ପ୍ରଶାନ୍ତ କିଶୋରଙ୍କ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ, ଲଞ୍ଚ୍ ହେଲା ୱେବସାଇଟ୍, ଆରମ୍ଭ ହେଲା ନାମ ପଞ୍ଜୀକରଣ
ପାଟନା: ଜେଡି(ୟୁ)ରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର ଆଜି ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହା ପୂର୍ବରୁ ସେ କହିଛନ୍ତି ଯେ ଆଗାମୀ ୧୦-୧୫ ବର୍ଷ ଭିତରେ ବିହାରକୁ ଦେଶର ଟପ୍-୧୦ ରାଜ୍ୟ ମଧ୍ୟରେ ଦେଖିବାକୁ ଚାହାଁନ୍ତି।
ଆଜି ଏଥିଲାଗି ‘ବାତ୍ ବିହାରକି’ର ୱେବସାଇଟ୍ ‘www.baatbiharki.in’ ଉନ୍ମୋଚିତ ହୋଇଛି। ଏଥିରେ ଆଜି ପୂର୍ବାହ୍ନ ୧୧ଟାରୁ ଆଗ୍ରହୀ ଜନସାଧାରଣ ନିଜର ନାମ ପଞ୍ଜୀକରଣ କରିପାରିବେ ବୋଲି ଜଣାଯାଇଛି। ଏହାଛଡ଼ା ମୋବାଇଲ୍ ନଂ-୬୯୦୦୮୬୯୦୦୮କୁ ମିସ୍ କଲ୍ ଦେଇ ବି ନିଜର ନାମ ପଞ୍ଜିକରଣ କରାଯାଇପାରିବ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ପ୍ରଶାନ୍ତ କିଶୋର ପାଟନାରେ ବଡ଼ ଘୋଷଣା କରିଥିଲେ। ୨୦ ତାରିଖରୁ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଥିଲେ ସେ। ଏଥିରେ ବିହାରର ବିକାଶ ଚାହୁଁଥିବା ଯୁବବର୍ଗକୁ ଅଧିକାଧିକ ସଂଖ୍ୟାରେ ଯୋଗ ଦେବା ଲାଗି ଆହ୍ବାନ ଦେଇଥିଲେ। ଏହି ଅବସରରେ ପ୍ରଶାନ୍ତ କିଶୋର କହିଥିଲେ ଯେ ଆଗାମୀ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ସାମିଲ କରିବାର ଯୋଜନା ରହିଛି।
ପ୍ରଶାନ୍ତ କିଶୋର ଆହୁରି ମଧ୍ୟ କହିଥିଲେ ଯେ ସେ ନିର୍ବାଚନ ଲଢ଼ିବେ ନାହିଁ, ମାତ୍ର ପଞ୍ଚାୟତସ୍ତରରୁ ଯୁବକଯୁବତୀମାନଙ୍କୁ ମନୋନୀତ କରାଯାଇ ସେମାନଙ୍କୁ ଆଗକୁ ଅଣାଯିବ।
ପ୍ରଶାନ୍ତ କିଶୋର କହିଥିଲେ ଯେ ନୀତିଶ କୁମାର ଗଡ୍ସେ ବିଚାରର ଲୋକଙ୍କ ପକ୍ଷ ନେଉଛନ୍ତି। ଗାନ୍ଧି ଓ ଗଡ୍ସେ ଏକାଠି କେମିତି ଯାଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ନୀତିଶ କୁମାର ବିହାରର ବିକାଶ କରିବାରେ ଅସଫଳ ହୋଇଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଥିଲେ।
ବିହାର ୨୦୦୫ ମସିହାରେ ସବୁଠାରୁ ଗରିବ ରାଜ୍ୟ ଥିଲା। ଆଜି ମଧ୍ୟ ତାହା ଅଛି। ଏବେ ଦେଶରେ କେହି ନୀତିଶଙ୍କ ଶାସନ ମଡେଲ ବାବଦରେ ଚର୍ଚ୍ଚା କରୁନାହାନ୍ତି ବୋଲି ସେ କହିଥିଲେ।