ଏଥର ରାଜ୍ୟ ରାଜନୀତିରେ ପାରିବାରିକ ରାଜନୀତିର ଦୃଶ୍ୟ ଦେଖିବାକୁ ମିଳିଥିଲା। ବରିଷ୍ଠ ନେତାମାନେ ନିଜର ଉତ୍ତରାଧିକାରୀ ଭାବେ ପୁଅମାନଙ୍କୁ ବାଟ ଛାଡ଼ିଦେଲେ। କି ବୟସାଧିକ ଯୋଗୁ ତ କିଏ ବିବାଦ ଯୋଗୁ ନିେଜ ପ୍ରାର୍ଥୀ ନ ହୋଇ ପୁଅମାନଙ୍କୁ ଠିଆ କରାଇଥିଲେ। ଦଳର ହାଇକମାଣ୍ଡ ମଧ୍ୟ ପାରିବାରିକ ରାଜନୀତିରେ ମୋହର ମାରିଥିଲେ। ବିଜେଡି ଟିକେଟ୍ରେ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ବାଳ, ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଓ ଦାେମାଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ କଂଗ୍ରେସରେ ପୁଅମାନେ ସଫଳ ହୋଇ ନାହାନ୍ତି। ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ପୁଅ ସମେରନ୍ଦ୍ର ମିଶ୍ର ପରାଜୟ ବରଣ କରିଥିଲେ।
ହଜାଇଦେଲା ନିର୍ବାଚନ
ରାଜ୍ୟ ରାଜନୀତିରେ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା କିଛି ବରିଷ୍ଠ ନେତାଙ୍କ ପାଇଁ ୨୦୧୯ ଶୁଭଙ୍କର ନ ଥିଲା। ନିର୍ବାଚନରେ ସେମାନେ ପରାଜୟ ବରଣ କଲେ। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିବା ଦାମୋଦର ରାଉତ, ରଘୁନାଥ ମହାନ୍ତି ଓ ବୈଜୟନ୍ତ ପଣ୍ଡା ସଫଳ ହୋଇ ନ ଥିଲେ। କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ପରାଜୟର ସାମ୍ନା କରିଥିଲେ। ପୂର୍ବ ତିନିଟି ନିର୍ବାଚନ ପରି ଏଥର ବି ସଫଳ ହୋଇ ନ ଥିଲେ ବିଜେପିର ବହୁ ଚର୍ଚ୍ଚିତ ନେତା ବିଜୟ ମହାପାତ୍ର। ବିଜେଡିର ମହେଶ୍ବର ମହାନ୍ତି, ସଞ୍ଜୟ ଦାସବର୍ମାଙ୍କ ପରି ନେତା ବି ହାରିଗଲେ। ବଲାଙ୍ଗୀରରୁ ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ ବିଫଳତାର ସ୍ବାଦ ଚାଖିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ବି ନିର୍ବାଚନୀ ରାଜନୀତିରେ ସଫଳ ହୋଇ ନ ଥିଲେ।
/sambad/media/post_attachments/wp-content/uploads/2019/12/niranjan-pattnaik-mukim-final-copy-300x198.jpg)
ପିସିସିରେ ପୁଣି ଚୌକି କନ୍ଦଳ
ସାଧାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ଦଳର ପୁରୁଣା ରୋଗରୁ ମୁକ୍ତି ପାଇନି କଂଗ୍ରେସ। ନିର୍ବାଚନ ପରେ ନୈତିକତା ମୁଣ୍ଡାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ, ଏଆଇସିସି ତାହାକୁ ଗ୍ରହଣ କଲାନି। ହେଲେ ନିରଞ୍ଜନଙ୍କୁ ହଟାଇବା ପାଇଁ କିଛି କଂଗ୍ରେସ ନେତା ମେଳି ବାନ୍ଧିଛନ୍ତି। ଏହି ମେଳିରେ ତାକତ ନାହିଁ, କିନ୍ତୁ କଂଗ୍ରେସ କର୍ମୀଙ୍କ ବିଶ୍ବାସ ଭାଙ୍ଗିବା ପାଇଁ ଯଥେଷ୍ଟ। ବର୍ଷ ଶେଷ ଯାଏ ଏହି ଧାରା ଜାରି ରହିଥିଲା। ପିସିସି ସଭାପତି କିନ୍ତୁ ବିବ୍ରତ ନୁହନ୍ତି। ବିରୋଧ ଭିତରେ ନୂଆ ଟିମ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ବିରୋଧୀ ଆସନରେ ବିଜେପି, ଦମ୍ ନାହିଁ
ପଞ୍ଚାୟତ ନିର୍ବାଚନରେ ଦୁଇନମ୍ବର ଆସନକୁ ଉନ୍ନୀତ ହୋଇଥିଲା ବିଜେପି। ସାଧାରଣ ନିର୍ବାଚନରେ ଆଖେଇଥିଲେ ଏକ ନମ୍ବର ଆସନରେ ବସିବେ। ହେଲେ ସବୁ ଅଙ୍କ ଓଲଟପାଲଟ ହୋଇଗଲା। ବିଜେଡି ଏକ ପାଖିଆ ଭାବେ ଜିତିଲା ଓ ବିଧାନସଭାରେ ବିଜେପି ପ୍ରଥମ ଥର ମୁଖ୍ୟ ବିରୋଧୀ ଦଳ ଆସନରେ ବସିଲା। ସରକାରଙ୍କୁ ବିରୋଧ କରୁ କରୁ ଆଭ୍ୟନ୍ତରୀଣ କନ୍ଦଳରେ ଫସି ତିନି ନମ୍ବର ସ୍ଥାନକୁ ଖସିଗଲା କଂଗ୍ରେସ। ବାଦବିବାଦ ଭିତରେ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ପଦରେ ବସିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପିର ବିରୋଧୀ ଆଚରଣ ଓ ଉଚ୍ଚାରଣ ଇତିମଧ୍ୟରେ ନିସ୍ତେଜ ପଡିଯାଇଛି। ନେତାମାନେ ବିରୋଧ କରୁଛନ୍ତି, କିନ୍ତୁ କାଟୁନି।
/sambad/media/post_attachments/wp-content/uploads/2019/12/BJD-WOMEN-300x165.jpg)
ଚର୍ଚ୍ଚାରେ ପାଟକୁରା, ବିଜେପୁର
ସାଧାରଣ ନିର୍ବାଚନ ପରେ ଓଡ଼ିଶା ଆହୁରି ଦୁଇଟି ଉପନିର୍ବାଚନର ସାମ୍ନା କରିସାରିଛି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ଅଟକିଥିଲା ପାଟକୁରା ନିର୍ବାଚନ। ଫନିକୁ ଆଳ କରି ଆଉ କିଛି ଦିନ ବିଳମ୍ବ ହେଲା, ଯାହା ଅତୀତରେ କେବେ ହୋଇନଥିଲା। ବିଜେପିର ହେଭିୱେଟ୍ ନେତା ବିଜୟ ମହାପାତ୍ର ଏଠାରୁ ଲଢ଼ୁଥିଲେ। ତାଙ୍କ ସପକ୍ଷରେ ହାୱା ଥିଲା। ହେଲେ ନବୀନଙ୍କ ରଣନୀତି ଆଗରେ ସେ ପରାସ୍ତ ହେଲେ। କିନ୍ତୁ ଲଢେଇର ସ୍ବରୂପ ସୂଚାଇଦେଲା ଯେ ବିଜୟ ପୂରା ଦୁର୍ବଳ ହୋଇନାହାନ୍ତି। ସ୍ବର୍ଗତ ଅଗ୍ରୱାଲଙ୍କ ପତ୍ନୀ ସବିତା ଅଗ୍ରୱାଲ ବିଜୟୀ ହେଲେ। ସେମିତି ନବୀନଙ୍କ ଇସ୍ତଫା ଯୋଗୁ ଖାଲି ପଡ଼ିଥିବା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେଲେ। ଭୋଟ୍ ବ୍ୟବଧାନରେ ରୀତା ସର୍ବକାଳୀନ ରେକର୍ଡ ବି ସ୍ଥାପନ କଲେ। ସମର୍ପଣ ମୁଦ୍ରାରେ ରହିଲେ ବିଜେପି ଓ କଂଗ୍ରେସ।
/sambad/media/post_attachments/wp-content/uploads/2019/12/congress-Recovered-300x246.jpg)
ବଢାଉଛନ୍ତି ଚିନ୍ତା ନବଗ୍ରହ
ବିଧାନସଭାରେ ୨୩ ବିଧାୟକଙ୍କୁ ନେଇ ବିଜେପି ମୁଖ୍ୟ ବିରୋଧୀ ଦଳରେ ବସିଛି। କିନ୍ତୁ କଂଗ୍ରେସ ହିଁ ଉଭୟ ସରକାର ଏବଂ ପ୍ରମୁଖ ବିରୋଧୀ ଦଳକୁ ଅଡୁଆରେ ପକାଉଛି। ମାତ୍ର ୯ ଜଣ ବିଧାୟକ ଥିେଲ ବି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସେମାନେ ଶାଣିତ ଆକ୍ରମଣ କରୁଛନ୍ତି। ଦଳର ୯ ବିଧାୟକଙ୍କୁ ରାଜନୈତିକ ମହଲରେ ନବଗ୍ରହର ଆଖ୍ୟା ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/aaf.jpg)