ଦାମ ପ୍ରସଙ୍ଗ: ନବୀନଙ୍କ ଉପରେ ଚାପ ବଢ଼ୁଛି

ଭୁବନେଶ୍ୱର: ବିଜେଡିରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଅସନ୍ତୋଷ କ୍ରମଶଃ ତେଜିବାରେ ଲାଗିଛି। ଆଜି ସକାଳୁ ନବୀନ ନିବାସରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କ ନେତୃୃତ୍ୱରେ ଶହ ଶହ ବିଜେଡି କର୍ମୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କର ଦଳ ବିରୋଧୀ କାର୍ଯ୍ୟ ସଂପର୍କରେ ଫେରାଦ ହୋଇଛନ୍ତି। ଦାମୋଦର କିଭଳି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି, ତାର ଲମ୍ବା ତାଲିକା ଧରାଇବା ସହିତ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଏକଥା ବି ଶୁଣାଇଛନ୍ତି, ବିଧାୟକ ଡାକ୍ତର ରାଉତଙ୍କ ଦଳ ବିରୋଧୀ କାର୍ଯ୍ୟ ଓ ସରକାର ବିରୋଧୀ ମନ୍ତବ୍ୟ କର୍ମୀଙ୍କୁ ଢେର୍‌ ଆଘାତ ଦେଲାଣି। ଏଣୁ ମୁଖିଆ ହସ୍ତକ୍ଷେପ କରିବା ଦରକାର। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀଙ୍କୁ ନିରାଶ କରିନାହାନ୍ତି। ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦାମ ବାବୁଙ୍କ ସଂପର୍କରେ ଆସିଥିବା ଅଭିଯୋଗର ସେ ଅନୁଧ୍ୟାନ କରି ଉଚିତ୍‌ ପଦକ୍ଷେପ ନେବେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଧାୟକ ଡାକ୍ତର ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଦଳର ମୁଖିଆ ସବୁ ଅଭିଯୋଗର ତଦନ୍ତ କରାଇବା ପାଇଁ ଚାହାନ୍ତି। ଏଣୁ ନୂଆଦିଲ୍ଲୀରୁ ଫେରିବା ପରେ ଯେ କୌଣସି ମୁହୂର୍ତରେ ନବୀନ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇପାରନ୍ତି। ତଦନ୍ତ ରିପୋର୍ଟ ଆଧାରରେ ସେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବେ। ଅନ୍ୟପକ୍ଷରେ ଦାମୋଦରଙ୍କ ବିରୋଧରେ ଅଧିକରୁ ଅଧିକ ଅଭିଯୋଗ ଆସିବା ଲାଗି କ୍ଷେତ୍ର ପ୍ରସ୍ତୁତ ହେଲାଣି। ଜଗତସିଂହପୁର ଜିଲ୍ଲାରୁ ଆହୁରି ଅଧିକ ଲୋକ ମୁଖିଆଙ୍କୁ ଭେଟି ଦାମୋଦରଙ୍କ ସଂପର୍କରେ ଫେରାଦ ହେବା ଲାଗି ଏକାଠି ହେଉଥିବା ସୂଚନା ମିଳିଛି। ତେବେ ବିଧାନସଭା ଶେଷ ପୂର୍ବରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏତେ ସବୁ ସତ୍ତ୍ୱେ ଡାକ୍ତର ରାଉତ କିନ୍ତୁ ତଥାପି ନିରବି ନାହାନ୍ତି। ବରଂ ଆଜି ବିଧାନସଭା ସଭା ବାହାରେ ଗଣମାଧ୍ୟମ ସାମ୍ନାରେ ପୁଣି ଗର୍ଜନ ତର୍ଜନ କରିଛନ୍ତି। ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିବା ଲାଗି ସଜବାଜ ଚଳାଇଥିବା ବେଳେ ଡାକ୍ତର ରାଉତ ଆଜି କହିଛନ୍ତି, ସେ ଆଉ ବିଜେଡିରେ ନାହାନ୍ତି। ଗଣମାଧ୍ୟମକୁ କହିଛନ୍ତି, ବିଜେଡି ଏବେ ଜଣେ ଅଫିସର ଓ ୩ ଜଣ ବିଧାୟକ ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଓ ବବି (ପ୍ରଣବ ଦାସ)ଙ୍କ ଦ୍ୱାରା ଚାଲିଛି। ମୁଁ ସେ ଦଳରେ ନାହିଁ। ଡାକ୍ତର ରାଉତ ଆହୁରି କହିଛନ୍ତି, ମୋ ଅଜାଣତରେ ମୋତେ ମନ୍ତ୍ରୀ ପଦରୁ କାଢ଼ି ଦେଲେ। ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବି ବାହାର କଲେ। ମୋ ପାଖରେ ଆଉ କ’ଣ ଅଛି,ଯେ ମୋତେ ବାହାର କରିବେ? ହେଲେ ନବୀନ ପଟ୍ଟନାୟକଙ୍କ ପ୍ରତି କିନ୍ତୁ ତାଙ୍କର ଆସ୍ଥା କମିନି। ସେ କହିଛନ୍ତି, ଦଳର ସଭାପତି ସବୁ ଜାଣିଛନ୍ତି। ସେ ଯାହା ନିଷ୍ପତ୍ତି ନେବେ। ମୁଁ ଯେପର୍ଯ୍ୟନ୍ତ ବିଧାୟକ ଅଛି, ସେ ପର୍ଯ୍ୟନ୍ତ ମୁଁ ବିଜୁ ଜନତା ଦଳର ବିଧାୟକ ଭାବେ ରହିବି। ଯେଉଁ ଦିନ ବିଜୁ ଶବ୍ଦ କଟିଯିବ, ସେଦିନ ମୁଁ ଆଉ ନ ଥିବି।

ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବି ମନଇଛା ବର୍ଷିଛନ୍ତି ଦାମୋଦର। କହିଛନ୍ତି, ରାଜ୍ୟ ସରକାର ପ୍ରତିବର୍ଷ ଜଗତସିଂହପୁର ଜିଲ୍ଲାକୁ କୋଟିଏ ୧୪ ଲକ୍ଷ ଟଙ୍କାର ଗୋଟିଏ ‘କ୍ରିଟିକାଲ ଫଣ୍ଡ’ ଦିଅନ୍ତି। ଜଗତସିଂହପୁରରେ ୪ଟି ନିର୍ବାଚନମଣ୍ଡଳୀ ଅଛି। ଚେୟାରମ୍ୟାନ ପ୍ରଶାନ୍ତ ମୁଦୁଲି ତିନିବର୍ଷ ହେଲା ତାଙ୍କ ନିର୍ବାଚନ ମଣ୍ଡଳୀକୁ ଗୋଟିଏ ନୂଆପଇସା କି ଟଙ୍କା ଦେଇ ନାହାନ୍ତି। ସେହିଭଳି ବିଷ୍ଣୁ ଚରଣ ଦାସ ବିଧାୟକ ହୋଇପାରି ନାହାନ୍ତି। ରାଜ୍ୟସଭାକୁ କେଇ ଦିନ ଯାଇଥିଲେ। ସେଠି କ’ଣ ପଡ଼ିଗଲେ,ରକ୍ତ ବାହାରିଲା। ସେଠୁ ପଳାଇ ଆସିଲେ। ତାଙ୍କୁ ପ୍ଲାନିଂବୋର୍ଡର ଚେୟାରମ୍ୟାନ କରାଯାଇଛି। ଓଡ଼ିଶା ପ୍ଲାନିଂ ବୋର୍ଡର ଆନୁଆଲ ପ୍ଲାନ୍‌ କେତେ ସେ କହିପାରିବେ କି ନାହିଁ ମୁଁ ଜାଣି ନାହିଁ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେଲା ଦାମୋଦର ଗଣମାଧ୍ୟମରେ ସରକାର ଓ ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେଡି ଉପରେ ଲଗାତାର ବିଷୋଦ୍‌ଗାର କରି ଚାଲିଛନ୍ତି। ସରକାର ଓ ଦଳକୁ ଅକଳରେ ପକାଇବା ଲାଗି କୌଣସି ସୁଯୋଗ ଛାଡୁନାହାନ୍ତି। ଏହାକୁ ନେଇ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଉଠୁଛି ପଡୁଛି ଓ ତାଙ୍କ ବିରୋଧରେ ନେତାମାନେ ଏକାଠି ହେଉଛନ୍ତି।

ସମ୍ବନ୍ଧିତ ଖବର