ପିପିଲି ପାଇଁ ଆରମ୍ଭ ହେଲା ବିଜେଡିର ମାନସ ମନ୍ଥନ; ବ୍ଲକସ୍ତରୀୟ ନେତାଙ୍କ ସହ ଆଲୋଚନା କଲେ ପର୍ଯ୍ୟବେକ୍ଷକ ପ୍ରତାପ ଦେବ

ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ଆରମ୍ଭ ହୋଇଛି ମାନସ ମନ୍ଥନ । ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା।

ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି,ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଚୂଡାନ୍ତ କରିବେ ସେ ସମର୍ଥନ କରିବେ । ତେବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

ଆଜି ପର୍ଯ୍ୟବେକ୍ଷକଙ୍କ ଘରେ ବସିଥିବା ବୈଠକରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ବ୍ଲକସ୍ତରୀୟ ନେତାଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଛନ୍ତି ପ୍ରତାପ ଦେବ । ଖାସକରି ମହିଳା ସଶକ୍ତୀକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବାରୁ ପ୍ରତିଭାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ପୁଅ ରୁଦ୍ର ମହାରଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ଯେହେତୁ ପିପିଲିର ଯୁବ-ଛାତ୍ର ଗୋଷ୍ଠୀଙ୍କ ସହ ରୁଦ୍ର ସିଧାସଳଖ ଭାବେ ଯୋଡି ହୋଇ ରହିଛନ୍ତି ତେଣୁ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ଏହାପୂର୍ବରୁ ରୁଦ୍ର ମହାରଥୀ ପ୍ରାର୍ଥୀତ୍ୱ ପ୍ରସଙ୍ଗରେ କହିଥିଲେ ଯେ, ପରିବାର ଭିତରେ ଏଯାଏଁ ପ୍ରାର୍ଥୀତ୍ୱକୁ ନେଇ କୌଣସି ଆଲୋଚନା ହୋଇନାହିଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ଆମେ ସମର୍ଥନ କରିବୁ ଓ ଦଳୀୟ ନିଷ୍ପତ୍ତିକୁ ମାନିବୁ ବୋଲି ସ୍ପଷ୍ଟ କରିଥିଲେ ।

ଯେହେତୁ ପିପିଲି ଆସନରେ ମହାରଥୀ ପରିବାରର ଦବଦବା ରହିଛି ଓ ଦୀର୍ଘ ଦିନ ହେବ ପ୍ରଦୀପ ମହାରଥୀ ଏହି ଆସନରେ ବିଜେଡିର ବିଜୟ ବାନା ଉଡାଉ ଆସୁଥିଲେ ତେଣୁ ମହାରଥୀଙ୍କ ପରିବାର ମଧ୍ୟରୁ କାହାକୁ ସୁଯୋଗ ଦେଇପାରନ୍ତି ନବୀନ । କିନ୍ତୁ ସର୍ବଦା ହତଚକିତ କରିଦେବା ଭଳି ନିଷ୍ପତ୍ତି ନେଉଥିବା ନବୀନ ପିପିଲି ପାଇଁ ଏଥର କାହା ନାଁରେ ମୋହର ମାରିବେ ତାହା ଦେଖିବା ବାକି ରହିଲା ।

ସମ୍ବନ୍ଧିତ ଖବର