ରାଜନୈତିକ ରାଲିକୁ ଡରୁଛି କି କରୋନା ଭୂତାଣୁ ? ପଶ୍ଚିମବଙ୍ଗରେ ଚାଲିଛି ହେଭିୱେଟଙ୍କ ହାଇଭୋଲଟେଜ୍ ପ୍ରଚାର, ସାମିଲ୍ ଅଛନ୍ତି ହଜାର ହଜାର ସମର୍ଥକ

କୋଲକାତା : କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ ପଶ୍ଚିମବଙ୍ଗରୁ ଆସିଛି ଉଦବେଗଜନକ ଚିତ୍ର । ନିର୍ବାଚନ ପ୍ରଚାରରେ ଉଠୁଛିପଡ଼ୁଛି ରାଜ୍ୟର ବିଭିନ୍ନ ଅଞ୍ଚଳ। ଆସାନସୋଲରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ଉତ୍ତର ୨୪ ପ୍ରଗଣାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସବୁଠାରୁ ବଡ କଥା ହେଲା ସମଗ୍ର ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ହେଭିୱେଟମାନଙ୍କ ନିର୍ବାଚନ ପ୍ରଚାରରେ ପ୍ରବଳ ଲୋକ ଗହଳି ଦେଖିବାକୁ ମିଳିଛି। ରୋଡ ସୋ’, ରାଲି ଓ ସଭାରେ ହଜାର ହଜାର ଲୋକ ଏକାଠି ହେବା କରୋନା ସଂକ୍ରମଣକୁ ଯେ ବଢ଼ାଇବ ସେଥିରେ ତିଳେ ହେଲେ ସନ୍ଦେହ ନାହିଁ।

ଆଉ ଠିକ୍ ଏତିକିି ବେଳେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିସନ । ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ୭୨ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ପ୍ରଚାରର ସମୟ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି କମିସନ । ସନ୍ଧ୍ୟା ୭ରୁ ସକାଳ ୧୦ଟା ଯାଏଁ ହେବ ହୋଇପାରିବ ନାହିଁ ନିର୍ବାଚନ ପ୍ରଚାର । କେବଳ ଦିନରେ ନିର୍ବାଚନ ପ୍ରଚାର କରିପାରିବେ ରାଜନୈତିକ ଦଳ।

ତେବେ କାହିଁକି ଏଭଳି ନିଷ୍ପତ୍ତି ନେଲେ ନିର୍ବାଚନ କମିସନ ତାହା ବୁଝା ପଡୁନାହିଁ । କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ ଗୋଟିଏ ପଟେ ପ୍ରଚାର ଉପରେ କଟକଣା ଲଗାଯାଉଛି । ଅନ୍ୟପଟେ କିନ୍ତୁ କରୋନାର ସୁପର ସ୍ପ୍ରେଡର ପାଲଟିବା ପାଇଁ ନିର୍ବାଚନ ରାଲିଗୁଡିକୁ ଛାଡି ଦିଆଯାଉଛି । ସାଧାରଣ ଲୋକ ମାସ୍କ ନ ପିନ୍ଧିଲେ, ସାମାଜିକ ଦୂରତା ନ ରଖିଲେ ପୁଲିସ ଚାଲାଣ କାଟୁଛି । ହେଲେ ରାଜନେତାଙ୍କ ପ୍ରଚାର ଉପରେ କୌଣସି ଅଙ୍କୁଶ ନାହିଁ।

ସମ୍ବନ୍ଧିତ ଖବର