ଆଜି ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ପ୍ରଥମ ରୋଡ୍‌ ସୋ’; ଯୋଗଦେବେ ରାହୁଳ ଗାନ୍ଧୀ

ଲକ୍ଷ୍ନୌ: ସୋମବାର ଦିନ ବିଶାଳ ରୋଡ୍‌ ସୋ’ କରିବାକୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ପହଞ୍ଚୁଛନ୍ତି କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦିକା ତଥା ପୂର୍ବ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧୀ।

ତାଙ୍କ ସାଥିରେ ଆସିବେ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ବରିଷ୍ଠ କଂଗ୍ରେସ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ।

ପ୍ରିୟଙ୍କାଙ୍କ ଆଗମନରେ ଉତ୍ସାହିତ ହୋଇ କଂଗ୍ରେସ କର୍ମୀମାନେ ରାଜ୍ୟ ରାଜଧାନୀରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ରାଜ ବାବରଙ୍କ ନେତୃତ୍ୱରେ ଆଡ଼ମ୍ବର ଭରା ଆୟୋଜନ କରାଯାଇଛି।

ରାହୁଳ, ପ୍ରିୟଙ୍କା ଓ ସିନ୍ଧିଆ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଧାନୀର ପ୍ରମୁଖ ଅଞ୍ଚଳ ଦେଇ ନେହେରୁ ଭବନକୁ ଯିବେ।
ବିମାନ ବନ୍ଦର ଓ ୟୁପିସିସି କାର୍ଯ୍ୟଳୟ ମଧ୍ୟରେ ଥିବା ସହରର ପ୍ରାୟ ୩୭ ସ୍ଥାନରେ ଦଳୀୟ କର୍ମୀମାନେ ସେମାନଙ୍କୁ ସ୍ୱାଗତ ଜଣାଇବେ।

କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ବାଟରେ କଂଗ୍ରେସ ନେତୃବୃନ୍ଦ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

ସେମାନଙ୍କ ସମ୍ଭାବ୍ୟ ଗନ୍ତବ୍ୟ ପଥରେ ‘ଓ୍ଵକ୍ତ ହୈ ବଦଲାଓ୍ଵ କା’ (ପରିବର୍ତ୍ତନର ବେଳା) ଲେଖା ଓ ରାହୁଳ ଓ ପ୍ରିୟଙ୍କାଙ୍କ ଫଟୋ ଥିବା ହୋର୍ଡିଙ୍ଗ୍‌ ଲାଗିଛି।

ସମ୍ବନ୍ଧିତ ଖବର