦରଗଡ଼କୁ ପ୍ରତିନିଧିତ୍ୱ କରୁଛନ୍ତି ହକି ତାରକା ଦିଲ୍ଲୀପ ତିର୍କୀ। ଆଉ ନବୀନଙ୍କ ଡୁନ୍‌ ସ୍କୁଲ ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓ ହେଉଛନ୍ତି ବଲାଙ୍ଗୀରର।

ପଶ୍ଚିମ ଓଡ଼ିଶାର ମାନଚିତ୍ର ଗେରୁଆ ଦିଶୁଥିବା ପରିପ୍ରେକ୍ଷୀରେ ବିଜେଡି ମୁଖିଆ ଏହି ତିନିଟି ରାଜ୍ୟସଭା ଆସନକୁ ନେଇ ଚାପରେ ରହିବା ସ୍ୱାଭାବିକ। କିନ୍ତୁ ଏମିତି ନୁହେଁ ଯେ ଆଉଥରେ ଏମାନଙ୍କୁ ରାଜ୍ୟସଭା ପଠାଇବାକୁ ବାଧ୍ୟ। କାରଣ, ସ୍ୱାସ୍ଥ୍ୟ ସମସ୍ୟା ଓ ବୟସ ଏ ଭି ସ୍ୱାମୀଙ୍କ ବାଟ ଓଗାଳିପାରେ। ଶ୍ରୀ ସିଂହଦେଓଙ୍କୁ ରାଜ୍ୟସଭାକୁ ପଠାଇ ନବୀନ ବନ୍ଧୁତ୍ୱ ଚାପରୁ ମୁକ୍ତ ଅଛନ୍ତି। ଅନଙ୍ଗଙ୍କ ସାମ୍ନାରେ ତାଙ୍କ ପଦବି ଅପେକ୍ଷା ଦୁଇ ପୁଅ ସାଂସଦ କଲିକେଶ ଓ ଅର୍କେଶଙ୍କ ଭବିଷ୍ୟତ ଅତ୍ୟନ୍ତ ଗୁରୁତ୍ୱ ରଖୁଛି। ଦିଲ୍ଲୀପଙ୍କର ଦଳରେ ଗୁରୁତ୍ୱ ରହିଛି, ସେ ଦୁଇ ଦୁଇଟି ବର୍ଗକୁ ପ୍ରତିନିଧିତ୍ୱ କରୁଛନ୍ତି। ଓଡ଼ିଶା ହକିକୁ ଗୁରୁତ୍ୱ ଦେଉଥିବା କାରଣରୁ ସରକାର ହକି କ୍ଷେତ୍ରରେ ଏକ ପ୍ରମୁଖ ସଂସ୍ଥା ଗଠନ କରି ତାଙ୍କୁ ତାର ମୁଖିଆ ଭାବେ ବସାଇବା ଲାଗି ଗୁରୁତର ସହ ବିଚାର କରୁଛନ୍ତି।

୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏବେ ବିଜେଡିର ୧୧୭ ଜଣ ବିଧାୟକ ଅଛନ୍ତି। ୧୬ ଜଣ କଂଗ୍ରେସ ଦଳକୁ ପ୍ରତିନିଧିତ୍ଵ କରୁଛନ୍ତି। ବିଜେପିର ୧୦ ଜଣ ବିଧାୟକ ଥିବା ବେଳେ ସିପିଆଇ ଓ ସମତା କ୍ରାନ୍ତିର ଜଣେ ଲେଖାଏଁ ଏବଂ ବାକି ୨ ଜଣ ସ୍ୱାଧୀନ ବିଧାୟକ। ଏମାନଙ୍କ ମଧ୍ୟରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ବିଜେଡି ନିଲମ୍ବନ ଉଠାଇସାରିଲାଣି। ସେ ଏବେ ବିଜେଡି ସହିତ ଅଛନ୍ତି। ଏଣୁ ବିରୋଧୀ ପ୍ରାର୍ଥୀ ଦେଇ ଜିତାଇବା ସମ୍ଭାବନା ନାହିଁ। ଅଙ୍କ ଅନୁସାରେ, ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ପ୍ରଥମ ପସନ୍ଦର ୩୭ଟି ଭୋଟ ବା ୩୭ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ଯେହେତୁ ବିଜେଡିର ୧୧୭ ଜଣ ସଭ୍ୟ ଅଛନ୍ତି, ଏଣୁ ଦଳ ଅତି ସହଜରେ ୩ଜଣ ସଭ୍ୟଙ୍କୁ ପ୍ରଥମ ପସନ୍ଦ ଭୋଟରେ ଜିତାଇ ପାରିବ। ଏଭଳି ପରିସ୍ଥିତିରେ ନିର୍ବାଚନ ସ୍ଥିତି ଉପୁଜିନପାରେ।

ସମ୍ବନ୍ଧିତ ଖବର