ଭୁବନେଶ୍ୱର: ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପ୍ରଦୀପ ମାଝିଙ୍କୁ ପୁଣି ବିବାଦ ଘେରକୁ ଆଣିଛି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡ଼ିଓ। ନିର୍ବାଚନ ଆଉ ସପ୍ତାହେ ନ ଥିବା ବେଳେ ଏହି ଭିଡିଓ ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପଙ୍କୁ ଅଡ଼ୁଆ ପରିସ୍ଥିତି ଭିତରକୁ ଠେଲି ଦେଇଛି। ଭାଇରାଲ୍ ଭିଡ଼ିଓରେ ପ୍ରଦୀପ ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ଦେଖିବାକୁ ମିଳିଛି।
ଏହି ଭିଡିଓରେ ପ୍ରଦୀପ ମାଝି ଜଣେ ମହିଳାଙ୍କୁ ଅନ୍ୟ ଜଣେ ପୁରୁଷ ଓ ମହିଳାଙ୍କ ସାମ୍ନାରେ ଆଲିଙ୍ଗନ କରୁଥିବା ଦେଖାଯାଇଛି। ଏହାପରେ ସେ ଉକ୍ତ ମହିଳାଙ୍କ ସହ ଗୋଟିଏ ବିଛଣାରେ ନିଦ୍ରା ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡ଼ିଓଟି ବେଶ୍ କିଛି ଦିନ ତଳେ ପ୍ରସ୍ତୁତ ହୋଇଥିବା ମନେ ହେଉଛି।
ନିର୍ବାଚନ ପୂର୍ବରୁ ଏପରି ଏକ ଭିଡ଼ିଓ ଭାଇରାଲ୍ ହେବା ନିଶ୍ଚିତ ଭାବେ ପ୍ରଦୀପଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଛି କି ରାଜନୈତିକ ଅଭିସିନ୍ଧି ରଖି ଏଭଳି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରାଯାଇଛି। ପ୍ରଦୀପଙ୍କ ବିଜୟ ସମ୍ଭାବନାକୁ ପ୍ରତିହିତ କରିବା ଲାଗି ଏପରି ହୀନ ଉଦ୍ୟମ କରାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି।
ଘଟଣା ସଂପର୍କରେ ମତାମତ ସଂଗ୍ରହ ଲାଗି ପ୍ରଦୀପ ମାଝିଙ୍କୁ ତାଙ୍କର ୯୪୩୭୩୨୨୪୩୪ ନମ୍ବର ମୋବାଇଲରେ ଯୋଗାଯୋଗ କରାଯାଇଥିଲା। ମାତ୍ର ଫୋନ ନେଟଓ୍ୱର୍କ ବାହାରେ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା।
ଉଲ୍ଲେଖଯୋଗ୍ୟ କି କିଛି ବର୍ଷ ପୂର୍ବରୁ ଏକ ଓଡ଼ିଆ ଦୈନିକରେ ପ୍ରଦୀପ ମାଝିଙ୍କର ଏଭଳି କିଛି ଫଟୋ ପ୍ରକାଶ ପାଇଥିଲା, ଯେଉଁଥିରେ ସେ ଏକ ସୁଇମୁଙ୍ଗ୍ ପୁଲରେ ଜନୈକା ମହିଳାଙ୍କ ସହ ଅନ୍ତରଙ୍ଗ ଅବସ୍ଥାରେ ଥିଲେ। ଏହାପରେ ପ୍ରକାଶିତ ଫଟୋ ଫଟୋସପ୍ରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଥିଲା।