ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିବାଦର ରାତନୀତି: ନେତାଙ୍କ ଉପରେ ହେଉଛି ଅଣ୍ଡା ମାଡ଼

ଭୁବନେଶ୍ବର:  ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରତିବାଦର ରାତନୀତି । କେତେବେଳେ କିଏ କାହା ଉପରକୁ ଅଣ୍ଡାମାଡ କରୁଛି ଆଉ ସେଥିରେ କଣ ରାଜନୈତିକ ଫାଇଦା ରହିଛି, ତାର ଅନୁଶୀଳନ ଖୁବ୍ କମ୍ ହେଉଛି । ବରଂ କର୍ମୀଙ୍କୁ ସଜାଗ କରିବାକୁ ଏହାକୁ ଏକ ଆୟୁଧ ଭାବେ ଧରି ନେଇଛନ୍ତି ରାଜନୈତିକ ଦଳ । କେତେବେଳେ ମୁଖ୍ୟମନ୍ତ୍ରୀ, କେତେବେଳେ ସାଂସଦ ତ ଆଉ କେତେବେଳେ କେନ୍ଦ୍ରମନ୍ତ୍ରୀ । ରାଜନୀତିର ଏହି ଧାରା ପଞ୍ଚାୟତ ପାଣିପାଗକୁ ସରଗରମ କରିଦେଇଛି ।

କରୋନା ଯୋଗୁଁ ଶିଥିଳ ପଡ଼ିଥିବା ରାଜନୈତିକ ପାଣିପାଗ, ମମିତା ହତ୍ୟା ମାମଲାକୁ ନେଇ ଉଷୁମ ହେବା ପରେ ଓଡ଼ିଶା ରାଜନୀତିରେ ପୁଣିଥରେ ଫେରିଛି ଅଣ୍ଡାମାଡ଼ । ଅକ୍ଟୋବର ୧୯ ତାରିଖରେ ଗୃହରାଷ୍ଟ୍ରମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ବାସଭବନ ଉପରେ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼ ପରେ ଏହା ଅନ୍ୟ ଦଳକୁ ବି ଡେଇଁଛି । କଂଗ୍ରେସ ପରେ ବିଜେପି, ଏପରିକି ବିଜେଡି ମଧ୍ୟ ଅଣ୍ଡାମାଡ଼ କରିଛି ।

ମମିତା ମାମଲାରେ ମନ୍ତ୍ରୀ ଓ ଶାସକ ଦଳର ନେତାଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ଇନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ି ଉପରେ ବିଜେଡି କର୍ମୀ ଅଣ୍ଡାମାଡ଼ କରିଛନ୍ତି । ତେବେ ବୁଧବାର ଦିନ ପୁରୀରୁ ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରେ ଅଣ୍ଡାମାଡ଼ କରି ରାଜନୀତିର ପାରା ବଢ଼ାଇଛନ୍ତି ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗରେ ବିଜେପି ଯୁବମୋର୍ଚ୍ଚାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୁଲିସ । ସେମାନଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୨୯୪, ୩୪୧, ୩୫୩, ୩୩୨, ୩୩୬, ୫୦୬, ୩୪ ।

ରାଜନୀତିର ଅସ୍ତ୍ର ପାଲଟିଛି ‘ଅଣ୍ଡାମାଡ଼’ । ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉଦ୍ୟମ କରୁଛନ୍ତି ରାଜନୈତିକ ଦଳ । ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ । ଦେଶରେ ଦରଦାମ ବୃଦ୍ଧି ପାଇଁ ବିଜେପିକୁ ଦାୟୀ କରି ସାଂସଦଙ୍କୁ ଟାର୍ଗେଟ କରିଛି ଦଳ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନଥିବାରୁ ବିକ୍ଷୋଭ, ପ୍ରତିବାଦ ଓ ଅଣ୍ଡାମାଡ଼ର ରାଜନୀତି କରି ଲୋକଙ୍କ ନିକଟବର୍ତ୍ତି ହେବାକୁ ଚାଲିଛି ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ।

ସମ୍ବନ୍ଧିତ ଖବର