ଇସ୍ତଫା ଦେଲେ ପ୍ରସାଦ!

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଦଳରେ ବଡ ଧରଣର କମ୍ପନ ସୃଷ୍ଟି ହୋଇଛି। ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି। ବିଜେପୁରରେ ଦଳର ଶୋଚନୀୟ ପରାସ୍ତ ପରେ ପ୍ରସାଦ ନୈତିକତା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣେ ନେତା କହିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି। ତେବେ ଖୋଦ୍‌ ପ୍ରସାଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ କିମ୍ବା ଦଳ ଏ ନେଇ କୌଣସି ସୂଚନା ଦେଇନାହିଁ।

ବିଜେପୁର କଂଗ୍ରେସର ଗଡ ଥିଲା। ହେଲେ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିଜ ଅମାନତ ରଖିପାରିନାହାନ୍ତି। ଗତ ୨୦୧୪ରେ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ନୁହେଁ ଆମେ ବୋଲି ସେ ସ୍ଲୋଗାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ହେଲେ ତାଙ୍କ କାର୍ଯ୍ୟକଳାପ ଦଳ ଭିତରେ ପରବର୍ତ୍ତୀ ସମୟରେ ବିଭେଦର ମଞ୍ଜି ବୁଣିଥିଲା। ପଞ୍ଚାୟତ ନିର୍ବାଚନରେ ଏହାର ପରିଣାମ ଦେଖିବାକୁ ମିଳିଥିଲା ଓ ଦଳ ତୃତୀୟ ସ୍ଥାନକୁ ଖସିଆସିଥିଲା। ଅନ୍ୟପକ୍ଷରେ ବିଧାୟକ-ପିିସିସି କଳି ଦାଣ୍ଡରେ ପଡି ହାଟରେ ଗଡିଥିଲା। ବିଧାୟକମାନେ ପ୍ରସାଦ ହଟାଅ ଅଭିଯାନ ଜାରି ରଖିଥିଲେ ହେଁ, ନେତୃତ୍ୱ ତାଙ୍କ ସପକ୍ଷରେ ବାଟ ଓଗାଳିଥିଲେ। ଶେଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱକୁ ଭୋଟର ତାଙ୍କ ରାୟ ଶୁଣାଇବା ସହିତ ଶୋଚନୀୟ ବିପର୍ଯ୍ୟୟ ମୁହଁକୁ ଠେଲିଦେଇଛନ୍ତି।

ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିପାରିଲୁନି: ନିରଞ୍ଜନ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମେ ଆମ ପରାଜୟ ସ୍ୱୀକାର କରୁଛୁ। ବିଜେପୁର ଜନସାଧାରଣଙ୍କ ନିଷ୍ପତ୍ତିକୁ ସାଦରେ ଗ୍ରହଣ କରୁଛୁ। ମୁଁ କାହାକୁ ଦୋଷାରୋପ କରିବାକୁ ଚାହୁଁନି। ଯାହା ବି ଦୋଷତ୍ରୁଟି ହେଲା, ସେଥି ପାଇଁ ମୁଖ୍ୟତଃ ଆମେ କଂଗ୍ରେସ ଦଳର ନେତାମାନେ ଦାୟୀ। ଦ୍ୱିତୀୟରେ ଏଆଇସିସି ପକ୍ଷରୁ ମଧ୍ୟ ଓଡ଼ିଶାର ରାଜନୈତିକ ପରିସ୍ଥିତିକୁ ଦେଖି କିଛି ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଛି। ଆମେ ଓଡ଼ିଶାର ନେତାମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରିନୁ। କଂଗ୍ରେସ ଦଳ ବିଜେପୁର ଜନତାଙ୍କ ମନରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିପାରିନି।

ବିଜେଡି ସହ ମିଶିଗଲା କଂଗ୍ରେସ: ବସନ୍ତ ପଣ୍ଡା

ବିଜେପୁରରେ ବିଜେଡି ସହ ସମ୍ପୂର୍ଣ୍ଣ କଂଗ୍ରେସ ଦଳ ମିଶିଗଲା। ପୁଣି ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ପ୍ରତି ସମବେଦନା ଆସିଲା। ଏଥିପାଇଁ ବିଜେଡିର ବଡ଼ ବ୍ୟବଧାନରେ ବିଜୟ ହେଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ସେ ଆହୁରି କହିଛନ୍ତି, ବିଜେପୁର ଭୋଟର୍‌ଙ୍କ ଜନତାଦେଶକୁ ବିନମ୍ରତା ସହ ବିଜେପି ସ୍ୱୀକାର କରୁଛି। ବିଜେପୁର ଉପନିର୍ବାଚନ ରାଜ୍ୟ ରାଜନୀତିରେ କଂଗ୍ରେସ ଦଳକୁ ସମ୍ପୂର୍ଣ୍ଣ ଭାବେ ଅଲୋଡ଼ା ପରିସ୍ଥିତିରେ ପହଞ୍ଚାଇଛି। ବିଜେପୁର ନିର୍ବାଚନରେ ୬୦ ହଜାର ଭୋଟର୍‌ଙ୍କ ଅକୁଣ୍ଠ ସମର୍ଥନ ୧୮ ବର୍ଷର ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରଙ୍କ ବିରୋଧରେ ଓଡ଼ିଆଙ୍କ ହକ୍‌ର ଲଢ଼େଇକୁ ନିର୍ଣ୍ଣାୟକ ମୋଡ଼କୁ ନେବାକୁ ବିଜେପି ତୃଣମୂଳ ସ୍ତରର ସବୁ କାର୍ଯ୍ୟକର୍ତ୍ତାଙ୍କୁ ଆହୁରି ପ୍ରୋତ୍ସାହିତ କରିବ।

ବିଶ୍ଳେଷଣର ଆବଶ୍ୟକତା ରହିଛି: ନରସିଂହ

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡିର ବିଜୟ ନେଇ ଯେଉଁ ଫାକ୍ଟର୍‌ କାମ କରୁ, କିନ୍ତୁ ଆମର ପରାଜୟକୁ ମୁଁ ସ୍ୱୀକାର କରୁଛି। ପରାଜୟ ନେଇ ବିଶ୍ଳେଷଣର ଆବଶ୍ୟକତା ରହିଛି। ଦଳ ଭିତରେ ଆମେ ଏ ନେଇ ଆଲୋଚନା କରିବୁ।

ସମ୍ବନ୍ଧିତ ଖବର