ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପାଦ ଦେବା ପରେ ଏବେ ସୋସିଆଲ୍ ମିଡିଆରେ ନିଜର ଡେବ୍ୟୁ କରିବେ। ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ ପରି ସୋସିଆଲ୍ ମିଡିଆ ସାଇଟ୍ଗୁଡ଼ିକରେ ପୂର୍ବରୁ ଦିଶିନଥିବା ପ୍ରିୟଙ୍କା ଖୁବ୍ ଶୀଘ୍ର ଦେଖିବାକୁ ମିଳିବେ ବୋଲି ସୂଚନା ରହିଛି।
ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରିୟଙ୍କା ଗାନ୍ଧୀ ଫେବ୍ରୁଆରି ୪ ତାରିଖରେ ଲକ୍ଷ୍ନୌରେ ଏକ ଗ୍ରାଣ୍ଡ୍ ଉତ୍ସବରେ ପୂର୍ବାଞ୍ଚଳ ଉତ୍ତରପ୍ରଦେଶରେ କଂଗ୍ରେସର ସାଧାରଣ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଯୁବ ଓ ମହିଳାମାନଙ୍କ ସହ ଯୋଡ଼ି ହେବା ପାଇଁ ସୋସିଆଲ୍ ମିଡିଆରେ ଡେବ୍ୟୁ କରିବେ।
ବିଜେପି ପରି କଂଗ୍ରେସର ଅନେକ ନେତାମାନେ ବି ସୋସିଆଲ୍ ମିଡିଆରେ ପ୍ରାୟ ସକ୍ରିୟ ରହୁଥିବାର ଦେଖିବାକୁ ମିଳିଛି। କୋଟି କୋଟି ଲୋକଙ୍କ ସହଯୋଡ଼ି ହୋଇ ପାରୁୁଥିବା ପରି ଏପରି ଏକ ପ୍ଲାଟଫର୍ମର କଂଗ୍ରେସ ସୁଯୋଗ ଉଠାଇବାରୁ ନିଜକୁ ବଞ୍ଚିତ ନକରି ପ୍ରିୟଙ୍କା ଗାନ୍ଧୀଙ୍କୁ ସୋସିଆଲ୍ ମିଡିଆରେ ପ୍ରବେଶ କରାଇବାର ଯୋଜନା ରଖିଛି ବୋଲି କଥା ଉଠିଛି।
ତେବେ, ପ୍ରିୟଙ୍କା ପ୍ରଥମେ ଫେସ୍ବୁକ୍ରେ ଆକାଉଣ୍ଟ୍ ଖୋଲିବା ପରେ ଯାଇ ଇନ୍ଷ୍ଟାଗ୍ରାମ ଓ ଟୁଇଟର୍ରେ ଆକାଉଣ୍ଟ୍ ଖୋଲିବେ ବୋଲି ଜାଣିବାକୁ ମିଳିଛି।