ମୁମ୍ବାଇ:ମୁମ୍ବାଇର ଏଲ୍ଫିନ୍ଷ୍ଟୋନ୍ ଷ୍ଟେସନ୍କୁ ସଂଯୁକ୍ତ କରୁଥିବା ଫୁଟ୍ଓଭର ବ୍ରିଜ୍ରେ ଗତକାଲି ହୋଇଥିବା ଦଳାଚକଟା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା, କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ଏ ନେଇ ସରକାରଙ୍କୁ ଦାୟୀ କରିବା ସହ କଡା ସମାଲୋଚନା କରିଛନ୍ତି ।
ମହାରାଷ୍ଟ୍ର ନବନିର୍ମାଣ ସେନାର ସୁପ୍ରିମୋ ରାଜ୍ ଥାକ୍ରେ କହିଛନ୍ତି ଯେ ମୁମ୍ବାଇ ସହରକୁ ବହୁ ସଂଖ୍ୟାରେ ଅନ୍ୟ ଅଞ୍ଚଳରୁ ଲୋକ ଆସୁଥିବାରୁ ଏପରି ଘଟିଲା । ଏଥିସହ ସେ ସରକାରଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି । ରାଜ ଚେତାବନୀ ଦେଇ କହିଛନ୍ତି, ସ୍ଥାନୀୟ ରେଳଚଳାଚଳ ଲାଗି ଭିତ୍ତିଭୂମି ବିକଶିତ ନ କରି ଭାରତୀୟ ରେଳ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ଆଗେଇ ନେଇ ପାରିବ ନାହିଁ । ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଲାଗି ଇଟା ଖଣ୍ଡେ ମଧ୍ୟ ଆମେ ରଖାଇ ଦେବୁ ନାହିଁ ।
ଶନିବାର ନିଜର ଦାଦରସ୍ଥିତ ବାସଭବନରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାଜ ଥାକ୍ରେ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇକୁ ବହୁ ସଂଖ୍ୟାରେ ଅନ୍ୟରାଜ୍ୟରୁ କାମଧନ୍ଦା ଲାଗି ଲୋକ ଆସୁଥିବାରୁ ଜନସଂଖ୍ୟା ବିସ୍ଫୋରଣ ହୋଇ ଏପରି ଘଟଣା ଘଟୁଛି । ଏତେ ସଂଖ୍ୟକ ଲୋକଙ୍କ ଲାଗି ଭିତ୍ତିଭୂମି ନ ଥିବାରୁ ଦୁର୍ଘଟଣା ବାରମ୍ବାର ହେଉଛି । ଏହାକୁ ରୋକାଯିବା ଲାଗି ସେ ଯୁକ୍ତି ବାଢିଛନ୍ତି ।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ ସରକାରଙ୍କ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ବୁଲେଟ୍ ଟ୍ରେନ୍ ଧନୀକ ଶ୍ରେଣୀ ଲାଗି ଉଦ୍ଦିଷ୍ଟ । ଏହାଦ୍ୱାରା ଦେଶର ସାଧାରଣ ଓ ଗରିବ ଲୋକଙ୍କର କୌଣସି ଲାଭ ହେବ ନାହିଁ । ଏହି ପ୍ରକଳ୍ପରେ ନିବେଶ ହେବାକୁ ଥିବା ଏକ ଲକ୍ଷ କୋଟି ଟଙ୍କାକୁ ରେଳ ସୁରକ୍ଷା ଦିଗରେ ଖର୍ଚ୍ଚ କରିବାକୁ ସେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପରାମର୍ଶ ଦେଇଛନ୍ତି । ମୁମ୍ବାଇ ଦୁର୍ଘଟଣା ପରେ ଏ ନେଇ ଟ୍ଵିଟ୍ କରି ନିଜ ମତ ରଖିଛନ୍ତି ପି.ଚିଦାମ୍ବରମ୍ ।
ଏହି ଘଟଣା ପରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ରେଲ୍ ବୋର୍ଡର ଏକ ଜରୁରିକାଳୀନ ବୈଠକ ଡକାଇବା ସହ ଘଟଣାର ତଦନ୍ତ ଜୋର୍ଦାର କରୁଛନ୍ତି । ଅନ୍ୟପକ୍ଷରେ ମୁମ୍ବାଇରେ ରେଳ କର୍ମଚାରୀମାନେ ଦଶହରା ପାଳନରୁ ଓହରି ଯାଇଛନ୍ତି । ଦଶହରା ଅବସରରେ ବିଭିନ୍ନ ରେଳ ଷ୍ଟେସନ୍ରେ ହେଉଥିବା ଆଲୋକ ସଜ୍ଜାକୁ ବାତିଲ୍ କରାଯାଇଛି ।