ମୋଦିଙ୍କ ବାଣରେ ମୋଦିଙ୍କୁ ଘାଇଲା କଲେ ପ୍ରିୟଙ୍କା: କହିଲେ, ‘ଧନୀଙ୍କ ପାଇଁ ‘ଚୌକିଦାର’, କୃଷକଙ୍କ ପାଇଁ ନୁହଁ’

ପ୍ରୟାଗରାଜ: ଚଳିତ ନିର୍ବାଚନୀ ପ୍ରଚାରରେ ‘ଚୌକିଦାର’ ପ୍ରସଂଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଆଜି ଏହି ପ୍ରସଂଗ ନେଇଛି ଏକ ନୂଆ ମୋଡ଼। ନିକଟ ଅତୀତରେ ସକ୍ରିୟ ରାଜନୀତିକୁ ଆସି କଂଗ୍ରେସର ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏହି ‘ଚୌକିଦାର’ ପ୍ରସଂଗକୁ ଭିନ୍ନ ରୂପ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ‘ମୋଦି ଚୌକିଦାର କେବଳ ବଡ଼ ଲୋକଙ୍କ ପାଇଁ, କୃଷକଙ୍କ ପାଇଁ ନୁହଁନ୍ତି। ପ୍ରିୟଙ୍କା ଉତ୍ତରପ୍ରଦେଶର କରିଥିବା ରାଲିରେ ଏପରି କହିବା ବେଳେ କଂଗ୍ରେସ ସମର୍ଥକମାନେ ‘ଚୌକିଦାର ଚୋର୍‌ ହୈ’ କହି ସ୍ଲୋଗାନ୍‌ ଦେଇଥିଲେ।

ପ୍ରିୟଙ୍କା ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀଙ୍କୁ ଯେମିତି ଭଲ ଲାଗୁଛି ସେ ତାଙ୍କ ନାମ ଆଗରେ ବା ପଛରେ ସେମିତି ଶବ୍ଦ ଯୋଡ଼ି ପାରନ୍ତି । ମାତ୍ର ଗତକାଲି ମୁଁ କୃଷକମାନଙ୍କୁ ଭେଟିଥିଲି। ସେମାନେ ମୋତେ କହିଲେ ଯେ ଧନୀ ଲୋକମାନେ ତାଙ୍କ ଘର ଜଗିବାକୁ ଚୌକିଦାର ରଖନ୍ତି। ଆମେ କୃଷକମାନେ ନିଜେ ନିଜର ଚୌକିଦାର୍‌।

 

ପ୍ରସଂଗକ୍ରମେ ଉଲ୍ଲେଖଯୋଗ୍ୟ, ରାଫେଲ୍‌ ବିମାନ ଦୁର୍ନୀତି ମାମଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ‘ଚୌକିଦାର ଚୋର୍‌ ହୈ’ କହି କଟାକ୍ଷ କରିଥିଲେ। ଏହାର ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ଚୌକିଦାର ଶବ୍ଦକୁ ଏଥର ନିର୍ବାଚନ ପ୍ରଚାରର ଏକ ଆୟୁଧ କରିଥିଲେ। ମୋଦି ‘ଚୌକିଦାର’ ଶବ୍ଦ ବ୍ୟବହାର କରି ଏକ ଭିଡିଓ ଜାରି କରି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ।

ଏହି କ୍ରମରେ ମୋଦି ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ତାଙ୍କ ନାମକୁ ପରିବର୍ତ୍ତନ କରି ଚୌକିଦାର ନରେନ୍ଦ୍ର ମୋଦି ବୋଲି ବଦଳାଇ ଦେଇଥିଲେ। ଏହା ପରେ ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପରି ଦଳର ଅନ୍ୟ ବହୁ ବରିଷ୍ଠ ନେତା ତାଙ୍କ ନାମ ପୂର୍ବରୁ ଏବେ ଚୌକିଦାର ଲେଖୁଥିବା ଦେଖିବାକୁ ମିଳିଥିଲା। ଗତ ୨୦୧୪ ନିର୍ବାଚନରେ ବିଜେପି ଓ ନରେନ୍ଦ୍ର ମୋଦି ‘ଚା ବାଲା’କୁ ଯେପରି ଏକ ନିର୍ବାଚନୀ ପ୍ରଚାରର ମାଧ୍ୟମ କରିଥିଲେ ଠିକ୍‌ ସେହି ଢଙ୍ଗରେ ଚଳିତ ନିର୍ବାଚନରେ ମଧ୍ୟରେ ‘ଚୌକିଦାର୍‌’କୁ ପ୍ରଚାରର ଏକ ମାଧ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର